BY-ରାଜୀବ କୁମାର ବେହେରା
ମୟୂରଭଞ୍ଜ : ଭୀମଦା ଫାଣ୍ଡିର ଜରାଜୀର୍ଣ୍ଣ ଅବସ୍ଥାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଚିନ୍ତା ପ୍ରକାଶ ପାଇଛି। ପ୍ରାୟ ୫୦ ବର୍ଷ ପୂର୍ବରୁ ସ୍ଥାପିତ ଏହି ଫାଣ୍ଡି ଭବନ ଏବେ ଅତ୍ୟନ୍ତ ଖରାପ ଅବସ୍ଥାରେ ପହଞ୍ଚିଛି । କାଳବୈଶାଖୀ ଝଡ଼ରେ ଅଧିକ କ୍ଷତି ହେବାରୁ ଏହାର ଅବସ୍ଥା ଆହୁରି ଜଟିଳ ହୋଇପଡ଼ିଛି। ସ୍ଥାନୀୟ ଲୋକଙ୍କ ମତାନୁସାରେ, ଏହି ଭବନରେ କାର୍ଯ୍ୟ କରିବା ଏବେ ପୋଲିସ କର୍ମଚାରୀଙ୍କ ପାଇଁ ମଧ୍ୟ ଅସୁରକ୍ଷିତ ହୋଇପଡ଼ିଛି। ପୂର୍ବରୁ ମଧ୍ୟ ଏହାର ରକ୍ଷା-ମରାମତି ଅଭାବ ଥିବା ସତ୍ତ୍ୱେ ଫାଣ୍ଡିର କାର୍ଯ୍ୟ ଜେନ-ତେନ ଭାବେ ଚାଲିଥିଲା। ଏହି ପରିସ୍ଥିତିରେ ଭୀମଦା ପଞ୍ଚାୟତର ଯୁବ ସରପଞ୍ଚ ଶ୍ରୀ ଭୀମ ସିଂ ସ୍ଥାନୀୟ ଲୋକଙ୍କ ସହ ଫାଣ୍ଡି ପରିଦର୍ଶନ କରି ଅବସ୍ଥା ନିରୀକ୍ଷଣ କରିଥିଲେ। ପରେ ସେ ମୟୂରଭଞ୍ଜ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ଏ.ଡି.ଏମ.) ଶ୍ରୀ ନେତ୍ରାନନ୍ଦ ମଲ୍ଲିକଙ୍କୁ ଭେଟି ଫାଣ୍ଡିର ସମସ୍ୟା ସମ୍ପର୍କରେ ଲିଖିତ ଅଭିଯୋଗ ପ୍ରଦାନ କରିଥିଲେ । ଏହା ଉପରେ ଏ.ଡି.ଏମ. ଶ୍ରୀ ମଲ୍ଲିକ ତୁରନ୍ତ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଇବେ ବୋଲି ଆଶ୍ୱାସନ ଦେଇଛନ୍ତି। ସେପଟେ ଫାଣ୍ଡି ଅଧିକାରୀ ମାଝୀ ବାବୁ କହିଛନ୍ତି ଯେ, ପୂର୍ବରୁ ମଧ୍ୟ ଉପରସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଛି ଏବଂ ନୂତନ ଭବନ ପାଇଁ ସ୍ଥାନୀୟ ପ୍ରଶାସନ ସହଯୋଗ ଆବଶ୍ୟକ । ସ୍ଥାନୀୟ ଲୋକଙ୍କ ଆଶା, ଖୁବ୍ ଶୀଘ୍ର ନୂତନ ସ୍ଥାନ ଚିହ୍ନଟ କରି ଫାଣ୍ଡି ପାଇଁ ସୁରକ୍ଷିତ ଭବନ ନିର୍ମାଣ କରାଯିବ ।
ଚର୍ଚ୍ଚା NEWS












