ନେହୁରୁ ଇଣ୍ଡୋର ଷ୍ଟାଡିୟମରେ ଶପଥ ନେଲେ ବିଜୟ ଥାଲାପତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ । ତାମିଲନାଡୁରେ ଏବେ ବିଜୟ ସରକାର ।
ନେହୁରୁ ଇଣ୍ଡୋର ଷ୍ଟାଡିୟମରେ ଶପଥ ନେଲେ ବିଜୟ ଥାଲାପତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଜୟ । ତାମିଲନାଡୁରେ ଏବେ ବିଜୟ ସରକାର । ୫ ଦିନର କସରତ ପରେ ଥାଲାପତି ବିଜୟ ଶେଷରେ ସଂଖ୍ୟା ଖେଳରେ ଜିତିଛନ୍ତି । ବିଜୟଙ୍କ ଦଳ ଟିଭିକେ (ତାମିଲଗା ଭେଟ୍ରି କାଝାଗମ୍) ବହୁମତ ସଂଖ୍ୟା ହାସଲ କରିବା ପରେ ରାଜ୍ୟପାଳ ତାଙ୍କୁ ସରକାର ଗଠନ ପାଇଁ ଅନୁମତି ଦେଇଥିଲେ। ଆଜି ସକାଳ ୧୦ଟାରେ ଚେନ୍ନାଇର ନେହରୁ ଷ୍ଟାଡିୟମରେ ବିଜୟ ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିସହ ବିଜୟଙ୍କୁ ବୁଧବାର ସୁଦ୍ଧା ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବାକୁ ପଡ଼ିବ ବୋଲି ଲୋକଭବନ ପକ୍ଷରୁ ଜାରି ଏକ ବିବୃତିରେ କୁହାଯାଇଛି ।
ଟିଭିକେକୁ ଗତକାଲି ଡିଏମ୍କେ ସହଯୋଗୀ ଭିସିକେ (ବିଦୁଥଲାଇ ଚିରୁଥିଗଲ କାଚି) ଏବଂ ଆଇୟୁଏମ୍ଏଲ ସମର୍ଥନ ଦେବା ପରେ ଏହାର ସଂଖ୍ୟା ୧୨୦ରେ ପହଞ୍ଚିଛି। ସଂଖ୍ୟାଗରିଷ୍ଠତା ହାସଲ ପରେ ବିଜୟ ତାଙ୍କ ଦଳର ବରିଷ୍ଠ ନେତାମାନଙ୍କ ସହ ମିଶି ଗତକାଲି ଚତୁର୍ଥ ଥର ପାଇଁ ରାଜ୍ୟପାଳଙ୍କୁ ଭେଟି ୧୨୦ ବିଧାୟକଙ୍କ ସମର୍ଥନପତ୍ର ଦେଇଥିଲେ ଏବଂ ରାଜ୍ୟପାଳ ଏହାକୁ ଗ୍ରହଣ କରି ବିଜୟଙ୍କୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିଥିଲେ। ପୂର୍ବରୁ ୩ ଥର ବିଜୟଙ୍କୁ ଲୋକଭବନରୁ ଫେରାଇଥିବା ରାଜ୍ୟପାଳ ବିଜୟଙ୍କୁ ଭେଟିବା ପାଇଁ ତାଙ୍କ କେରଳ ଗସ୍ତକୁ ବାତିଲ କରିଥିଲେ।
ବିଜୟଙ୍କୁ ଭେଟିବା ପାଇଁ ରାଜ୍ୟପାଳ ପ୍ରଥମେ ମନା କରିଦେଇଥିଲେ। ଏଭଳି ଏକ ଘଡ଼ିସନ୍ଧି ସମୟରେ ରାଜ୍ୟପାଳଙ୍କ ଅନୁପସ୍ଥିତି ଆଗକୁ ବଡ଼ ଜଟିଳ ସ୍ଥିତି ଆଣିପାରେ ବୋଲି ଭୟ ସୃଷ୍ଟି ହୋଇଥିଲା। କିନ୍ତୁ ଶେଷ ମୁହୂର୍ତ୍ତରେ ରାଜ୍ୟପାଳ ତାଙ୍କ କେରଳ ଗସ୍ତ ବାତିଲ କରି ବିଜୟଙ୍କୁ ଲୋକଭବନରେ ସାକ୍ଷାତ କରିଥିଲେ। ତାମିଲନାଡ଼ୁରେ ସରକାର ଗଠନ ପାଇଁ ବାଟ ଫିଟିବା ପରେ ଟିଭିକେ ସମର୍ଥକମାନେ ଚେନ୍ନାଇସ୍ଥିତ ଦଳୀୟ ମୁଖ୍ୟାଳୟ ବାହାରେ ବାଣ ଫୁଟାଇ ଉତ୍ସବ ମନାଇଥିଲେ।
ଚର୍ଚ୍ଚା news












