-ରବିନ୍ଦ୍ର ନାଥ ମହାପାତ୍ର
ପଦ୍ମପୁର : ତ୍ରିବେଣୀ ସାଇନ୍ସ ହାଏର ସେକେଣ୍ଡାରୀ ସ୍କୁଲ୍, ପଦ୍ମପୁର ପୁଣିଥରେ ଶିକ୍ଷା କ୍ଷେତ୍ରରେ ନିଜର ଉତ୍କୃଷ୍ଟତା ପ୍ରମାଣ କରିଛି। ସଂସ୍ଥାର ମେଧାବୀ ଛାତ୍ର ତ୍ରିପାତି ପ୍ରସାଦ ପଣ୍ଡା JEE Main ପରୀକ୍ଷାରେ ଉଲ୍ଲେଖନୀୟ 96.581 ପର୍ସେଣ୍ଟାଇଲ୍ ଅର୍ଜନ କରି ସଂସ୍ଥା ଓ ସମଗ୍ର ପଦ୍ମପୁର ଅଞ୍ଚଳ ପାଇଁ ଗୌରବର କାରଣ ହୋଇଛନ୍ତି । ତ୍ରିପତି ପ୍ରସାଦ ପଣ୍ଡା, ଶ୍ରୀ ହରିଶ୍ଚନ୍ଦ୍ର ପଣ୍ଡା ଓ ଶ୍ରୀମତୀ ଗାୟତ୍ରୀ ସାମନ୍ତରାଙ୍କ ପୁତ୍ର, ତାଙ୍କର ନିରନ୍ତର ପରିଶ୍ରମ ଓ ଲକ୍ଷ୍ୟନିଷ୍ଠା ଦ୍ୱାରା ଏହି ସଫଳତା ଅର୍ଜନ କରିପାରିଛନ୍ତି। ଛୋଟବେଳୁ ଶିକ୍ଷା ପ୍ରତି ତାଙ୍କର ଆଗ୍ରହ ଓ ଅନୁଶାସିତ ଅଭ୍ୟାସ ତାଙ୍କୁ ଏହି ଉଚ୍ଚ ସ୍ଥାନକୁ ନେଇଯାଇଛି। ତ୍ରିପତି ନିଜ ଅନୁଭବରେ କହିଛନ୍ତି ଯେ, ସେ ପ୍ରତିଦିନ ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅନୁଷ୍ଠାନରେ ଅଧ୍ୟୟନ କରୁଥିଲେ ଏବଂ ତାପରେ ଘରେ ଅତିରିକ୍ତ ୪ରୁ ୫ ଘଣ୍ଟା ପର୍ଯ୍ୟନ୍ତ ପଢ଼ାରେ ନିୟୋଜିତ ରହୁଥିଲେ। ଏହି ଦୃଢ଼ ପରିଶ୍ରମ, ସମୟ ପରିଚାଳନା ଓ ନିରନ୍ତର ଅଭ୍ୟାସ ତାଙ୍କ ସଫଳତାର ମୂଳ ମନ୍ତ୍ର ବୋଲି ସେ ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, ତ୍ରିବେଣୀର ଶିକ୍ଷକମାନଙ୍କର ନିଷ୍ଠାପୂର୍ଣ୍ଣ ମାର୍ଗଦର୍ଶନ, ସଠିକ୍ ଯୋଜନା ଓ ସମୟୋଚିତ ପରାମର୍ଶ ତାଙ୍କୁ ଏହି ସଫଳତା ଅର୍ଜନ ରେ ବହୁତ ସହଯୋଗ କରିଛି। ଏହା ସହିତ ମାତାପିତାଙ୍କର ଆଶୀର୍ବାଦ ଓ ନିରନ୍ତର ପ୍ରୋତ୍ସାହନ ତାଙ୍କର ପ୍ରେରଣା ହୋଇଥିଲା। ତ୍ରିପତିଙ୍କ ଏହି ସଫଳତାରେ ସଂସ୍ଥାର ଅଧ୍ୟକ୍ଷ ଶ୍ରୀ ପ୍ରସନ୍ନ କାର୍ଜୀ, ସମ୍ପାଦକ ଶ୍ରୀ ସାଗରକାନ୍ତ ଜେନା ଏବଂ ପ୍ରଶାସନିକ ଅଧିକାରୀ ଶ୍ରୀ ଦେବବ୍ରତ ପରିଛା ଗଭୀର ସନ୍ତୋଷ ପ୍ରକାଶ କରି ତାଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି। ସେମାନେ କହିଛନ୍ତି ଯେ, ଏହି ସଫଳତା ତ୍ରିବେଣୀର ଗୁଣାତ୍ମକ ଶିକ୍ଷା ପ୍ରଣାଳୀର ପ୍ରମାଣ। ତ୍ରିପତିଙ୍କ ଲକ୍ଷ୍ୟ ଆଗାମୀଦିନରେ JEE Advanced ପରୀକ୍ଷାରେ ଉତ୍କୃଷ୍ଟ ଫଳାଫଳ କରି ଦେଶର ଶ୍ରେଷ୍ଠ ଇଞ୍ଜିନିୟରିଂ ସଂସ୍ଥାନରେ ଭର୍ତ୍ତି ହେବା। ତାଙ୍କର ଏହି ସଫଳତାରେ ତାଙ୍କର ମାତାପିତା ଅତ୍ୟନ୍ତ ଆନନ୍ଦ ଓ ଗର୍ବ ପ୍ରକାଶ କରିଛନ୍ତି। ଏହି ଅସାଧାରଣ ସଫଳତା ତ୍ରିବେଣୀ ସାଇନ୍ସ ହାଏର ସେକେଣ୍ଡାରୀ ସ୍କୁଲ୍ ସହିତ ସମଗ୍ର ପଦ୍ମପୁର ଅଞ୍ଚଳ ପାଇଁ ଗୌରବର ବିଷୟ ହୋଇଥିବା ବେଳେ, ଏହା ଆଗାମୀ ପିଢ଼ୀ ପାଇଁ ଏକ ପ୍ରେରଣା ହିସାବରେ କାମ କରିବ ବୋଲି ମତ ପ୍ରକାଶ ପାଇଛି ।
ଚର୍ଚ୍ଚା news












