ଉଦଳା (ମୟୁରଭଞ୍ଜ):(ରାଜୀବ କୁମାର ବେହେରା )-
ମୟୁରଭଞ୍ଜ ଜିଲ୍ଲାର ପ୍ରାଚୀନ ଓ ଐତିହାସିକ ନଗର ଉଦଳାରେ ଆଜି ମହାସମାରୋହରେ ଆରମ୍ଭ ହୋଇଛି ଓଡିଶାର ସୁପ୍ରସିଦ୍ଧ ଉଦଳାର ଅଧିଷ୍ଠାତ୍ରୀ ମାଆ ବାଗଦେବୀ ବୀଣାପାଣି ଜଗତଜନନୀ ମାଆ ସରସ୍ବତୀଙ୍କ ପବିତ୍ର ସରସ୍ବତୀ ମେଳା। ବର୍ଷକେ ଥରେ ପାଳିତ ହେଉଥିବା ଏହି ପାରମ୍ପରିକ ପର୍ବକୁ ନେଇ ସମଗ୍ର ଉଦଳା ଓ ପାଶ୍ୱର୍ତ୍ତୀ ଅଞ୍ଚଳରେ ଆନନ୍ଦ, ଉତ୍ସାହ ଓ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି।
ଉଦଳାର ଐତିହ୍ୟ ଓ ସାଂସ୍କୃତିକ ପରମ୍ପରା ସହ ଅଟୁଟ ଭାବେ ଜଡିତ ଏହି ସରସ୍ବତୀ ମେଳା ଭାଇଚାରା ଓ ସମ୍ମିଳନର ପ୍ରତୀକ ଭାବେ ପରିଚିତ। ପାରମ୍ପରିକ ରୀତିନୀତି ଅନୁଯାୟୀ ମାଆ ବୀଣାପାଣିଙ୍କ ମନ୍ଦିରରୁ ମାଆଙ୍କ ଆଜ୍ଞାମାଳା ନେଇ ଶୋଭାଯାତ୍ରାରେ ମେଳା ପଡ଼ିଆକୁ ପ୍ରବେଶ କରାଯିବା ସମୟରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଓ ଭକ୍ତିର ଦୃଶ୍ୟ ଦେଖିବାକୁ ମିଳିଥିଲା। ଶ୍ରଦ୍ଧାଳୁ ଏବଂ ବହୁ ସଂଖ୍ୟlରେ ଲୋକଙ୍କ ଭିତରେ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମlରେ
ଢୋଲ–ମୃଦଙ୍ଗ, ବ୍ୟାଣ୍ଡ ପାର୍ଟି,ହରିବୋଲ ଧ୍ୱନି ଓ ଜୟକାରରେ ସମଗ୍ର ଉଦଳା ନଗର ଗୁଞ୍ଜି ଉଠିଥିବା ବେଳେ, ମାଆଙ୍କ ଆଶୀର୍ବାଦ ଲାଗି ଭକ୍ତମାନେ ଦର୍ଶନ କରିଥିଲେ। ମେଳାକୁ ସୁଚାରୁ ଓ ସୁରକ୍ଷିତ ଭାବେ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ସୁରକ୍ଷା ଓ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଆଜି ଶୁଭ ଉଦ୍ଘାଟନ ପରେ ସନ୍ଧ୍ୟା ସମୟରେ ମେଳା ପଡ଼ିଆ ମଞ୍ଚରେ କୁନି କୁନି କଳାକାରମାନଙ୍କ ଅଂଶଗ୍ରହଣରେ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହାକୁ ଦେଖିବା ପାଇଁ ବହୁ ସଂଖ୍ୟକ ଦର୍ଶକଙ୍କ ଭିଡ଼ ଜମିଥିଲା। ମେଳାର ପ୍ରଥମ ଦିନରୁ ରାଜ୍ୟର କୋଣାନ୍ତରରୁ ଆସିଥିବା ବହୁ ସଂଖ୍ୟକ ଦୋକାନି, ବିଭିନ୍ନ ପ୍ରକାର ଦୋଳି, ଖେଳନା ଓ ଆକର୍ଷଣୀୟ ସାମଗ୍ରୀ ମେଳାର ରୂପକୁ ଆହୁରି ରଙ୍ଗୀନ କରିଛି।
ଶିକ୍ଷା, ବୁଦ୍ଧି ଓ ସଂସ୍କୃତିର ଦେବୀ ମାଆ ବୀଣାପାଣିଙ୍କ କୃପାରେ ସମସ୍ତଙ୍କ ଜୀବନରେ ଆଲୋକ, ସମୃଦ୍ଧି ଓ ସଦ୍ବୁଦ୍ଧି ଆସୁ—ଏହି କାମନା ସହ ଉଦଳାରେ ଆରମ୍ଭ ହୋଇଛି ଏହି ମହାନ ଐତିହାସିକ ଓ ଆଧ୍ୟାତ୍ମିକ ପର୍ବ ସରସ୍ବତୀ ମେଳା।
ଉଦଳାରେ ଆରମ୍ଭ ହେଲା ମାଆ ବୀଣାପାଣି ସରସ୍ବତୀଙ୍କ ପବିତ୍ର ସରସ୍ବତୀ ମେଳାଭକ୍ତି
By Charcha News












