ମାଲକାନଗିରିସ୍ଥିତ କୋରାପୁଟ ସେଣ୍ଟ୍ରାଲ କୋ-ଅପରେଟିଭ୍ (କେସିସି) ବ୍ୟାଙ୍କରୁ ସରକାରୀ ଅର୍ଥ ଆତ୍ମସାତ୍ ଘଟଣାରେ ଓଡ଼ିଶା ଭିଜିଲାନ୍ସ ତଦନ୍ତକୁ ଆହୁରି ତେଜ କରିଥିବା ବେଳେ ଆଜି ଏହି ମାମଲାରେ ଆଉ ଦୁଇଜଣ ଠକ ଦମ୍ପତିଙ୍କୁ ଗିରଫ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ସୁଶ୍ରୀ ନିବେଦିତା ତରାଇ ଓ ତାଙ୍କର ଲିଭ୍-ଇନ୍ ସହଭାଗୀ ନୃସିଂହ ପ୍ରସାଦ ଖମାରୀଙ୍କୁ ଗିରଫ କରାଯାଇଥିବା ବେଳେ ସେମାନେ ପୂର୍ବରୁ ଗିରଫ ହୋଇଥିବା କେସିସି ବ୍ୟାଙ୍କର ବ୍ରାଞ୍ଚ ମ୍ୟାନେଜର ସୁଧାଂଶୁ ଖୋରାଙ୍କ ସହ ମିଶି ପ୍ରାୟ ୧ କୋଟି ୮ ଲକ୍ଷ ଟଙ୍କାର ସରକାରୀ ଧନ ଆତ୍ମସାତ୍ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗ ରହିଛି। ସୁଧାଂଶୁ ଖୋରାଙ୍କୁ ଗତ ୫ ତାରିଖରେ ଭିଜିଲାନ୍ସ ଗିରଫ କରିଥିଲା ଏବଂ ବର୍ତ୍ତମାନ ସେ ପୋଲିସ ରିମାଣ୍ଡରେ ଥିବା ସମୟରେ ତାଙ୍କୁ ପଚରାଉଚରା କରାଯାଉଛି। ତଦନ୍ତ ସମୟରେ ଭିଜିଲାନ୍ସକୁ ମିଳିଥିବା ତଥ୍ୟ ଅନୁସାରେ, ସୁଧାଂଶୁ ଖୋରା ଚତୁରାଇର ସହିତ ଆତ୍ମସାତ୍ ହୋଇଥିବା ଟଙ୍କାରୁ ପ୍ରାୟ ୬୩ ଲକ୍ଷ ଟଙ୍କା ସୁଶ୍ରୀ ନିବେଦିତା ତରାଇ ଓ ନୃସିଂହ ଖମାରୀଙ୍କ ଖାତାକୁ ପଠାଇଥିଲେ, ଯାହା ମାଧ୍ୟମରେ ଅପରାଧର ପ୍ରମାଣ ଲୁଚାଇବାକୁ ଚେଷ୍ଟା କରାଯାଇଥିବା ସନ୍ଦେହ କରାଯାଉଛି। ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି ଯେ, ସୁଧାଂଶୁ ଖୋରା ସୋସିଆଲ୍ ମିଡିଆ ଫେସବୁକ୍ ମାଧ୍ୟମରେ ସୁଶ୍ରୀ ନିବେଦିତା ତରାଇ ଅର୍ଥାତ୍ ସୁଶ୍ରୀ ସୁଲଗ୍ନାଙ୍କ ସହ ପରିଚିତ ହୋଇଥିଲେ ଏବଂ ପରେ ଦୁହେଁ ମିଶି ବ୍ୟାଙ୍କ ଧନ ଆତ୍ମସାତ୍ କରିବାକୁ ଚକ୍ରାନ୍ତ ରଚିଥିଲେ। ନୃସିଂହ ଖମାରୀ ଦୀର୍ଘଦିନ ଧରି ନିବେଦିତାଙ୍କ ସହ ଲିଭ୍-ଇନ୍ ସମ୍ପର୍କରେ ଥିବା ସୂଚନା ମଧ୍ୟ ମିଳିଛି। ଏହି ଠକ ଯୁଗଳଙ୍କୁ ପଚରାଉଚରା କରିବା ପରେ ଭିଜିଲାନ୍ସ ଜାଣିବାକୁ ପାଇଛି ଯେ ସେମାନେ ପେଶାଦାର ଠକ ଚକ୍ରର ସଦସ୍ୟ ହୋଇଥାଇପାରନ୍ତି ଏବଂ ଅନେକ ସ୍ଥାନରେ ଏପରି ଆର୍ଥିକ ଠକେଇରେ ଜଡିତ ରହିଥିବା ସନ୍ଦେହ ରହିଛି। ବେଙ୍ଗାଲୁରୁ ପୋଲିସ କମିଶନରେଟ୍ରେ ନୃସିଂହ ଖମାରୀଙ୍କ ନାମରେ ୧୪ ଲକ୍ଷ ଟଙ୍କା ଠକେଇ ମାମଲା ରୁଜୁ ହୋଇଥିବା ସୂଚନା ମିଳିଥିବା ବେଳେ, ଜଗତସିଂହପୁରରେ ପ୍ରାୟ ୩୦ ଲକ୍ଷ ଟଙ୍କାର ଆଉ ଗୋଟିଏ ଠକେଇ ଘଟଣାରେ ମଧ୍ୟ ସେମାନଙ୍କ ସଂପୃକ୍ତି ଥିବା ଅଭିଯୋଗ ଆସିଛି। ଏହା ସହିତ ବାରିପଦା, ପାରାଦୀପ ଓ ଭୁବନେଶ୍ୱରରେ ମଧ୍ୟ ଏହି ଯୁଗଳ ଦ୍ୱାରା ଏକାଧିକ ଠକେଇ ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ଭିଜିଲାନ୍ସ ବର୍ତ୍ତମାନ ସେମାନଙ୍କର ବିଭିନ୍ନ ବ୍ୟାଙ୍କରେ ଥିବା ୨୫ଟି ବ୍ୟାଙ୍କ ଖାତାକୁ ଯାଞ୍ଚ କରୁଥିବା ବେଳେ ଆର୍ଥିକ ଓ ବ୍ୟାଙ୍କିଂ ବିଶେଷଜ୍ଞମାନେ ଟଙ୍କାର ଲେନଦେନ ଓ ଅନ୍ୟାନ୍ୟ ଠକେଇ ସମ୍ପର୍କରେ ତଦନ୍ତ କରୁଛନ୍ତି। ସେହିପରି ସେମାନଙ୍କ ନାମରେ ଥିବା ୧୨ଟି ଷ୍ଟକ୍ ଟ୍ରେଡିଂ ଆକାଉଣ୍ଟ ମଧ୍ୟ ଖୋଜଖବର ନିଆଯାଉଛି। ଭୁବନେଶ୍ୱର ଓ ଖୋର୍ଦ୍ଧାରେ ହୋଇଥିବା ଚଢ଼ାଉ ସମୟରେ ୩୩ଟି ମୋବାଇଲ୍ ଫୋନ୍, ଯାହାମଧ୍ୟରୁ ୨୭ଟିକୁ ଅପରାଧର ପ୍ରମାଣ ନଷ୍ଟ କରିବା ପାଇଁ ଭାଙ୍ଗିଦିଆଯାଇଥିବା ଜଣାପଡ଼ିଛି, ସେଗୁଡ଼ିକୁ ଜବତ କରାଯାଇଛି। ଏଥିସହ ଡେସ୍କଟପ୍, ଟାବ୍, ଆତ୍ମସାତ୍ ଟଙ୍କାରେ କିଣାଯାଇଥିବା ସୁନା ଗହଣା, ଡ୍ରୋନ୍, ଉଚ୍ଚମାନର କ୍ୟାମେରା ସହ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ ହୋଇଛି। ଭିଜିଲାନ୍ସର ପ୍ରାରମ୍ଭିକ ତଦନ୍ତରୁ ସୁଧାଂଶୁ ଖୋରା ଓ ସୁଶ୍ରୀ ନିବେଦିତା ତରାଇ ଏକ ସଂଗଠିତ ଠକ ଚକ୍ର ଚାଳନା କରୁଥିବା ଏବଂ ଠକେଇ ମାଧ୍ୟମରେ ଅବୈଧ ଭାବେ ସମ୍ପତ୍ତି ସଂଗ୍ରହ କରୁଥିବା ସନ୍ଦେହ ପ୍ରକାଶ ପାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ଚର୍ଚ୍ଚା news












