BY- ରାଜୀବ କୁମାର ବେହେରା
ଉଦଳା : ଜଙ୍ଗଲୀ ହିଂସ୍ର ଜୀବଜନ୍ତୁ ଏବେ ଗ୍ରାମ ବସତି ମୁହାଁ। ଗାଁ ଭିତରେ ବଣୁଆ ଭାଲୁର ଆତଙ୍କ। ଭୟଭୀତ ଗ୍ରାମବାସୀ। ଭାଲୁ ଭୟରେ ଗ୍ରାମରେ ଅରାନ୍ଧ ଅବାଢ଼ ପରିସ୍ଥିତି। ଖାଇବା ପିଇବା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିବା ବେଳେ ଘର ପାଖ ବୁଦାମୂଳରେ ଛପି ବସିଛି ବଣୁଆ ଭାଲୁ। ଭାଲୁକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ମଧ୍ୟ ଲାଗିଛି।
ଟିକେ ଏହି ଦୃଶ୍ୟ ଉପରେ ନଜର ପକାନ୍ତୁ। ଘଟଣାଟି ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବନବିଭାଗ ଖୁଣ୍ଟା ରେଞ୍ଜ ଅଧୀନ କୁଶୋଳଦା ଗ୍ରାମରେ। ସକାଳୁ ସକାଳୁ ଏକ ବିରାଟକାୟ ବଣୁଆ ଭାଲୁ ଗାଁ ଭିତରକୁ ପଶି ଆସିଥିବା ବେଳେ ଘର ନିକଟରେ ଶୌଚ ପାଇଁ ଯାଉଥିବା ଜଣେ ମହିଳା ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଛନ୍ତି।
ଭାଲୁଟି ମହିଳାଙ୍କ ବାମ ଆଖିକୁ ଗୁରୁତର ଭାବେ ଆହତ କରିଥିବା ସୂଚନା ମିଳିଛି। ପ୍ରଥମେ ତାଙ୍କୁ ଉଦଳା ମେଡିକାଲ ଏବଂ ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାରିପଦା ପିଆରଏମ୍ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହିଭଳି ଅନ୍ୟ ଜଣେ ପୁରୁଷ ମଧ୍ୟ ଭାଲୁ ଆକ୍ରମଣରେ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି। ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି। ଖବର ପାଇ ଉଦଳା ଓ ବାରିପଦା ବନବିଭାଗ ଅଧିକାରୀ, ଉଦ୍ଧାରକାରୀ ଦଳ ଏବଂ ପୋଲିସ ବାହିନୀ ପହଞ୍ଚି ଲୋକଙ୍କୁ ଭାଲୁ ନିକଟକୁ ଯିବାକୁ ବାରଣ କରିବା ସହ ଭାଲୁର ଗତିବିଧି ଉପରେ କଡା ନଜର ରଖିଛନ୍ତି, ଭାଲୁକୁ ଘଉଡ଼ାଇବା ପ୍ରୟାସ ଜାରି ରଖିଛି l ଲୋକଙ୍କ ଭିତରେ ଆତଙ୍କ ଖେଳି ଯାଇଛି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଖେଳିଯାଇଥିବା ବେଳେ ଲୋକମାନେ ଘରୁ ବାହାରିବାକୁ ମଧ୍ୟ ଭୟ କରୁଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକମାନଙ୍କ ଦାବି ବନବିଭାଗ ତୁରନ୍ତ ପଦକ୍ଷେପ ନେଇ ଭାଲୁକୁ କାବୁ କରିବା ସହ ଗ୍ରାମବାସୀଙ୍କ ସୁରକ୍ଷା ନିଶ୍ଚିତ କରୁ। ଆହତ ମହିଳାଙ୍କ ଶୀଘ୍ର ସୁସ୍ଥତା ପାଇଁ ପ୍ରାର୍ଥନା ।
ଚର୍ଚ୍ଚା news












