ପୁରୀ ଜିଲ୍ଲାର ଦୟା ଓ ଭାର୍ଗବୀ ନଦୀ ଚିଲିକା ସଙ୍ଗମ ସ୍ଥଳରେ ଅବସ୍ଥିତ ନଳବଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗତ ୬ ଦିନ ଧରି ଏହି ଅଞ୍ଚଳରେ ନିରନ୍ତର ଭାବେ ନିଆଁ ଜଳୁଥିବାରୁ ପରିସ୍ଥିତି ଗମ୍ଭୀର ହୋଇପଡ଼ିଛି। କଣାସ ଓ ଟାଙ୍ଗୀ ଅଗ୍ନିଶମ ବାହିନୀ ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅବିରତ ପ୍ରୟାସ କରୁଥିବା ସତ୍ତ୍ୱେ ଏପର୍ଯ୍ୟନ୍ତ ଆଗ୍ନିକାଣ୍ଡ ପୂର୍ଣ୍ଣରୂପେ ନିୟନ୍ତ୍ରଣରେ ଆସିପାରିନାହିଁ।
ଖବର ଅନୁଯାୟୀ, କଣାସର ୬ଜଣ ଓ ଟାଙ୍ଗୀର ୮ଜଣିଆ ଟିମ ଘଟଣାସ୍ଥଳରେ ନିୟୋଜିତ ରହି ନିଆଁ ଲିଭାଇବାରେ ଲାଗିଛନ୍ତି। ତଥାପି ନଳବଣର ଘନ ଜଙ୍ଗଳ ଓ ପହଞ୍ଚ ଅସୁବିଧା ଯୋଗୁଁ ଅଗ୍ନିନିବାରଣ କାମ ଅଧିକ କଷ୍ଟସାଧ୍ୟ ହୋଇପଡ଼ିଛି।
ଏହି ଅଗ୍ନିକାଣ୍ଡରେ ସବୁଠାରୁ ଅଧିକ ଚିନ୍ତାଜନକ ବିଷୟ ହେଉଛି ନଳବଣ ଭିତରେ ଆଶ୍ରୟ ନେଇଥିବା ବିଦେଶାଗତ ପକ୍ଷୀମାନଙ୍କର ସୁରକ୍ଷା। ପ୍ରତିବର୍ଷ ଶୀତକାଳରେ ଏଠାକୁ ହଜାର ହଜାର ପକ୍ଷୀ ଆସି ବାସ କରନ୍ତି। ବର୍ତ୍ତମାନ ନିଆଁର ପ୍ରକୋପରେ ସେମାନଙ୍କ ଜୀବନ ଗଭୀର ସଙ୍କଟରେ ପଡ଼ିଥିବା କୁହାଯାଉଛି। ସୂତ୍ରମାନଙ୍କ ଅନୁସାରେ, କିଛି ଦୁର୍ବୃତ୍ତ ପକ୍ଷୀ ଶିକାର ପାଇଁ ଜାଣିଶୁଣି ଏହି ଅଗ୍ନିକାଣ୍ଡ ଘଟାଇଥାଇପାରନ୍ତି। ଚିଲିକା ହ୍ରଦର ମଧ୍ୟଭାଗରେ ଅବସ୍ଥିତ ପ୍ରାୟ ୨ କିଲୋମିଟର ବିସ୍ତୃତ ନଳବଣ ଅନେକ ପ୍ରଜାତିର ପକ୍ଷୀ ଓ ଜୀବଜନ୍ତୁଙ୍କ ପାଇଁ ଏକ ନିରାପଦ ଆଶ୍ରୟସ୍ଥଳୀ ଭାବେ ପରିଚିତ। ଏପରି ସମୟରେ ଏହି ଅଗ୍ନିକାଣ୍ଡ ପରିବେଶ ଓ ଜୀବବିବିଧତା ପାଇଁ ଗୁରୁତର ଆପଦ ସୃଷ୍ଟି କରିଛି। ସ୍ଥାନୀୟ ପ୍ରଶାସନ ଓ ବନ ବିଭାଗ ପକ୍ଷରୁ ଶୀଘ୍ର ଏହାକୁ ନିୟନ୍ତ୍ରଣ କରିବା ସହ ଘଟଣାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟନୁଷ୍ଠାନ ନିଆଯିବାକୁ ଦାବି ଜୋରଦାର ହେଉଛି।
ଚର୍ଚ୍ଚା news












