ଗୁଣ୍ଡିଚା ମନ୍ଦିରର ନବଦିନାତ୍ମକ ଲୀଳା ସାଙ୍ଗ କରି ଶରଧାବାଲିରୁ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିଛି ତିନି ରଥ । ଜୟ ଜଗନ୍ନାଥ ଧ୍ୱନି, ହରିବୋଲ, ହୁଳହୁଳି ଓ କାହାଳିର ଶବ୍ଦରେ କମ୍ପିଉଠୁଛି ଶ୍ରୀକ୍ଷେତ୍ର । ଗୁଣ୍ଡିଚା ମନ୍ଦିରରୁ ଆଜ୍ଞାମାଳ ପାଇବା ପରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ ରଥ ଗଡ଼ିବା ଆରମ୍ଭ ହୋଇଛି ।
୯ ଦିନର ଲୀଳାଖେଳା ସାରି ଆଜି ରତ୍ନ ବେଦିକୁ ବାହୁଡ଼ୁଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ନିର୍ଦ୍ଧାରିତ ସମୟରେ ରଥଟଣା ଆରମ୍ଭ ହୋଇଛି । ପ୍ରଥମେ ତାଳଧ୍ୱଜ ରଥ ଶ୍ରୀମନ୍ଦିର ଅଭିମୁଖେ ଗଡ଼ିବା ଆରମ୍ଭ କରିଛି ।
ପରମ୍ପରା ଓ ନୀତିକାନ୍ତି ଅନୁସାରେ, ଶ୍ରୀଜିଉମାନଙ୍କ ସକାଳ ଧୂପ, ମଙ୍ଗଳାର୍ପଣ ଓ ପହଣ୍ଡି ବିଜେ ନୀତି ସମ୍ପନ୍ନ ହେବା ପରେ ରଥ ଉପରେ ରଥପ୍ରତିଷ୍ଠା ଓ ଶ୍ରୀବିଗ୍ରହମାନଙ୍କୁ ଆଜ୍ଞାମାଳ ବିଜେ କରାଯାଇଥିଲା । ଗଜପତି ମହାରାଜାଙ୍କ ଦ୍ୱାରା ରାଜକୀୟ ଛେରାପହଁରା ନୀତି ପୂରଣ ହେବା କ୍ଷଣି ଶରଧାବାଲିରେ ଉପସ୍ଥିତ ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଛି ।
ସମୁଦ୍ର ବାଲିରେ ଶୋଭାପାଉଥିବା ବଡ଼ଦାଣ୍ଡ ଆଜି କେବଳ ଜୟ ଜଗନ୍ନାଥ ନାଦରେ ପ୍ରତିଧ୍ୱନିତ ହେଉଛି । ଘଣ୍ଟ, କାହାଳି, ଝାଞ୍ଜର ତାଳେ ତାଳେ ଏବଂ ଭକ୍ତମାନଙ୍କ ଭାବପୂର୍ଣ୍ଣ ହାତର ଟାଣରେ ଗୋଟିଏ ପରେ ଗୋଟିଏ ରଥ ଶ୍ରୀମନ୍ଦିର ଅଭିମୁଖେ ଆଗେଇ ଚାଲିଛି ।
ବାହୁଡ଼ା ଯାତ୍ରାର ଏହି ଅନନ୍ୟ ମୁହୂର୍ତ୍ତକୁ ଆଖିପୁରାଇ ଦେଖିବା ଏବଂ ରଥଦଉଡ଼ି ଟିକିଏ ଛୁଇଁ ଆତ୍ମାକୁ ପବିତ୍ର କରିବା ପାଇଁ ଶ୍ରୀକ୍ଷେତ୍ରରେ ଜନସମୁଦ୍ର ସୃଷ୍ଟି ହୋଇଛି । ଶରଧାବାଲିରୁ ଆରମ୍ଭ ହୋଇଥିବା ଏହି ଦିବ୍ୟ ଯାତ୍ରା ସିଂହଦ୍ୱାରରେ ପହଞ୍ଚିବା ପରେ ସେଠାରେ ସୁନାବେଶ, ଅଧରପଣା ଓ ଶେଷରେ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହେବ ।
ଚର୍ଚ୍ଚା news












