ଚର୍ଚ୍ଚା news
ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆଜି ଆଉ ଏକ ବଡ଼ ଦୁର୍ନୀତି ବିରୋଧୀ କାର୍ଯ୍ୟାନୁଷ୍ଠାନରେ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଏନଏଚଏମ୍ (NHM) ଜୁନିୟର ଇଞ୍ଜିନିୟରଙ୍କୁ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରାଯାଇଛି। ଆଜି ତା ୨୭ ମେ ୨୦୨୬ ରେ, ସୁନ୍ଦରଗଡ଼ ସିଡିଏମଓ କାର୍ଯ୍ୟାଳୟ ଅଧୀନ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ରେ କାର୍ଯ୍ୟରତ ଜୁନିୟର ଇଞ୍ଜିନିୟର ସୁମନ୍ତ ନାୟକଙ୍କୁ ଓଡ଼ିଶା ଭିଜିଲାନ୍ସ ଟିମ୍ ତାଙ୍କ କାର୍ଯ୍ୟାଳୟ କକ୍ଷରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ କାବୁ କରିଛି। ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାରେ ଏକ ପିଏଚସି (PHC) ଭବନ ଓ କର୍ମଚାରୀ କ୍ୱାର୍ଟର୍ସର ମରାମତି ଏବଂ ପୁନରୁଦ୍ଧାର କାମ ସମାପ୍ତ କରିଥିବା ଜଣେ ଠିକାଦାର ନିଜର ଆରମ୍ଭିକ ସୁରକ୍ଷା ଜମା ରାଶି (Initial Security Deposit-ISD) ଫେରସ୍ତ ପାଇଁ ଆବେଦନ କରିଥିଲେ। କିନ୍ତୁ କାମ ସମ୍ପୂର୍ଣ୍ଣ ହେବା ସତ୍ତ୍ୱେ ଅଭିଯୁକ୍ତ ଜେଇ ସୁମନ୍ତ ନାୟକ ଫାଇଲ୍ ପ୍ରକ୍ରିୟାକରଣ କରି ଟଙ୍କା ଫେରସ୍ତ କରିବାରେ ଗଡ଼ିମସି କରୁଥିଲେ ଏବଂ ଏହି କାମ ସୁବିଧା କରାଇବା ପାଇଁ ଠିକାଦାରଙ୍କୁ ୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଏନେଇ ଠିକାଦାର ଭିଜିଲାନ୍ସ ବିଭାଗକୁ ସୂଚନା ଦେଇଥିବା ପରେ ଯୋଜନାବଦ୍ଧ ଭାବେ ଆଜି ଭିଜିଲାନ୍ସ ଟିମ୍ ଚଢ଼ାଉ କରି ଜେଇ ସୁମନ୍ତ ନାୟକଙ୍କୁ ଲାଞ୍ଚ ନେଉଥିବା ବେଳେ ରଙ୍ଗେହାତ ଧରିଥିଲା। ଅଭିଯୁକ୍ତଙ୍କ ନିକଟରୁ ଦୂଷିତ ୫ ହଜାର ଟଙ୍କା ଜବତ କରାଯାଇଥିବା ଭିଜିଲାନ୍ସ ସୂଚନା ଦେଇଛି। ଘଟଣା ପରେ ଅଭିଯୁକ୍ତଙ୍କ ସହ ଜଡିତ ତିନୋଟି ସ୍ଥାନରେ ଅଘୋଷିତ ସମ୍ପତ୍ତି (Disproportionate Assets) ଦୃଷ୍ଟିକୋଣରୁ ଏକାସାଙ୍ଗେ ତଲାସି ଚାଲିଛି। ଏହି ଘଟଣାରେ ରାଉରକେଲା ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୦୩/୨୦୨୬ ଅନୁସାରେ ଦୁର୍ନୀତି ନିବାରଣ ଆଇନ ୨୦୧୮ ର ଧାରା ୭ ଅନୁଯାୟୀ ମାମଲା ରୁଜୁ ହୋଇଥିବାବେଳେ ତଦନ୍ତ ଜାରି ରହିଛି ।
By Charcha News












