ଉଦଳା, (ରାଜୀବ କୁମାର ବେହେରା):
ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଉପଖଣ୍ଡ ସ୍ତରୀୟ ଉଦଳା ଧୁମସା ମହୋତ୍ସବ ଅବସରରେ, ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ପ୍ରଥମଥର ପାଇଁ ‘ମିସ୍ ଉଦଳା’ ଫ୍ୟାଶନ୍ ସୋ’ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଉଦଳା ହାଇସ୍କୁଲ୍ ପଡ଼ିଆରେ ଚାଲିଥିବା ଧୁମସା ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଦର୍ଶକମାନଙ୍କ ମଧ୍ୟରେ ଭାରି ଆକର୍ଷଣ ସୃଷ୍ଟି କରିଥିଲା।
ଏହି ଫ୍ୟାଶନ୍ ସୋ’ରେ ସମୁଦାୟ ୧୯ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ, ନନ୍ଦିନୀ ଗୁପ୍ତା ସମସ୍ତଙ୍କୁ ପଛେଇ ଦେଇ ପ୍ରଥମ ସ୍ଥାନ ଅଧିକାର କରି ‘ମିସ୍ ଉଦଳା’ ମୁକୁଟ ହାସଲ କରିଥିଲେ। ନନ୍ଦିନୀ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟର +୩ ଦ୍ୱିତୀୟ ବର୍ଷର ଛାତ୍ରୀ ବୋଲି ଜଣାପଡ଼ିଛି।
ବିଜୟୀ ନନ୍ଦିନୀଙ୍କୁ ମଞ୍ଚରେ ‘ମିସ୍ ଉଦଳା’ କ୍ରାଉନ୍, ୫,୦୦୦ ଟଙ୍କା ନଗଦ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।
ବିଜୟ ପରେ ଇନ୍ଦିରା ଗାନ୍ଧୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ନନ୍ଦିନୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ମହାବିଦ୍ୟାଳୟରୁ ଫ୍ୟାଶନ୍ ସୋ’ରେ ଅଂଶଗ୍ରହଣ କରି ଦ୍ୱିତୀୟ ରନର୍ସଅପ୍ ହୋଇଥିବା ମାନସୀ ପୃଷ୍ଟିଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜଣାଯାଇଥିଲା।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶଶୀଭୂଷଣ ପାଣିଗ୍ରାହୀ ଓ ଅଧ୍ୟାପକ ଗିରିଜା ଶଙ୍କର ପାତ୍ର ଉପସ୍ଥିତ ରହି ବିଜେତା ଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇ ତାଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।












