ନୟାଗଡ଼ ଜିଲ୍ଲାରେ ଭିଜିଲାନ୍ସର ବଡ଼ ଧରପକଡ଼ । ଘୁଷ ନେବା ବେଳେ ନୟାଗଡ଼ ଜିଲ୍ଲା ଭାପୁର ଗ୍ରାମ୍ୟ କାର୍ଯ୍ୟ ବିଭାଗ (RW Section) ର ଜୁନିୟର ଇଞ୍ଜିନିୟର କେଶବ ସୁବୁଦ୍ଧିଙ୍କୁ ଓଡ଼ିଶା ଭିଜିଲାନ୍ସ ରବିବାର ହାତେନାତ ଧରିବାରେ ସଫଳ ହୋଇଛି ।ତାଙ୍କ ସହ ଜଣେ ବେସରକାରୀ ବ୍ୟକ୍ତି ଅଶୁତୋଷ ବଳିଆରସିଂହଙ୍କୁ ମଧ୍ୟ ଭିଜିଲାନ୍ସ ଗିରଫ କରିଛି । ସୂଚନା ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା (MMSY) ଅଧୀନରେ ୨୦୨୧-୨୨ ମସିହାରେ ଖଣ୍ଡପଡ଼ା ଅଞ୍ଚଳରେ ହୋଇଥିବା ସଡ଼କ ନିର୍ମାଣ ଓ ରକ୍ଷଣାବେକ୍ଷଣ କାର୍ଯ୍ୟର ବିଲ୍ କ୍ଲିୟାର କରିବା ସହ ସୁରକ୍ଷା ଜମା ଟଙ୍କା ଫେରସ୍ତ କରାଇବା ପାଇଁ ଜଣେ ଠିକାଦାରଙ୍କ ଠାରୁ ୧ ଲକ୍ଷ ୩୬ ହଜାର ଟଙ୍କା ଘୁଷ ଦାବି କରିଥିଲେ ଜେଇ କେଶବ ସୁବୁଦ୍ଧି । ସରକାରୀ ନିୟମ ଅନୁଯାୟୀ ରକ୍ଷଣାବେକ୍ଷଣ ଅବଧି ଶେଷ ହେବା ପରେ ଇନିସିଆଲ ସିକ୍ୟୁରିଟି ଡିପୋଜିଟ (ISD) ଓ ଅନ୍ୟ ସୁରକ୍ଷା ଜମା ରାଶି ଠିକାଦାରଙ୍କୁ ଫେରସ୍ତ କରାଯାଇଥାଏ । କିନ୍ତୁ ମାପଜୋଗ ନହେଲେ ଏହି ଟଙ୍କା ବାତିଲ୍ ହେବାର ଆଶଙ୍କା ଥାଏ । ଠିକାଦାର ଗତ ୩ ରୁ ୪ ମାସ ଧରି କାମ ସମାପ୍ତି ପରେ ମାପଜୋଗ କରି ସୁରକ୍ଷା ରାଶି ଫେରସ୍ତ ପାଇଁ ଅନୁରୋଧ କରୁଥିଲେ ମଧ୍ୟ ଜେଇ କେଶବ ସୁବୁଦ୍ଧି ଏହା ପାଇଁ ୧ ଲକ୍ଷ ୩୬ ହଜାର ଟଙ୍କା ଘୁଷ ଦାବି କରିଥିବା ଅଭିଯୋଗ ହୋଇଛି । ଏଥିରେ ଅତିଷ୍ଠ ହୋଇ ଠିକାଦାର ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ଜେଇ କେଶବ ସୁବୁଦ୍ଧି ଠିକାଦାରଙ୍କୁ ଖଣ୍ଡପଡ଼ାସ୍ଥିତ ନିଜ ସରକାରୀ ବାସଭବନକୁ ଡାକି ଘୁଷ ଟଙ୍କା ତାଙ୍କ ସହଯୋଗୀ ଅଶୁତୋଷ ବଳିଆରସିଂହଙ୍କ ହାତରେ ଦେବାକୁ କହିଥିଲେ । ପୂର୍ବ ଯୋଜନା ଅନୁସାରେ ସେଠାରେ ଚଢ଼ାଉ କରିଥିବା ଭିଜିଲାନ୍ସ ଟିମ୍ ୧ ଲକ୍ଷ ୩୬ ହଜାର ଟଙ୍କା ଘୁଷ ନେବା ସମୟରେ ଉଭୟଙ୍କୁ କାବୁ କରିଥିଲା । ଘଟଣାସ୍ଥଳରୁ ସମ୍ପୂର୍ଣ୍ଣ ଘୁଷ ଟଙ୍କା ଜବତ କରାଯାଇଥିବା ବେଳେ, ଜେଇ କେଶବ ସୁବୁଦ୍ଧିଙ୍କ ସହ ସଂପୃକ୍ତ ଦୁଇଟି ସ୍ଥାନରେ ଆୟବହିର୍ଭୂତ ସମ୍ପତ୍ତି ଦିଗକୁ ନଜର ରଖି ଏକକାଳୀନ ଚଢ଼ାଉ ଜାରି ରହିଛି । ଏହି ଘଟଣାରେ ଭୁବନେଶ୍ୱର ଭିଜିଲାନ୍ସ ଥାନା କେସ୍ ନମ୍ବର ୦୭, ତାରିଖ ୧୬.୦୫.୨୦୨୬ ଅନୁଯାୟୀ ଦୁର୍ନୀତି ନିବାରଣ ଆଇନ ୨୦୧୮ ର ଧାରା ୭ ଅନୁସାରେ ମାମଲା ରୁଜୁ ହୋଇଥିବା ବେଳେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ତଦନ୍ତ ଜାରି ରହିଛି ।
ଚର୍ଚ୍ଚା news












