୮ ମାସ ଧରି ନିଖୋଜ ଯୁବକଙ୍କ ପରିଚୟ ମିଳିଲା, ପରିବାର ପହଞ୍ଚିବା ପୂର୍ବରୁ ଛାଡ଼ିଦେବା ଅଭିଯୋଗନୁଦଡିହା ଫାଣ୍ଡିରେ ପରିବାରର ଅସନ୍ତୋଷ; ଯୁବକଙ୍କ ସୁରକ୍ଷା ଓ ପୁଲିସର ଭୂମିକାକୁ ନେଇ ଉଠିଲା ପ୍ରଶ୍ନଉଦଳା:( ରାଜୀବ କୁମାର ବେହେରା)ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଅଞ୍ଚଳର ନୁଦଡିହା ଫାଣ୍ଡିରେ ଜଣେ ନିଖୋଜ ଯୁବକଙ୍କୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଉତ୍ତରପ୍ରଦେଶରୁ ପ୍ରାୟ ୮ ମାସ ଧରି ନିଖୋଜ ଥିବା ଜଣେ ଯୁବକ ନୁଦଡିହା ଅଞ୍ଚଳରେ ମିଳିଥିବା ବେଳେ, ପରିବାର ପହଞ୍ଚିବା ପୂର୍ବରୁ ତାଙ୍କୁ ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଯୁବକଙ୍କ ନାମ ସନ୍ଦୀପ ଶ୍ରୀନିବାସ ବୋଲି ପରିବାର ପକ୍ଷରୁ କୁହାଯାଇଛି।ସୂଚନା ଅନୁଯାୟୀ, ନୁଦଡିହା ଅଞ୍ଚଳରେ ଜଣେ ଅଜଣା ଯୁବକ ଘୁରୁଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା। ଚୋରି ସନ୍ଦେହରେ ତାଙ୍କୁ ନୁଦଡିହା ଫାଣ୍ଡିକୁ ନିଆଯାଇଥିବା ଅଭିଯୋଗ ହୋଇଛି।ଫାଣ୍ଡିରେ ଯୁବକଙ୍କ ପରିଚୟ ପଚରାଯିବା ସମୟରେ ସେ ନିଜ ନାମ ସହ ତାଙ୍କ ଭାଇଙ୍କ ମୋବାଇଲ ନମ୍ବର ଦେଇଥିବା ପରିବାର ପକ୍ଷରୁ କୁହାଯାଇଛି। ଏହାପରେ ଯୁବକଙ୍କ ଘର ଉତ୍ତରପ୍ରଦେଶରେ ଏବଂ ସେ ଦୀର୍ଘଦିନ ଧରି ନିଖୋଜ ଥିବା ସମ୍ପର୍କରେ ପରିବାର ଜାଣିବାକୁ ପାଇଥିବା ଦାବି କରିଛି।ଖବର ପାଇ ପରିବାର ଲୋକେ ଉତ୍ତରପ୍ରଦେଶରୁ ଦୀର୍ଘ ଦୂରତା ଅତିକ୍ରମ କରି ନୁଦଡିହା ଫାଣ୍ଡିରେ ପହଞ୍ଚିଥିଲେ। ତେବେ ପରିବାର ପହଞ୍ଚିବା ବେଳକୁ ଯୁବକ ଆଉ ଫାଣ୍ଡିରେ ନଥିବା ଏବଂ ତାଙ୍କୁ ଅନ୍ୟତ୍ର ଛାଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ଏବେ ଯୁବକଙ୍କ ସହ ଯୋଗାଯୋଗ ହୋଇପାରୁନଥିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ିଛନ୍ତି।ଘଟଣାକୁ ନେଇ ନୁଦଡିହା ଫାଣ୍ଡିରେ ପରିବାର ଲୋକଙ୍କ ଅସନ୍ତୋଷ ପ୍ରକାଶ ପାଇଥିବା ଜଣାପଡ଼ିଛି। ଜଣେ ଦୀର୍ଘଦିନ ଧରି ନିଖୋଜ ଥିବା ଯୁବକଙ୍କ ପରିଚୟ ମିଳିବା ପରେ ତାଙ୍କ ପରିବାରକୁ ସୂଚନା ଦେବା, ତାଙ୍କ ସୁରକ୍ଷା ନିଶ୍ଚିତ କରିବା ଓ ପରିବାର ହାତରେ ହସ୍ତାନ୍ତର କରିବା ପ୍ରକ୍ରିୟା କାହିଁକି ଅନୁସରଣ କରାଯାଇନଥିଲା ବୋଲି ପ୍ରଶ୍ନ ଉଠିଛି।ଏହାସହ ଯୁବକଙ୍କୁ କେଉଁ ପରିସ୍ଥିତିରେ, କେଉଁ ସ୍ଥାନରେ ଛାଡ଼ି ଦିଆଗଲା ଏବଂ ସେ ସମ୍ପର୍କରେ କୌଣସି ରେକର୍ଡ ରହିଛି କି ନାହିଁ, ତାହା ମଧ୍ୟ ତଦନ୍ତର ବିଷୟ ହୋଇଛି।ତେବେ ଘଟଣାର ପ୍ରକୃତ ସତ୍ୟାସତ୍ୟ ପୁଲିସର ପକ୍ଷ ଏବଂ ନିରପେକ୍ଷ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ବର୍ତ୍ତମାନ ପରିବାରର ଦାବି ହେଉଛି—ନିଖୋଜ ଯୁବକଙ୍କୁ ତୁରନ୍ତ ଖୋଜି ବାହାର କରାଯାଉ ଏବଂ ସୁରକ୍ଷିତ ଭାବେ ପରିବାର ହାତରେ ହସ୍ତାନ୍ତର କରାଯାଉ। ଏଥିସହ ଘଟଣାରେ ପୁଲିସର ଭୂମିକା ନେଇ ଆବଶ୍ୟକ ତଦନ୍ତ କରାଯାଇ ସତ୍ୟ ସାମ୍ନାକୁ ଅଣାଯାଉ ବୋଲି ପରିବାର ପକ୍ଷରୁ ଦାବି ହୋଇଛି।
By Charcha News












