ଆଇନଶୃଙ୍ଖଳା ଭଳି ରାଜ୍ୟରେ ଟ୍ରାଫିକ ବ୍ୟବସ୍ଥା ଅତି ଦୟନୀୟ ସ୍ଥିତିରେ ପହଞ୍ଚିଲାଣି। ଖୋଦ୍ ରାଜଧାନୀରେ ଟ୍ରାଫିକ ବ୍ୟବସ୍ଥା କଥା ନ କହିବା ଭଲ। ଅବ୍ୟବସ୍ଥିତ ଟ୍ରାଫିକ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ।
BY-SUBHASMITA-10.5.2026
ରାଜ୍ୟରେ ଆଇନଶୃଙ୍ଖଳା ଭଳି ଟ୍ରାଫିକ୍ ବ୍ୟବସ୍ଥା ମଧ୍ୟ ଦିନକୁ ଦିନ ଅବ୍ୟବସ୍ଥିତ ହୋଇପଡ଼ୁଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ ଟ୍ରାଫିକ୍ ସମସ୍ୟା ଏବେ ସାଧାରଣ ଲୋକଙ୍କ ପାଇଁ ବଡ଼ ମୁଣ୍ଡବେଥା ପାଲଟିଛି। ଦିନ ହେଉ କି ରାତି, ରାସ୍ତାରେ ବାହାରିବା ମାତ୍ରେ ଲୋକଙ୍କୁ ଜାମ୍ ଓ ଅବ୍ୟବସ୍ଥାର ସମ୍ମୁଖୀନ ହେବାକୁ ପଡ଼ୁଛି। ଜାମ୍ରେ ଫସୁଛି ଶହ ଶହ ଗାଡ଼ି ଗତ କିଛି ଦିନ ତଳେ କଟକ-ଭୁବନେଶ୍ୱର ରାସ୍ତାରେ ଘଟିଥିବା ଭୟଙ୍କର ଜାମ୍କୁ ଏପର୍ଯ୍ୟନ୍ତ ଲୋକେ ଭୁଲିପାରିନାହାନ୍ତି। ଘଣ୍ଟା ଘଣ୍ଟା ଧରି ହଜାର ହଜାର ଗାଡ଼ି ରାସ୍ତାରେ ଅଟକି ରହିଥିଲା। ଅନେକ ଯାତ୍ରୀ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ବିଳମ୍ବ ହୋଇଥିବା ବେଳେ ରୋଗୀ ଓ ଆପାତକାଳୀନ ସେବା ମଧ୍ୟ ପ୍ରଭାବିତ ହୋଇଥିଲା। ଟ୍ରାଫିକ୍ ଅବ୍ୟବସ୍ଥା ନେଉଛି ଜୀବନ ଅନିୟନ୍ତ୍ରିତ ଟ୍ରାଫିକ୍ ଏବଂ ନିୟମ ଉଲ୍ଲଂଘନ ଏବେ ଦୁର୍ଘଟଣାର ମୁଖ୍ୟ କାରଣ ପାଲଟିଛି। ବିଶେଷ କରି ବାଇକ୍ ଚାଳକମାନେ ଅଧିକ ପ୍ରଭାବିତ ହେଉଛନ୍ତି। କେଉଁଠି ଅସାବଧାନତା ପାଇଁ ଜୀବନ ଯାଉଛି, ତ ପୁଣି କେଉଁଠି ଦୁର୍ଘଟଣା ପରେ ଲୋକେ ସାରାଜୀବନ ପାଇଁ ଅକ୍ଷମ ହୋଇପଡ଼ୁଛନ୍ତି। ଗତକାଲି ରାତିରେ ମଧ୍ୟ ହାଇୱା ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଘଟଣା ପୁଣିଥରେ ଟ୍ରାଫିକ୍ ବ୍ୟବସ୍ଥାର ଦୟନୀୟ ଚିତ୍ରକୁ ସାମ୍ନାକୁ ଆଣିଛି। ଟ୍ରାଫିକ୍ ପୁଲିସଙ୍କ ଭୂମିକା ଉପରେ ପ୍ରଶ୍ନ ଟ୍ରାଫିକ୍ ବ୍ୟବସ୍ଥାକୁ ନେଇ ଏବେ ଟ୍ରାଫିକ୍ ପୁଲିସଙ୍କ କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନ ଉଠୁଛି। ଲୋକଙ୍କ ଅଭିଯୋଗ ହେଉଛି, ଯେଉଁଠି ଟ୍ରାଫିକ୍ ନିୟନ୍ତ୍ରଣରେ ଅଧିକ ଗୁରୁତ୍ୱ ଦେବା କଥା, ସେଠାରେ ଅଧିକାଂଶ ସମୟରେ ଜରିମାନା ଆଦାୟ ଉପରେ ଜୋର ଦିଆଯାଉଛି। ଗଛ ଆଡ଼ରେ ଛକି ରହି ନିୟମ ଉଲ୍ଲଂଘନକାରୀଙ୍କୁ ଧରିବା ଚେଷ୍ଟା ମଧ୍ୟ ଅନେକ ସମୟରେ ଦୁର୍ଘଟଣାର ଆଶଙ୍କା ବଢ଼ାଉଛି। ସୁଧୁରିବ କେବେ ବ୍ୟବସ୍ଥା ? ରାଜଧାନୀରେ ଦିନକୁ ଦିନ ବଢ଼ୁଥିବା ଟ୍ରାଫିକ୍ ସମସ୍ୟା ଓ ଦୁର୍ଘଟଣାକୁ ଦେଖି ସାଧାରଣ ଲୋକଙ୍କ ମନରେ ଏକେ ପ୍ରଶ୍ନ କେବେ ସୁଧୁରିବ ଟ୍ରାଫିକ୍ ବ୍ୟବସ୍ଥା ? ଲୋକଙ୍କ ସୁରକ୍ଷା ପାଇଁ କଡ଼ା ପଦକ୍ଷେପ ଓ ସଚେତନତା ଅଭିଯାନ ଏବେ ସମୟର ଦାବି ହୋଇପଡ଼ିଛି ।
ଚର୍ଚ୍ଚା news












