ସତ୍ୟଭାମାପୁର, ମଧୁବାବୁଙ୍କ ପବିତ୍ର ଜନ୍ମଭୂମି, ଆଜି ଭକ୍ତି, ଗର୍ବ ଓ ସ୍ମୃତିରେ ଚଳଚଞ୍ଚଳ ହୋଇଉଠିଛି।
ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ। ଏଥିପାଇଁ ଚଳଚଞ୍ଚଳ ହୋଇଛି ମଧୁବାବୁଙ୍କ ଜନ୍ମମାଟି କଟକ ଜିଲ୍ଲାର ସତ୍ୟଭାମାପୁର। ପ୍ରଥମ ଓଡ଼ିଆ ଭାବେ ବିଦେଶ ଯାଇ ପାଠ ପଢିଥିବା ଉତ୍କଳ ଗୌରବ, ରାଜ୍ୟ ବାହାରେ ଏମିତିକି ଦେଶ ବାହାରେ ନିଜକୁ ପ୍ରତିଷ୍ଠିତ କରିଥିଲେ ।
BY-SUBHASMITA-28.4.2026
କଟକ :ଆଜି ହେଉଛି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୮ତମ ଜୟନ୍ତୀ |ଓଡ଼ିଆ ଜାତିର ପ୍ରଥମ ସ୍ନାତକ ଏବଂ ବିଦେଶରେ ଶିକ୍ଷା ଗ୍ରହଣ କରିଥିବା ପ୍ରଥମ ଓଡ଼ିଆ ଭାବେ ମଧୁବାବୁ ଇତିହାସ ଗଢ଼ିଥିଲେ। ବିଦେଶରେ ଉଜ୍ଜ୍ୱଳ ଭବିଷ୍ୟତ ଥିଲେ ସତ୍ୟ, ସେ ସେହି ସୁଯୋଗକୁ ତ୍ୟାଗ କରି ନିଜ ମାଟି ଓ ଲୋକଙ୍କ ସେବା ପାଇଁ ଓଡ଼ିଶାକୁ ଫେରିଥିଲେ। କଟକ ଓ ସତ୍ୟଭାମାପୁରକୁ କର୍ମଭୂମି କରି ସେ ଓଡ଼ିଶାର ଅସ୍ମିତା, ସଂସ୍କୃତି ଓ ସ୍ବାଭିମାନ ପାଇଁ ଜୀବନ ନିବେଦନ କରିଥିଲେ। ସ୍ୱତନ୍ତ୍ର ଓଡ଼ିଶା ଗଠନ ଆନ୍ଦୋଳନରୁ ଆରମ୍ଭ କରି ଓଡ଼ିଆ ଭାଷା ଓ ପରମ୍ପରାର ସୁରକ୍ଷା ପର୍ଯ୍ୟନ୍ତପ୍ରତ୍ୟେକ ସଂକଟକାଳୀନ ସମୟରେ ସେ ଚଟାଣ ଭଳି ଦଢ଼ ହୋଇ ଦାଣ୍ଡାଇଥିଲେ। ସେହିପାଇଁ ତାଙ୍କୁ “ଓଡ଼ିଆ ଜାତିର ପିତା” ବୋଲି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ଏହି ଦିନକୁ ସମଗ୍ର ରାଜ୍ୟରେ “ସ୍ବାଭିମାନ ଦିବସ” ଭାବେ ପାଳନ କରାଯାଉଛି। କଟକର ଗୋରାକବର ସ୍ଥିତ ସମାଧି ପୀଠରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବିଭିନ୍ନ ଗଣମାନ୍ୟ ବ୍ୟକ୍ତି ଉପସ୍ଥିତ ହୋଇଥିଲେ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତାଙ୍କର ଅମର ଅବଦାନକୁ ସ୍ମରଣ କରି ସଭା ଓ ଚର୍ଚ୍ଚାର ଆୟୋଜନ ହୋଇଥିଲା। ମଧୁବାବୁଙ୍କ ଜୀବନ ଆମକୁ ଶିଖାଏ ନିଜ ମାଟି ପାଇଁ କାମ କରିବା ହିଁ ସତ୍ୟ ସଫଳତା। ତାଙ୍କର ଆଦର୍ଶ ଆଜି ମଧ୍ୟ ଓଡ଼ିଆ ଯୁବପିଢ଼ୀକୁ ପ୍ରେରଣା ଦେଇଆସୁଛି।ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀକୁ ସମ୍ବାଦ-ଆମ ଓଡ଼ିଶା ପକ୍ଷରୁ ସାରା ରାଜ୍ୟରେ ସ୍ବାଭିମାନ ଦିବସ ଭାବେ ପାଳନ କରାଯାଉଛି। କଟକ ଗୋରାକବରଠାରେ ମଧୁସୂଦନ ଦାସଙ୍କ ସମାଧି ପୀଠରେ ମଧ୍ୟ ମଧୁବାବୁଙ୍କ ଜନ୍ମଜୟନ୍ତୀଙ୍କୁ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଜଷ୍ଟିସ୍ ଆନନ୍ଦ ଚନ୍ଦ୍ର ବେହେରା , ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ, କଟକ ସାଂସଦ ଭର୍ତ୍ତୃହରି ମହତାବ ଯୋଗ ଦେଇଛନ୍ତି। ପ୍ରଥମେ ମଧୁବାବୁଙ୍କ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହାପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।
ଚର୍ଚ୍ଚା NEWS












