୧୯୩ ଅଭିଯୋଗର ଶୁଣାଣୀ କଲେ ଜିଲ୍ଲାପାଳ
ଉଦଳା,(ରାଜୀବ କୁମାର ବେହେରା)-
ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କପ୍ତିପଦା ଉପଖଣ୍ଡ ଉଦଳାର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବରୁଣ ଗୁଣ୍ଟୁପାଲି ଯୋଗଦେଇ ମୋଟ ୧୯୩ଟି ଜନଅଭିଯୋଗର ଶୁଣାଣୀ କରିଥିଲେ।
ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଜନଶୁଣାଣୀ ଶିବିରରେ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀ ଡା. ଧନଞ୍ଜୟ ମହାନ୍ତ, ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ହୃଷିକେଶ ନାଏକ, ଉପଖଣ୍ଡ ଚିକିତ୍ସାଳୟ ଅଧୀକ୍ଷକ ଡା. ମିନକେତନ ମହାନ୍ତିଙ୍କ ସମେତ ଉପଖଣ୍ଡର ସମସ୍ତ ବିଡିଓ, ତହସିଲଦାର ଏବଂ ବିଭିନ୍ନ ବିଭାଗର ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଶୁଣାଣୀ କାର୍ଯ୍ୟରେ ସହଯୋଗ କରିଥିଲେ।
ମୋଟ ଅଭିଯୋଗ ମଧ୍ୟରୁ ୧୫୧ଟି ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ଥିବାବେଳେ ୪୨ଟି ସାମୂହିକ ସମସ୍ୟା ଉପରେ ଆଧାରିତ ଥିଲା। ସେଥିମଧ୍ୟରୁ ୩୩ଟି ଅଭିଯୋଗର ତତ୍କାଳ ସମାଧାନ କରାଯାଇଥିଲା। ଚିକିତ୍ସା ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୨୯ ଜଣଙ୍କୁ ୧ ଲକ୍ଷ ୬୧ ହଜାର ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ୨ ଜଣଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ମୋଟ ୧ ଲକ୍ଷ ୮୧ ହଜାର ଟଙ୍କାର ଚେକ୍ ବଣ୍ଟନ କରାଯାଇଥିଲା।
ଜନଶୁଣାଣୀରେ ବିଭିନ୍ନ ବିଭାଗ ସମ୍ପର୍କିତ ଅନେକ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଆସିଥିଲା। ସେଥିମଧ୍ୟରେ ଉଦଳା ବ୍ଲକ ରାଢ଼େ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱୟଂ ସହାୟିକା ଗୋଷ୍ଠୀ ମାଧ୍ୟମରେ କର୍ମଚାରୀ ନିଯୁକ୍ତି, ଖଲାଡ଼ି ପଞ୍ଚାୟତ ରାଇଦାଣ୍ଡିଆ ଗ୍ରାମରେ ସରକାରୀ ରାସ୍ତା ଜବରଦଖଲ ଉଚ୍ଛେଦ, ଚୈତନଗଡ଼ି ଅଞ୍ଚଳର ବନ୍ଧଘୁଟୁ ଗ୍ରାମରେ ନୂତନ ନଳକୂପ ଖନନ, କପ୍ତିପଦା-ବାଲେଶ୍ୱର ରାସ୍ତାରେ ଡ୍ରେନ ନିର୍ମାଣ, ଗୁଜିପାଳ ଗ୍ରାମରେ ସହୀଦ ଦିବସ ପାଳନ ସ୍ଥଳରୁ ଅବରୋଧ ହଟାଇବା, ସୋଲଗଡ଼ିଆ ଗ୍ରାମର ସରକାରୀ ଜଙ୍ଗଲ ଜମି ଜବରଦଖଲ ଉଚ୍ଛେଦ, ଡ଼ିବୁରୁ ସାହିରେ ନୂତନ ନଳକୂପ ସ୍ଥାପନ, ନୂଆସାହି ଗ୍ରାମର ସରକାରୀ ଜମି ଚିହ୍ନଟ, ବଉଳଖଲାଡ଼ି ଗ୍ରାମର ଗୋଚର ଜମି ଓ ରାସ୍ତା ସମସ୍ୟା, ଖୁଣ୍ଟା ବ୍ଲକରେ ନୂତନ ରାସ୍ତା ନିର୍ମାଣ ଓ ଗୋପବନ୍ଧୁନଗର ବ୍ଲକରେ କେନାଲ ମରାମତି ଭଳି ବିଷୟ ରହିଥିଲା।
ଏହି ସମସ୍ତ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ।
ସମଗ୍ର କାର୍ଯ୍ୟକ୍ରମ ପରିଚାଳନାରେ ଡେପୁଟି କଲେକ୍ଟର ପ୍ରତୀକ କୁମାର ପଣ୍ଡାଙ୍କ ସହ କାର୍ଯ୍ୟାଳୟର ବିଭିନ୍ନ କର୍ମଚାରୀ ସହଯୋଗ କରିଥିଲେ।
ଚର୍ଚ୍ଚା news












