କେନ୍ଦ୍ର କହିଲା ରାଜ୍ୟରୁ ମିଳିନି କୌଣସି ପ୍ରସ୍ତାବ
କଟକ-ଭୁବନେଶ୍ବରରେ ଚାଲିବ ମେଟ୍ରୋ । ଏ ସ୍ବପ୍ନ ଅନେକ ଦିନ ଆଗରୁ ଦେଖି ଆସୁଛନ୍ତି ଟ୍ବିନସିଟିବାସୀ । ଆଉ ପୂର୍ବ ସରକାର ସମୟରେ ଏଥିପାଇଁ କାମ ମଧ୍ୟ ଆରମ୍ଭ ହେଲା । ହେଲେ ଏବେ ଏହି ମେଟ୍ରୋ ପ୍ରକଳ୍ପ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛି । ଏମିତିକି କଟକ-ଭୁବନେଶ୍ବର ମେଟ୍ରୋ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ତରଫରୁ କେନ୍ଦ୍ର ସରକାରଙ୍କଚୁ କୌଣସି ପ୍ରସ୍ତାବ ଦିଆଯାଇନାହିଁ ।
BY_SUBHASMITA-7.4.2026
ଟ୍ୱିନସିଟି କଟକ-ଭୁବନେଶ୍ୱରରେ ମେଟ୍ରୋ ଚାଲିବା ସ୍ୱପ୍ନକୁ ନେଇ ପୁଣି ଦେଖାଦେଇଛି ଅନିଶ୍ଚିତତା । ପୂର୍ବ ସରକାର ସମୟରେ ଆରମ୍ଭ ହୋଇଥିବା ଏହି ବୃହତ୍ ପ୍ରକଳ୍ପକୁ ନେଇ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି ଏକ ବଡ଼ ସ୍ପଷ୍ଟୀକରଣ ।
ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହନିର୍ମାଣ ଓ ନଗର ଉନ୍ନୟନ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ଜଣାଇଛନ୍ତି ଯେ, କଟକ-ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ କୌଣସି ଆଧିକାରିକ ପ୍ରସ୍ତାବ ମିଳିନାହିଁ ।ଚିଠିରେ ଆହୁରି ଉଲ୍ଲେଖ ହୋଇଛି ଯେ, ମେଟ୍ରୋ ରେଳ ପ୍ରକଳ୍ପ ବହୁ ବ୍ୟୟସାଧ୍ୟ ହେବାରୁ ସତର୍କ ଯୋଜନା ଆବଶ୍ୟକ । ଟ୍ୱିନସିଟିର ଯାତାୟାତ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବସ୍ ରାପିଡ୍ ଟ୍ରାଞ୍ଜିଟ୍ ସିଷ୍ଟମ୍ (BRTS) ଅଧିକ ଉପଯୋଗୀ ବୋଲି କେନ୍ଦ୍ର ମତ ରଖିଛି । ଏହାସହ PM e-Bus ସେବା ଯୋଜନାରେ କଟକ ଓ ଭୁବନେଶ୍ୱର ପାଇଁ ମୋଟ ୨୦୦ଟି ଇଲେକ୍ଟ୍ରିକ୍ ବସ୍ ମଞ୍ଜୁର ହୋଇଥିବା ସୂଚନା ମିଳିଛି । କଟକ ପାଇଁ ୧୦୦ଟି ଓ ଭୁବନେଶ୍ୱର ପାଇଁ ୧୦୦ଟି ବସ୍ ଯୋଗାଇ ଦିଆଯିବ ।
ଏପଟେ ମେଟ୍ରୋ ପ୍ରକଳ୍ପକୁ ନେଇ ଉଠିଥିବା ପ୍ରସଙ୍ଗକୁ ରାଜ୍ୟ ସରକାରଙ୍କ ଅବଗତି ପାଇଁ ପଠାଯାଇଥିବା କଥା ମଧ୍ୟ କେନ୍ଦ୍ର ପକ୍ଷରୁ କୁହାଯାଇଛି ।
ଚର୍ଚ୍ଚା news












