ରାଜ୍ୟର ଲାଗି ରହିଛି ଗ୍ରୀଷ୍ମପ୍ରବାହ। ଆଜି ବି ସକାଳୁ ସକାଳୁ ତାତି ଅନୁଭୂତ ହେଉଛି। ପଶ୍ଚିମରୁ ଉପକୂଳ ସବୁଠି କଲବଲ କରୁଛି ତାତି। ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ଡିଗ୍ରି ରହୁଛି। ଅସହ୍ୟ ଗୁଳୁଗୁଳି ଆକ୍ତାମାକ୍ତା କରୁଛି।
BY-SUBHASMITA-26.4.2026
ଆଜି ବି ରାଜ୍ୟରେ ତାତିର ତଣ୍ଡବ ଜାରି ରହିଛି। ସକାଳୁ ଠାରୁ ହିଁ ଗରମର ତିବ୍ରତା ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଛି। ବିଶେଷକରି ପଶ୍ଚିମ ଓଡିଶାରେ ସ୍ଥିତି ଅଧିକ ଗମ୍ଭୀର ରହିଛି, ଯେଉଁଠାରେ ଦିନ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୦ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଗତ କିଛି ଦିନ ଧରି ଝାରସୁଗୁଡା ଦେଶର ସବୁଠୁ ଉତ୍ତପ୍ତ ସହରମାନଙ୍କ ମଧ୍ୟରେ ଗଣନୀୟ ହେଉଛି। ଏଠାରେ ତାପମାତ୍ରା ପ୍ରାୟ ୪୪ ଡିଗ୍ରି ଉପରେ ରହୁଥିବାବେଳେ ସମ୍ବଲପୁରରେ ମଧ୍ୟ ୪୩ ଡିଗ୍ରି ତଳକୁ ଖସିବାର ନାଁ ନେଉନି। ରାଉରକେଲା ଓ ବଲାଙ୍ଗୀରରେ ମଧ୍ୟ ତାତି ତାର ପ୍ରଭାବ ଦେଖାଉଛି, ଯାହାରେ ଲୋକମାନେ ଦିନଚର୍ୟା ପାଳନ କରିବାକୁ ଅସୁବିଧା ଭୋଗୁଛନ୍ତି।
ଉପକୂଳ ଓଡିଶାରେ ତାପମାତ୍ରା କିଛି ହଦ ପର୍ଯ୍ୟନ୍ତ ୪୦ ଡିଗ୍ରି ତଳେ ରହିଥିଲେ ମଧ୍ୟ, ଅତ୍ୟଧିକ ଆଦ୍ରତା ଯୋଗୁଁ ଗୁଳୁଗୁଳି ଅବସ୍ଥା ଲୋକଙ୍କୁ ଅଧିକ କ୍ଲାନ୍ତ କରୁଛି। ଭୁବନେଶ୍ବର, ପୁରୀ, ପାରାଦୀପ ଓ ବାଲେଶ୍ୱରରେ ଏହି ଗୁମୋଟ ଆବହାଓୟା ଜନଜୀବନକୁ ପ୍ରଭାବିତ କରୁଛି। ଆବହାବିଭାଗ ଅନୁମାନ କରୁଛି ଯେ, ଆଗାମୀ କିଛି ଦିନ ଯାଏଁ ଏହି ଗ୍ରୀଷ୍ମପ୍ରବାହ ଜାରି ରହିପାରେ। ଏହି ପରିସ୍ଥିତିରେ ଦିନର ମଧ୍ୟଭାଗରେ ଅପରିହାର୍ଯ୍ୟ କାମ ବାଦ ଦେଇ ବାହାରକୁ ନ ଯିବା, ପ୍ରଚୁର ପରିମାଣରେ ପାଣି ପିଇବା ଓ ସତର୍କତା ଅବଲମ୍ବନ କରିବାକୁ ସୁପରିଶ କରାଯାଇଛି |
ଚର୍ଚ୍ଚା news












