ଭୁବନେଶ୍ୱରର ପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ପାଇଁ ଶୀଘ୍ର ଏକ ସ୍ୱତନ୍ତ୍ର ଆଇନ୍ ଆସିବାକୁ ଯାଉଛି। ଶ୍ରୀ ଜଗନ୍ନାଥ ମନ୍ଦିର ଭଳି ଏଠାରେ ମଧ୍ୟ ସୁସଂଘଟିତ ପ୍ରଶାସନିକ ବ୍ୟବସ୍ଥା କରାଯିବା ପ୍ରସ୍ତାବ ରହିଛି।
BY-SUBHASMITA-DT-27.4.2026
ଆଜି ଲୋକସେବା ଭବନରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କୁ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି କମିଟି ଅଧ୍ୟକ୍ଷ ଦୁର୍ଗା ପ୍ରସନ୍ନ ଚୌଧୁରୀ। ଏହି ରିପୋର୍ଟରେ ମନ୍ଦିରର ନୀତିକାନ୍ତି, ସୁରକ୍ଷା ବ୍ୟବସ୍ଥା, ସେବାୟତଙ୍କ ସୁବିଧା ଓ ଭକ୍ତମାନଙ୍କ ଶୃଙ୍ଖଳିତ ଦର୍ଶନ ଉପରେ ଭାର ଦିଆଯାଇଛି।
ଜାନୁଆରୀ ୨୦୨୬ରେ ପ୍ରଥମ ଅନ୍ତରୀଣ ରିପୋର୍ଟ ଦିଆଯାଇଥିବା ବେଳେ, ଏବେ ଦ୍ୱିତୀୟ ରିପୋର୍ଟରେ ଅଧିକ ବିସ୍ତୃତ ମତ ରହିଛି। ଯଦି ନୀତିକାନ୍ତିରେ କୌଣସି ତ୍ରୁଟି ଦେଖାଯାଏ, ତେବେ କଡ଼ା ପଦକ୍ଷେପ ନିଆଯିବାକୁ ସୁପାରିଶ ରହିଛି।
ଏହି କମିଟି ରିପୋର୍ଟରେ ଭକ୍ତ, ସେବାୟତ, ଭାରତୀୟ ପୁରାତତ୍ତ୍ୱ ସର୍ବେକ୍ଷଣ, ଆଇନ ବିଶେଷଜ୍ଞ ଓ ଅନ୍ୟମାନଙ୍କ ମତାମତ ସମିଲ ହୋଇଛି। ଆଗାମୀ ଦିନରେ ଆହୁରି ମତ ସଂଗ୍ରହ କରି ଚୂଡ଼ାନ୍ତ ରିପୋର୍ଟ ପ୍ରସ୍ତୁତ କରାଯିବ।
କମିଟି ଗଠନ ପରେ ମନ୍ଦିରରେ କିଛି ଶୃଙ୍ଖଳା ଫେରିଥିବା ଦେଖାଯାଇଛି। ଆଗକୁ ସରକାର ଏହି ରିପୋର୍ଟକୁ ଅନୁଧ୍ୟାନ କରି ଏକ ସ୍ୱତନ୍ତ୍ର ଆଇନ୍ ରୂପେ ପ୍ରୟୋଗ କରିବେ।
ଚର୍ଚ୍ଚା NEWS












