BY-ରାଜୀବ କୁମାର ବେହେରା
ଉଦଳା: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବନାଞ୍ଚଳ ଅଧୀନ ବୈରାଟପୁର ଗ୍ରାମରେ ଗାଁ ଭିତରେ ଏକ ବିଶାଳକାୟ ଭାଲୁ ପ୍ରବେଶ କରି ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ପରିବେଶ ସୃଷ୍ଟି କରିଛି।
ସ୍ଥାନୀୟ ସୂଚନା ଅନୁସାରେ, ସଞ୍ଜ ସମୟରେ ନଦୀ ପଟୁ ଗାଁ ଭିତରକୁ ପ୍ରବେଶ କରିଥିବା ଭାଲୁଟି ରାତି ତମାମ ଗାଁ ଦାଣ୍ଡ, ମନ୍ଦିର ଛକ ଏବଂ ପାଖ ଅଞ୍ଚଳରେ ଚଲାବୁଲା କରିଥିଲା। ଏହି ସମୟରେ କୁକୁରମାନେ ଭୁକିବାରୁ ଲୋକେ ସଚେତନ ହୋଇ ନିଜ ଘର ଭିତରେ ରହିଥିଲେ। ଭାଲୁ ଗାଁ ଭିତରେ ଘୂରୁଥିବା ଦୃଶ୍ୟ ସିସିଟିଭି କ୍ୟାମେରାରେ ଧରାପଡ଼ିଛି, ଯାହା ଏବେ ସୋସିଆଲ ମିଡିଆରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସୌଭାଗ୍ୟବଶତଃ ଏହି ଘଟଣାରେ କୌଣସି ଲୋକଙ୍କ କ୍ଷତି ହୋଇନାହିଁ।
ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କିଛିଦିନ ପୂର୍ବରୁ ନିକଟସ୍ଥ ଡାଗୱେଲ ଅଞ୍ଚଳରେ ଧରାପଡ଼ିଥିବା ଭାଲୁକୁ ବୈରାଟପୁର ପାଖରେ ଛଡ଼ାଯାଇଥିଲା। ସେହି ଭାଲୁଟି ହୋଇପାରେ ପୁଣି ଗାଁ ଭିତରକୁ ପ୍ରବେଶ କରୁଥିବା ଆଶଙ୍କା ବ୍ୟକ୍ତ ହେଉଛି।
ଏହି ଘଟଣା ପରେ ଅଞ୍ଚଳରେ ଭୟ ଓ ଅସ୍ଥିରତା ବଢ଼ିଛି। ଗ୍ରାମବାସୀମାନେ ବନ ବିଭାଗକୁ ତୁରନ୍ତ ହସ୍ତକ୍ଷେପ କରି ଭାଲୁକୁ ସୁରକ୍ଷିତ ଭାବେ ଧରି ଜଙ୍ଗଲରେ ଛାଡ଼ିବାକୁ ଦାବି କରିଛନ୍ତି। ତେବେ ଖବର ପାଇ ବନବିଭାଗ ଟିମ ପହଂଚି ଭାଲୁର ଗତିବିଧି ଉପରେ ନଜର ରଖି ଧରିବାକୁ ପ୍ରୟାସ ଜାରି ରଖିଛି |
ଚର୍ଚ୍ଚା news












