ନୂଆଘାଇ ନାଳର ଜଳସ୍ତର ବୃଦ୍ଧି ପାଇବା ସହ ଏହା କୂଳ ଲଙ୍ଘିବା ଫଳରେ ବାଗଡିଆ-ସରପାଳ ରାସ୍ତାରେ ଥିବା ପ୍ରସିଦ୍ଧ ବାଟବାୟାଣୀ ମନ୍ଦିରର ଭୋଗମଣ୍ଡପ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି ।
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଲଗାଣ ବର୍ଷା ଓ ବନ୍ୟା ଜଳର ପ୍ରଖର ସ୍ରୋତ ବିଭୀଷିକା ସୃଷ୍ଟି କରିଛି । ନୂଆଘାଇ ନାଳର ଜଳସ୍ତର ବୃଦ୍ଧି ପାଇବା ସହ ଏହା କୂଳ ଲଙ୍ଘିବା ଫଳରେ ବାଗଡିଆ-ସରପାଳ ରାସ୍ତାରେ ଥିବା ପ୍ରସିଦ୍ଧ ବାଟବାୟାଣୀ ମନ୍ଦିରର ଭୋଗମଣ୍ଡପ ସମ୍ପୂର୍ଣ୍ଣ ଭାବେ ଭୁଶୁଡି ପଡିଛି । ନାଳର ପ୍ରଖର ସ୍ରୋତରେ କୂଳ ଲଗାତାର ଭାବେ ଧୋଇ ହେଉଥିବାରୁ ବର୍ତ୍ତମାନ ମୁଖ୍ୟ ବାଟବାୟାଣୀ ମନ୍ଦିର ପ୍ରତି ମଧ୍ୟ ବିପଦ ଘନେଇବାରେ ଲାଗିଛି ।
ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ମନ୍ଦିର ପ୍ରତି ବିପଦ ଥିବା ନେଇ ପୂର୍ବରୁ ପ୍ରଶାସନକୁ ବାରମ୍ବାର ଅବଗତ କରାଯାଇଥିଲା । କିନ୍ତୁ ପ୍ରଶାସନିକ ସ୍ତରରେ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇ ନଥିବାରୁ ଆଜି ଏଭଳି ଅଘଟଣ ଘଟିଛି । ଭୋଗମଣ୍ଡପ ଭୁଶୁଡିବା ପରେ ଏବେ ଯେକୌଣସି ମୁହୂର୍ତ୍ତରେ ମୁଖ୍ୟ ମନ୍ଦିର ପ୍ରଭାବିତ ହେବାର ଆଶଙ୍କା ରହିଛି ।
ଅନ୍ୟପଟେ, ବନ୍ୟା ଜଳ ଯୋଗୁଁ ନୂଆଘାଇ ନାଳ ଉପରେ ଥିବା ପୋଲର ଆପ୍ରୋଚ୍ ରୋଡ୍ ବା ସଂଯୋଗକାରୀ ରାସ୍ତା ଧୋଇ ହେବାରେ ଲାଗିଛି । ଏହା ଫଳରେ ସରପାଳ ଗ୍ରାମର ବାହ୍ୟଜଗତ ସହ ଯୋଗାଯୋଗ ବିଚ୍ଛିନ୍ନ ହେବା ସ୍ଥିତି ସୃଷ୍ଟି ହୋଇଛି । ଯଦି ଯୁଦ୍ଧକାଳୀନ ଭିତ୍ତିରେ ପୋଲ ଓ ରାସ୍ତାର ମରାମତି କରାନଯାଏ, ତେବେ ସରପାଳ ଗ୍ରାମ ସମ୍ପୂର୍ଣ୍ଣ ରୂପେ ବିଚ୍ଛିନ୍ନ ହୋଇପଡ଼ିବ। ତୁରନ୍ତ ଏହି ସମସ୍ୟାର ସମାଧାନ କରିବାକୁ ଏବଂ ମନ୍ଦିରର ସୁରକ୍ଷା ପାଇଁ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।
ଚର୍ଚ୍ଚା news











