ପୁରୀର ବଡ଼ଦାଣ୍ଡରେ ବାର୍ଷିକ ରଥଯାତ୍ରା ସମୟରେ ଲକ୍ଷ ଲକ୍ଷ ଭକ୍ତ ଏକାଠି ହେଉଥିବା ବେଳେ, ଏହି ସମାବେଶରେ ବିଭିନ୍ନ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇପାରେ। ଏତେଭିଡ଼ ଭିତରେ ଅଂଶୁଘାତ, ଡିହାଇଡ୍ରେସନ , ଶ୍ୱାସକ୍ରିୟାରେ କଷ୍ଟ, ଅଚେତ ହୋଇପଡ଼ିବା ଏବଂ ହୃଦଘାତ ପରି ସମସ୍ୟା ସାଧାରଣ କଥା, ଯେଉଁଠାରେ ପ୍ରତ୍ୟେକ ସେକେଣ୍ଡ ଜୀବନ ଓ ମୃତ୍ୟୁ ମଧ୍ୟରେ ଫରକ ସୃଷ୍ଟି କରିପାରେ।
୨୦୨୫ ରଥଯାତ୍ରା ସମୟରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବାରେ ଯୋଡ଼ି ହୋଇଥିଲେ ଏହି ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ (Special Rescue Unit – SRU)। ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ତୁରନ୍ତ ଜରୁରୀକାଳୀନ ଚିକିତ୍ସା ସେବା ଯୋଗାଇଦେବା ପାଇଁ ଗଠିତ ଏହି ୟୁନିଟ୍, ସ୍ୱାସ୍ଥ୍ୟ ସମସ୍ୟା ଆରମ୍ଭ ହେବା ଏବଂ ରୋଗୀ ହସ୍ପିଟାଲରେ ପହଞ୍ଚିବା ମଧ୍ୟରେ ଥିବା ଗୁରୁତ୍ୱପୂର୍ଣ୍ଣ ବ୍ୟବଧାନକୁ ପୂରଣ କରିଥାଏ।
SRU ର ପ୍ରତ୍ୟେକ ସଦସ୍ୟଙ୍କୁ ସିପିଆର୍ (CPR), ବେସିକ୍ ଲାଇଫ୍ ସପୋର୍ଟ (BLS), ପ୍ରାଥମିକ ଚିକିତ୍ସା, ଅମ୍ଳଜାନ (Oxygen) ଯୋଗାଣ ଏବଂ ରୋଗୀଙ୍କୁ ସୁରକ୍ଷିତ ଭାବେ ନେବାଆଣିବା କରିବା ବିଷୟରେ ତାଲିମ ଦିଆଯାଇଛି। ଆସୁ ମେଡିକାଲ ଯନ୍ତ୍ରପାତି ଯେପରିକି ସ୍ୱୟଂଚାଳିତ ଏକ୍ସଟର୍ନାଲ ଡିଫିବ୍ରିଲେଟର (AED), ସ୍ପାଇନ୍ ଷ୍ଟ୍ରେଚର୍, ଅମ୍ଳଜାନ ସିଲିଣ୍ଡର ଏବଂ ପ୍ରାଥମିକ ଚିକିତ୍ସା କିଟ୍ରେ ସସଜ୍ଜିତ ଏହି ଦଳଗୁଡ଼ିକୁ ରଥଯାତ୍ରା ମାର୍ଗର ମୁଖ୍ୟ ସ୍ଥାନଗୁଡ଼ିକରେ ନିୟୋଜିତ କରାଯାଇଥିଲା , ଯାହାଫଳରେ ସେମାନେ କିଛି ମିନିଟ୍ ମଧ୍ୟରେ ପୀଡିତ ବ୍ୟକ୍ତିଙ୍କୁ ସାହାଯ୍ୟ କରିପାରିଥିଲେ ।
ଏହି କାର୍ଯ୍ୟକ୍ରମର ସଫଳତା ପ୍ରଥମ ବର୍ଷରୁ ହିଁ ସ୍ପଷ୍ଟ ହୋଇଯାଇଥିଲା। ୨୦୨୫ ରଥଯାତ୍ରା ସମୟରେ ପୁରୀରେ ୬୦ ଜଣ SRU କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା, ଯେଉଁମାନେ ୫୦୦ ରୁ ଅଧିକ ଭକ୍ତଙ୍କୁ ସମୟସାପେକ୍ଷ ସାହାଯ୍ୟ କରିଥିଲେ। ଅଚେତ ହୋଇପଡ଼ିଥିବା ଶ୍ରଦ୍ଧାଳୁଙ୍କୁ ଚେତା ଫେରାଇ ଆଣିବାଠାରୁ ଆରମ୍ଭ କରି ଅମ୍ଳଜାନ ଦେବା ଏବଂ ଆହତମାନଙ୍କୁ ହସ୍ପିଟାଲ ନେବା ପୂର୍ବରୁ ସ୍ଥିର କରିବା ପର୍ଯ୍ୟନ୍ତ, ଏହି ଦଳ ପ୍ରମାଣିତ କରିଥିଲା ଯେ ତୁରନ୍ତ ପଦକ୍ଷେପ ଦ୍ୱାରା ମୂଲ୍ୟବାନ ଜୀବନ ବଞ୍ଚାଯାଇପାରିବ।
ଏହି ସଫଳତା ପରେ ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ୨୦୨୬ ରଥଯାତ୍ରା ପାଇଁ ଏହି ଦଳର ଆକାର ବୃଦ୍ଧି କରାଯାଇଥିଲା ।
ତାଲିମପ୍ରାପ୍ତ SRU କର୍ମଚାରୀଙ୍କ ସଂଖ୍ୟା ଦୁଇଗୁଣରୁ ଅଧିକ ବୃଦ୍ଧି କରାଯାଇ ୧୨୫ ରେ ପହଞ୍ଚାଯାଇଥିଲା, ଯାହା ରଥଯାତ୍ରାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ବ୍ୟାପକ ସୁରକ୍ଷା ନିଶ୍ଚିତ କରିଥିଲା। ସେମାନଙ୍କର ତୁରନ୍ତ ପଦକ୍ଷେପ ଯୋଗୁଁ ୭୦୦ ରୁ ଅଧିକ ଶ୍ରଦ୍ଧାଳୁ ଜରୁରୀକାଳୀନ ଚିକିତ୍ସା ସେବା ପାଇପାରିଥିଲେ।
SRU ର ସଫଳତାର ମୁଖ୍ୟ କାରଣ ହେଉଛି ଏହାର ବ୍ୟାପକ ତାଲିମ। ଉତ୍ସବରେ ନିୟୋଜିତ ହେବା ପୂର୍ବରୁ, ଏହି ଦଳ ଭୁବନେଶ୍ୱରର ସମ୍ (SUM) ହସ୍ପିଟାଲର ପ୍ରସିଦ୍ଧ ଡାକ୍ତରୀ ଦଳଙ୍କଠାରୁ ଗ୍ରହଣ କରିଥିଲେ କଠିନ ପ୍ରାଥମିକ ଚିକିତ୍ସା ଓ ଜରୁରୀକାଳୀନ ମେଡିକାଲ ତାଲିମ। ଏହି ତାଲିମ ଅଗ୍ନିଶମ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ମେଡିକାଲ ସାହାଯ୍ୟ ମିଳିବା ପର୍ଯ୍ୟନ୍ତ ଜୀବନପ୍ରତି ବିପଦ ଥିବା ଜରୁରୀ ପରିସ୍ଥିତିକୁ ଚିହ୍ନଟ କରିବା ଏବଂ ନିୟନ୍ତ୍ରଣ କରିବାର ଦକ୍ଷତା ପ୍ରଦାନ କରିଥିଲା।
ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ (SRU) ଆଧୁନିକ ଅଗ୍ନିଶମ ଓ ଜରୁରୀକାଳୀନ ସେବାର ବଦଳୁଥିବା ଭୂମିକାକୁ ମଧ୍ୟ ଦର୍ଶାଉଛି। ଆଜିକାଲି, ଅଗ୍ନିଶମ କର୍ମଚାରୀମାନେ କେବଳ ନିଆଁ ଲିଭାଇବା କିମ୍ବା ବିପର୍ଯ୍ୟୟ ପରିଚାଳନା ମଧ୍ୟରେ ସୀମିତ ନୁହଁନ୍ତି; ସେମାନେ ଜରୁରୀକାଳୀନ ସମୟରେ ଆବଶ୍ୟକୀୟ ଚିକିତ୍ସା ସେବା ଯୋଗାଇବା ପାଇଁ ପ୍ରଥମ ପ୍ରତିକ୍ରିୟାକାରୀ (First Responders) ଭାବରେ ମଧ୍ୟ ତାଲିମପ୍ରାପ୍ତ।
ରଥଯାତ୍ରା ପ୍ରତିବର୍ଷ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଥିବା ବେଳେ, ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପ୍ରମାଣିତ କରିଛି ଯେ ସଠିକ୍ ଚିନ୍ତାଧାରା, ଉତ୍ତମ ପ୍ରସ୍ତୁତି ଏବଂ ଦକ୍ଷ କର୍ମଚାରୀ ଜନସୁରକ୍ଷାକୁ ଯଥେଷ୍ଟ ସୁଧାରି ପାରିବେ। ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ନୀରବରେ ଏହି ଉତ୍ସବର ଅନ୍ୟତମ ବିଶ୍ୱସନୀୟ ଜୀବନରେଖା ପାଲଟିଛି, ଯାହା ଶହ ଶହ ଲୋକଙ୍କୁ ଆଶା, ଆଶ୍ୱାସନା ଏବଂ ଏକ ନୂତନ ଜୀବନର ସୁଯୋଗ ପ୍ରଦାନ କରୁଛି ।
ଚର୍ଚ୍ଚା tv











