ହୀରାକୁଦ ଜଳଭଣ୍ଡାରର ପାଖ ଜମି ଡେସିମିଲ ପିଛା ୩୬ ହଜାର ୩୦୭.୫୦ ଟଙ୍କାରେ ନେବେ ଦେଶର ବଡ଼ ତାରକା ହୋଟେଲ। ହୀରାକୁଦ ଜଳଭଣ୍ଡାର ନିକଟରେ ହୋଟେଲ ନିର୍ମାଣ ପାଇଁ ଜମି ହସ୍ତାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି।
BY-SUBHASMITA-DT-27-4.2026
ସମ୍ବଲପୁର:ହୀରାକୁଦ ଜଳଭଣ୍ଡାର ଆଖପାଖ ଅଞ୍ଚଳରେ ପର୍ଯ୍ୟଟନକୁ ନୂଆ ମୁହାଁ ଦେବା ପାଇଁ ବଡ଼ ପ୍ରକଳ୍ପ ଆରମ୍ଭ ହୋଇଛି। ଦେଶର କିଛି ପ୍ରମୁଖ ତାରକା ହୋଟେଲ ଏଠାରେ ନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି ଏବଂ ଡେସିମିଲ ପିଛା ପ୍ରାୟ ୩୬,୩୦୭ ଟଙ୍କା ଦରରେ ଜମି ନେବା ପ୍ରକ୍ରିୟା ଆଗକୁ ବଢ଼ୁଛି।ସମ୍ବଲପୁର ସଦର ତହସିଲ ଅଧୀନରେ ଥିବା ପାଞ୍ଚଟି ଗାଁର ୧୨୭.୦୮ ଏକର ଜମିକୁ ଇଡକୋକୁ ହସ୍ତାନ୍ତର କରାଯାଇଛି। ଏହା ପାଇଁ ଇଡକୋ ପକ୍ଷରୁ ପ୍ରାୟ ୪୨ କୋଟି ୬୦ ଲକ୍ଷ ଟଙ୍କା ଜମା କରାଯାଇଛି ବୋଲି ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।ପ୍ରକଳ୍ପ ଅନୁସାରେ ହୀରାକୁଦ ଚାରିପାଖରେ ସମ୍ବଲପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ପ୍ରାୟ ୨୦୦୦ ଏକର ଜମିରେ ବିଶାଳ ପର୍ଯ୍ୟଟନ ଢଞ୍ଜା ତିଆରି ହେବ। ଏଥିରେ ହୋଟେଲ, ରିସର୍ଟ ଓ ଅନ୍ୟାନ୍ୟ ପର୍ଯ୍ୟଟନ ସୁବିଧା ଗଢ଼ିଉଠିବ। ହୀରାକୁଦ ପ୍ରକଳ୍ପ କର୍ତ୍ତୃପକ୍ଷଙ୍କ ଏନଓସି ମିଳିଥିଲେ ମଧ୍ୟ କିଛି ସର୍ତ୍ତ ଥିବାରୁ ପ୍ରକଳ୍ପ ନେଇ ପୂର୍ବରୁ ଅନିଶ୍ଚିତତା ଥିଲା। ତଥାପି ଏବେ ଜମି ହସ୍ତାନ୍ତରଣ ଆରମ୍ଭ ହେବା ସହ ପ୍ରକଳ୍ପ ଗତି ପାଇବା ଆଶା ବଢ଼ିଛି। କିଛି ଦିନ ପୂର୍ବରୁ ମଧ୍ୟ ବଡ଼ ହୋଟେଲ ଗ୍ରୁପ୍ମାନେ ଏହି ଅଞ୍ଚଳ ଦେଖି ଯାଇଥିଲେ। କେଉଁ ସଂସ୍ଥାକୁ ଜମି ଦିଆଯିବ, ସେଥିରେ ଶେଷ ନିଷ୍ପତ୍ତି ପର୍ଯ୍ୟଟନ ବିଭାଗ ନେବ ବୋଲି ଜିଲ୍ଲା ପ୍ରଶାସନ କହିଛି ।
ଚର୍ଚ୍ଚା news












