ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବେ ଆକ୍ରମଣାତ୍ମକ ମୁଦ୍ରାରେ ନଜର ଆସୁଛନ୍ତି । ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରି ନବୀନ ପ୍ରମାଣ କରିଦେଇଛନ୍ତି ଯେ, ଆଗାମୀ ଦିନରେ ବିଜେଡି କେବଳ ରାଜ୍ୟରେ ନୁହେଁ, ବରଂ ଜାତୀୟ ସ୍ତରରେ ମଧ୍ୟ ବିଜେପି ପାଇଁ ଅଡୁଆ ସୃଷ୍ଟି କରିବ ।
BY-Subhasmita-dt-23.7.2026
ଓଡ଼ିଶା ରାଜନୀତିରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ସ୍ପଷ୍ଟ ହେବାକୁ ଲାଗିଛି। ଦୀର୍ଘଦିନ ଧରି କେନ୍ଦ୍ର ସରକାର ସହ ସମଦୂରତା ନୀତି ଅବଲମ୍ବନ କରୁଥିବା ବିଜୁ ଜନତା ଦଳ (ବିଜେଡି) ଏବେ ଅଧିକ ଆକ୍ରମଣାତ୍ମକ ଭୂମିକାରେ ନଜର ଆସୁଛି। ଦଳର ନୂଆ ରଣନୀତିରେ କେବଳ ରାଜ୍ୟ ସରକାର ନୁହେଁ, ବରଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ମଧ୍ୟ ସିଧାସଳଖ ଟାର୍ଗେଟ୍ କରାଯାଉଛି।
ଏହାର ସବୁଠୁ ବଡ଼ ଉଦାହରଣ ହେଉଛି NEET ପରୀକ୍ଷାରେ ଅନିୟମିତତା ଓ ପେପର ଲିକ୍ ଅଭିଯୋଗକୁ ନେଇ ବିଜେଡିର କଡ଼ା ଆଭିମୁଖ୍ୟ। ଦଳ ପକ୍ଷରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୈତିକ ଦାୟିତ୍ୱ ଦର୍ଶାଇ ତାଙ୍କ ଇସ୍ତଫା ଦାବି କରାଯାଇଛି। ପୂର୍ବରୁ କେନ୍ଦ୍ରର ଅନେକ ନିଷ୍ପତ୍ତିକୁ ସମର୍ଥନ କରୁଥିବା ବିଜେଡିର ଏହି ଆଭିମୁଖ୍ୟକୁ ରାଜନୈତିକ ମହଲରେ ଏକ ବଡ଼ ପରିବର୍ତ୍ତନ ଭାବେ ଦେଖାଯାଉଛି।
ସେହିପରି ଜାତୀୟ ସ୍ତରରେ ବିରୋଧୀ ଦଳଗୁଡ଼ିକର ବିଭିନ୍ନ ପ୍ରସଙ୍ଗରେ ବିଜେଡି ସମର୍ଥନ ଜଣାଇବା ମଧ୍ୟ ନୂଆ ରାଜନୈତିକ ସମୀକରଣର ସଙ୍କେତ ଦେଉଛି। ସଂସଦ ହେଉ କି ରାଜରାସ୍ତା, କେନ୍ଦ୍ର ସରକାରଙ୍କ ବିରୋଧରେ ଉଠୁଥିବା ସ୍ୱର ସହ ବିଜେଡିର ଅବସ୍ଥାନ ପୂର୍ବ ତୁଳନାରେ ଅଧିକ ସ୍ପଷ୍ଟ ହେଉଥିବା ଦେଖାଯାଉଛି।
ଦୀର୍ଘଦିନ ଧରି ସଂସଦରେ ଅନେକ ବିଲ୍ ପାରିତ ସମୟରେ ବିଜେପିକୁ ସମର୍ଥନ କରୁଥିବା ବିଜେଡି ଏବେ ନିଜର ରାଜନୈତିକ ଅବସ୍ଥାନକୁ ପୁନଃ ନିର୍ଦ୍ଧାରଣ କରୁଥିବା ଭଳି ଦେଖାଯାଉଛି। ମହାନଦୀ ଜଳ ବିବାଦ, କୋଇଲା ରୟାଲଟି, NEET ଦୁର୍ନୀତି ଭଳି ପ୍ରସଙ୍ଗରେ ଦଳ କେନ୍ଦ୍ର ସରକାରଙ୍କୁ ଅଧିକ ଆକ୍ରମଣାତ୍ମକ ଭାବେ ଘେରିବାର ସଙ୍କେତ ଦେଇଛି।
ତେବେ ନବୀନ ପଟ୍ଟନାୟକଙ୍କ ଏହି ବଦଳିଥିବା ରଣନୀତି ଆଗାମୀ ଦିନରେ ଓ ବିଜେଡି କେବଳ ରାଜ୍ୟରେ ନୁହେଁ, ବରଂ ଜାତୀୟ ସ୍ତରରେ ମଧ୍ୟ ବିଜେପି ପାଇଁ ଅଡୁଆ ସୃଷ୍ଟି କରିବ ।
ଚର୍ଚ୍ଚା news












