ମଦ ପିଇ ମାରଧର କରୁଥିଲେ
ପୁଅ ଝିଅ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ !
ମଦ୍ୟପାନକୁ ନେଇ ପାରିବାରିକ କଳହ, ଆଳିରେ ଚାଞ୍ଚଲ୍ୟ
BY-SUBHASMITA-DT-09-10-2026
ପରିବାର ଭିତରେ ଦୀର୍ଘଦିନର ଅଶାନ୍ତି, ଆଉ ଏବେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ହଇଚଇ । କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ଚଣ୍ଡିଆଗଡ଼ି ପଞ୍ଚାୟତର ମାଳପାଟଣା ଗାଁରେ ଘଟିଛି ଏହି ଚାଞ୍ଚଲ୍ୟକର ଘଟଣା। ମୃତକ ନିରଞ୍ଜନ ସାହୁଙ୍କୁ ତାଙ୍କ ସ୍ତ୍ରୀ, ପୁଅ ଓ ଝିଅ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି।
ସୂଚନା ଅନୁସାରେ, ନିରଞ୍ଜନ ପ୍ରତିଦିନ ମଦ ପିଇ ଘରେ ପାଟିତୁଣ୍ଡ କରିବା ସହ ପୁଅ ଓ ଝିଅଙ୍କୁ ମାରଧର କରୁଥିବା ଅଭିଯୋଗ ରହିଥିଲା। ଏହାକୁ ନେଇ ପୂର୍ବରୁ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା। ପରେ ନିରଞ୍ଜନ ଗିରଫ ହୋଇ ଜେଲ ଯାଇଥିବା ସୂଚନା ମିଳିଛି। ତେବେ ଜେଲରୁ ଫେରିବା ପରେ ମଧ୍ୟ ପରିବାରରେ ଅଶାନ୍ତି ଲାଗି ରହିଥିବା କୁହାଯାଉଛି।
ଅଭିଯୋଗ ଅନୁସାରେ, ନିରଞ୍ଜନ ନିଜ ଝିଅଙ୍କ ପ୍ରତି ଅଶୋଭନୀୟ ବ୍ୟବହାର କରୁଥିବାରୁ ପରିବାରରେ ଅସନ୍ତୋଷ ଆହୁରି ବଢ଼ିଥିଲା। ଗତକାଲି ରାତିରେ ନିରଞ୍ଜନ ମଦ ପିଇ ଘରେ ପାଟିତୁଣ୍ଡ କରିଥିଲେ। ପରେ ସେ ଶୋଇପଡ଼ିବା ପରେ ତାଙ୍କ ସ୍ତ୍ରୀ ମନୋରମା ସାହୁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପରେ ପୁଅ ଓ ଝିଅଙ୍କ ସହାୟତାରେ ହତ୍ୟା କରାଯାଇଥିବା ନେଇ ପୁଲିସ ନିକଟରେ ଅଭିଯୋଗ ହୋଇଛି।
ଘଟଣା ପରେ ନିରଞ୍ଜନଙ୍କ ମୃତଦେହ ଘର ସମ୍ମୁଖରେ ପଡ଼ିଥିବା ଜଣାପଡ଼ିଛି। ଖବର ପାଇ ଆଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅନ୍ୟପଟେ, ମୃତକଙ୍କ ସ୍ତ୍ରୀ ମନୋରମା ସାହୁଙ୍କ ସମେତ ପୁଅ ଓ ଝିଅଙ୍କୁ ଥାନାକୁ ନେଇ ପଚରାଉଚରା କରୁଛି ପୁଲିସ। ତେବେ ଏହି ଘଟଣାରେ କାହାର କେତେ ଭୂମିକା ରହିଛି, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।
ଚର୍ଚ୍ଚା tv












