ହିଂସା କରିଥିଲେ ଭରିବେ କ୍ଷତି! ଅଟୋ ଚାଳକଙ୍କୁ ମନ୍ତ୍ରୀଙ୍କ ଚେତାବନୀ
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ରେ ଅନଲାଇନ୍ ଅଟୋ ଚାଳକଙ୍କ ଆନ୍ଦୋଳନ ବେଳେ ହିଂସା ଘଟଣାକୁ ନେଇ ଏବେ କଡ଼ା ଆଭିମୁଖ୍ୟ ନେଇଛନ୍ତି ସରକାର । ରାସ୍ତାରୋକ, ଭଙ୍ଗାରୁଜା ଓ ପୁଲିସ ସହ ମୁହାଁମୁହିଁ ଘଟଣାରେ ସମ୍ପୃକ୍ତ ଅଟୋ ଚାଳକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ ।
ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ରେ ଅନଲାଇନ୍ ଅଟୋ ଚାଳକଙ୍କ ଆନ୍ଦୋଳନ ବେଳେ ହିଂସା ଘଟଣାକୁ ନେଇ ଏବେ କଡ଼ା ଆଭିମୁଖ୍ୟ ନେଇଛନ୍ତି ସରକାର । ରାସ୍ତାରୋକ, ଭଙ୍ଗାରୁଜା ଓ ପୁଲିସ ସହ ମୁହାଁମୁହିଁ ଘଟଣାରେ ସମ୍ପୃକ୍ତ ଅଟୋ ଚାଳକଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏପରିକି ବିଶୃଙ୍ଖଳାରେ ସାମିଲ ଗାଡ଼ିଗୁଡ଼ିକର ପରମିଟ୍ ବାତିଲ କରିବାକୁ ପରିବହନ ବିଭାଗ ପଦକ୍ଷେପ ଆରମ୍ଭ କରିଛି ।
ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଯେଉଁ ଅଟୋ ଚାଳକମାନେ ଆଇନକୁ ହାତକୁ ନେଇଛନ୍ତି, ସାଧାରଣ ଲୋକଙ୍କୁ ଆକ୍ରମଣ କରିଛନ୍ତି କିମ୍ବା ସରକାରୀ ସମ୍ପତ୍ତି ଭାଙ୍ଗିଛନ୍ତି, ସେମାନେ ନିଜ କାର୍ଯ୍ୟର କ୍ଷତି ଭରିବେ । ଏଥିସହ ହିଂସାରେ ସମ୍ପୃକ୍ତ ଅଟୋ ଚାଳକଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା ସହ ଗାଡ଼ିର ଆର୍ସି ଓ ପରମିଟ୍ ବାତିଲ ହୋଇପାରେ ।
ଘଟଣାରେ ପୁଲିସ ଏପର୍ଯ୍ୟନ୍ତ ୧୧୩ ଜଣଙ୍କୁ କୋର୍ଟଚାଲାଣ କରିଥିବା ବେଳେ ଶତାଧିକ ଅଟୋ ଜବତ କରାଯାଇଛି । ଖାରବେଳ ଥାନାରେ ମୋଟ ୭ଟି ମାମଲା ରୁଜୁ ହୋଇଛି । ସାଧାରଣ ଲୋକଙ୍କ ପକ୍ଷରୁ ୨ଟି, ଆମ ବସ୍ କର୍ମଚାରୀଙ୍କ ପକ୍ଷରୁ ୪ଟି ଏବଂ ପୁଲିସ ପକ୍ଷରୁ ଗୋଟିଏ ମାମଲା ରୁଜୁ ହୋଇଛି ।
ପୁଲିସ ରେକର୍ଡ, ସିସିଟିଭି ଫୁଟେଜ୍ ଓ ଜବତ ତାଲିକା ଆଧାରରେ ରାସ୍ତାରୋକରେ ବ୍ୟବହୃତ ୪୦୦ରୁ ଅଧିକ ଅଟୋ ଚିହ୍ନଟ କରାଯାଇଥିବା କୁହାଯାଇଛି ।
ଭୁବନେଶ୍ୱର-୧ ଆର୍ଟିଓ ପକ୍ଷରୁ ସମ୍ପୃକ୍ତ ଗାଡ଼ିର ମାଲିକ ଓ ପରମିଟ୍ ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ବ୍ୟକ୍ତିଗତ ଶୁଣାଣି ପାଇଁ ସେମାନଙ୍କୁ ଆର୍ଟିଓ କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି । ଅନ୍ୟପଟେ ବେଆଇନ ଅଟୋ ଷ୍ଟାଣ୍ଡ ମଧ୍ୟ ଭଙ୍ଗାଯିବ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ତେଣୁ ଏହି ହିଂସା ପରେ ଏବେ ଅଟୋ ଚାଳକଙ୍କ ବିରୋଧରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ କେତେ କଠୋର ହେଉଛି, ତା’ଉପରେ ନଜର ।
ଚର୍ଚ୍ଚା tv











