ବାଲିଅନ୍ତା ହତ୍ୟାକାଣ୍ଡରେ ତତ୍ପର ପୁଲିସ, କ୍ରାଇମ ସ୍ପଟରେ ପହଞ୍ଚିଲେ ଡିଜି ଓ ଡିସିପି :
BY-SUBHASMITA-8.5.2026
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତାରେ ଯୁବକ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ବୀଭତ୍ସ ହତ୍ୟା ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଆଜି ସକାଳୁ ପୁଲିସ ଡିଜି ଓ ଡିସିପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କରିଛନ୍ତି । ସ୍ଥାନୀୟ ଆଇଆଇସିଙ୍କ ସହ ତଦନ୍ତର ପ୍ରଗତି ଓ ହତ୍ୟାକାଣ୍ଡର ପୂରା ଘଟଣାକ୍ରମ ବିଷୟରେ ଅଧିକାରୀମାନେ ଆଲୋଚନା କରିଥିଲେ । ପୁଲିସର ପ୍ରାଥମିକ ତଦନ୍ତ ଅନୁସାରେ, ସୌମ୍ୟରଞ୍ଜନଙ୍କୁ ଏକ ଦଳ ଦୁର୍ବୃତ୍ତ ନିର୍ମମ ଭାବେ ଆକ୍ରମଣ କରିଥିଲେ । ଘଟଣାରେ ଏପର୍ଯ୍ୟନ୍ତ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ, ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ସିସିଟିଭି ଫୁଟେଜ୍ ଆଧାରରେ ଚଢ଼ାଉ ଜାରି ରହିଛି । ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ କଡ଼ା ମନୋଭାବ ଦେଖାଇଛନ୍ତି । ଗତକାଲି ସେ ପୁଲିସ ମହାନିର୍ଦ୍ଦେଶକଙ୍କ ସହ ଆଲୋଚନା କରି ଦୋଷୀଙ୍କ ବିରୋଧରେ କଠୋର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏପରି ଘଟଣା ଆଗକୁ ପୁନରାବୃତ୍ତି ନହେବା ପାଇଁ ସତର୍କତାମୂଳକ ବ୍ୟବସ୍ଥା ନେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।
ଘଟଣାସ୍ଥଳରେ ଫରେନସିକ୍ ଟିମ୍ ମଧ୍ୟ ପହଞ୍ଚି ପ୍ରମାଣ ସଂଗ୍ରହ କରୁଥିବା ବେଳେ, ପୁଲିସ ଏହାକୁ ଗୁରୁତର ଅପରାଧ ଭାବେ ନେଇ ତଦନ୍ତକୁ ତ୍ୱରାନ୍ୱିତ କରିଛି । ବାଲିଅନ୍ତାର ଏହି ନିର୍ମମ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉତ୍ତେଜନାର ପରିବେଶ ସୃଷ୍ଟି ହୋଇଛି ।
ଚର୍ଚ୍ଚା news












