by-ରାଜୀବ କୁମାର ବେହେରା
ଉଦଳା :ମୟୁରଭଞ୍ଜ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଉଦଳା ସହର ଓ ଏହାର ଆଖପାଖ ଅଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ସାଧାରଣ ଜନଜୀବନ ସମ୍ପୂର୍ଣ୍ଣ ବ୍ୟାହତ ହୋଇପଡ଼ିଛି। ସହରର ଅନେକ ୱାର୍ଡରେ ଘରେ ପାଣି ପଶିବା ସହ ବହୁ ପରିବାର ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ସେହିପରି ଉଦଳା ବ୍ଲକର ଭୀମତାଳି ପଞ୍ଚାୟତ ସମେତ ନୂଆସାହି, ବାଉଁଶପାଳ, କଇଁସାରି ଓ ଜାଲଦା ଅଞ୍ଚଳରେ ମଧ୍ୟ ବନ୍ୟାର ପ୍ରଭାବ ଗୁରୁତର ହୋଇଛି।
ସୋମବାର ବିଳମ୍ବିତ ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷା ପ୍ରାୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିବାରୁ ଉଦଳା ଏନଏସି ଓ ବ୍ଲକ ଅଞ୍ଚଳରେ ପରିସ୍ଥିତି ସଙ୍ଗୀନ ହୋଇପଡ଼ିଛି। ଉଦଳା ଏନଏସିର ଗୋଟେ ଦୁଇଟି ୱାର୍ଡ ଛାଡିଦେଲେ ପ୍ରାୟ ୧୦ ଟି ୱାର୍ଡରେ ବର୍ଷାଜଳ ନିଷ୍କାସନ ହୋଇନପାରି ଘର ଭିତରକୁ ପାଣି ପଶିଯାଇଛି। ଫଳରେ ବହୁ ପରିବାର ଜଳବନ୍ଦୀ ହୋଇଥିବା ବେଳେ ଆସବାବପତ୍ର ଓ ଘରୋଇ ସାମଗ୍ରୀ କ୍ଷତିଗ୍ରସ୍ତ ହୋଇଛି।
ସହରରେ ଅପର୍ଯ୍ୟାପ୍ତ ଡ୍ରେନେଜ୍ ବ୍ୟବସ୍ଥା, ବନ୍ଦ ଡ୍ରେନ୍ ଓ ଅନେକ ସ୍ଥାନରେ ଡ୍ରେନ୍ର ଅଭାବକୁ କୃତ୍ରିମ ବନ୍ୟାର ମୁଖ୍ୟ କାରଣ ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି।
ଉଦଳା ବ୍ଲକର ନୂଆସାହି, ବାଉଁଶପାଳ, କଇଁସାରି, ଜାଲଦା ଓ ଭୀମତାଳି ପଞ୍ଚାୟତରେ ବର୍ଷା ପାଣି ଘରେ ପଶିବାରୁ ଲୋକଙ୍କ ପାଇଁ ଘରୁ ବାହାରିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ବାଉଁଶପାଳରେ ଦୁଇଟି ଘର ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଥିବା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଓ ସୁଭଦ୍ରା ଶକ୍ତି ଗୃହ ମଧ୍ୟ ପାଣିରେ ବୁଡ଼ିଯାଇଛି। ବାଉଁଶପାଳ-ବହୁବନ୍ଧ ସଂଯୋଗକାରୀ ପୋଲ ଉପରେ ପ୍ରାୟ ୬ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେବାରୁ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି ଏବଂ ଏକର ଏକର ଚାଷଜମି ପାଣିରେ ବୁଡ଼ି ଫସଲ କ୍ଷତିଗ୍ରସ୍ତ ହୋଇଛି।
ଏପଟେ ଉଦଳା-ବାଲେଶ୍ୱର ଭାୟା ଜୟପୁର ରାସ୍ତାର କଇଁସାରି ଦେଓ ନଦୀର ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ପ୍ରାୟ ୮ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି। ସେହିପରି କୋଚିଳାଡ଼ିହା-ଗୋଡ଼ା ନିକଟସ୍ଥ ଟାଙ୍ଗଣା ନଦୀର ଅସ୍ଥାୟୀ ପୋଲ ଭାସିଯିବାରୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଉପରମୁଣ୍ଡରେ ବର୍ଷା ଜାରି ରହିଥିବାରୁ ସୋନ ନଦୀ ଓ ଏହାର ଶାଖା ନଦୀଗୁଡ଼ିକରେ ବନ୍ୟା ଆଶଙ୍କା ବଢ଼ିଥିବାରୁ ନଦୀକୂଳିଆ ଅଞ୍ଚଳରେ ଚିନ୍ତା ବଢ଼ିଛି।
ତେବେ ବିପର୍ଯ୍ୟସ୍ତ ଡ୍ରେନେଜ୍ ବ୍ୟବସ୍ଥା ଓ ଅନେକ ସ୍ଥାନରେ ଡ୍ରେନ୍ ନଥିବାରୁ ସହରରେ କୃତ୍ରିମ ବନ୍ୟା ସ୍ଥିତି ସୃଷ୍ଟି ହୋଇଥିବା ନେଇ ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।
ଅନ୍ୟପଟେ, ଉଦଳା ଏନଏସିର ୨ ନମ୍ବର ୱାର୍ଡରେ ଏକ ଘରର କାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ଅଳ୍ପକେ ପରିବାର ସଦସ୍ୟମାନେ ଜୀବନ ରକ୍ଷା କରିଥିବା ସୂଚନା ମିଳିଛି ।
ଚର୍ଚ୍ଚା TV












