BY -ରାଜୀବ କୁମାର ବେହେରା
ଉଦଳା : ମୟୁରଭଞ୍ଜ ଜିଲ୍ଲା ଉଦଳା ଅଞ୍ଚଳରେ ବେଆଇନ ଦେଶୀ ମହୁଲି ମଦ କାରବାର ବିରୋଧରେ ଅବକାରୀ ବିଭାଗ ପକ୍ଷରୁ ବଡ଼ ଧରଣର ଚଢ଼ାଉ କରାଯାଇଛି। ଉଦଳା ଥାନା ଅଧୀନ ଆଦାପାଳ ଗ୍ରାମ ଓ ଜୁଆଳିଆ ଜଙ୍ଗଲ ନଦୀପଠାରେ ଗଢ଼ିଉଠିଥିବା ବେଆଇନ ମଦ କାରଖାନା ଉପରେ ହୋଇଥିବା ଏହି ଅତର୍କିତ ଚଢ଼ାଉରେ ବିପୁଳ ପରିମାଣର ମହୁଲ ପୋଚ ଓ ଦେଶୀ ମଦ ଜବତ ହୋଇଥିବା ବେଳେ ସମଗ୍ର କାରଖାନାକୁ ଧ୍ୱଂସ କରାଯାଇଛି।
ଗୁପ୍ତ ସୂଚନା ପାଇ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଉଦଳା, ବାରିପଦା, ବେତନଟୀ ଓ ଖୁଣ୍ଟା ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢ଼ାଉ କରାଯାଇଥିଲା। ହଠାତ୍ ଜଙ୍ଗଲ ଭିତରେ ଅବକାରୀ ବିଭାଗର ଟିମ୍ ପହଞ୍ଚିବା ପରେ ମଦ ମାଫିଆଙ୍କ ମଧ୍ୟରେ ଛନକା ପସିଯାଇଥିଲା। ଚଢ଼ାଉ ଦେଖି ଅନେକ ମାଫିଆ ଘଟଣାସ୍ଥଳରୁ ଫେରାର ମାରିଥିବା ଜଣାପଡ଼ିଛି।
ଚଢ଼ାଉ ସମୟରେ ପ୍ରାୟ ୧୩ ହଜାର ୩୦୦ କିଲୋ ମହୁଲ ପୋଚ ନଷ୍ଟ କରାଯାଇଥିବା ବେଳେ ୧୧୨୦ ଲିଟର ଦେଶୀ ମହୁଲି ମଦ ଜବତ କରାଯାଇଛି। ସେଥିସହ ମଦ ପ୍ରସ୍ତୁତିରେ ବ୍ୟବହୃତ ଡ୍ରମ, ଭାଟି ଓ ଅନ୍ୟାନ୍ୟ ସାମଗ୍ରୀକୁ ମଧ୍ୟ ଧ୍ୱଂସ କରାଯାଇଛି।
କିଛି ଦିନ ଧରି ନିଷ୍କ୍ରିୟ ଥିବା ଉଦଳା ଅବକାରୀ ବିଭାଗ ଏବେ ଆକ୍ସନ ମୋଡକୁ ଆସିଥିବା ଦେଖିବାକୁ ମିଳିଛି। ବେତନଟୀରୁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ଅଧିକାରୀଙ୍କ ନେତୃତ୍ୱରେ ବେଆଇନ ମଦ କାରବାର ବିରୋଧରେ ଲଗାତାର ଚଢ଼ାଉ ଜାରି ରହିଛି। ତେବେ ଏହି ଚଢ଼ାଉରେ କୌଣସି ମଦ ମାଫିଆ ଗିରଫ ହୋଇନଥିବା ସୂଚନା ମିଳିଛି। ତଥାପି ଅବକାରୀ ବିଭାଗର ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପରେ ମଦ ମାଫିଆଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି ହୋଇଛି। ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରହିବ ବୋଲି ନୂତନ OIC ସୂଚନା ଦେଇଛନ୍ତି ।
ଚର୍ଚ୍ଚା news












