BY- -ରାଜୀବ କୁମାର ବେହେରା
ଉଦଳା : ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନାଠାରୁ କିଛି ଦୂରତା ବ୍ୟବଧାନରେ ଜନଗହଳିପୂର୍ଣ୍ଣ ମଝି ରାସ୍ତାରେ ଘଟିଛି ରକ୍ତାକ୍ତ ତାଣ୍ଡବ । ଏହି ଘଟଣା ଉଦଳାର ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଘଟଣାକୁ ଦେଢ଼ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଏବେ ଗଣ୍ଡଗୋଳ ସମୟର ଭିଡିଓ ଭାଇରାଲ ହେବା ପରେ ସମଗ୍ର ଘଟଣା ସାମ୍ନାକୁ ଆସିଛି । ଭିଡିଓରେ ଦେଖିବାକୁ ମିଳୁଛି କିପରି କିଛି ଦୁର୍ବୃତ୍ତ ସ୍ପଷ୍ଟ ଦିବାଲୋକରେ ଦୁଇ ଯୁବକଙ୍କୁ ଚାପୁଡ଼ା, ବିଧା, ଗୋଇଠା ଓ ମୁଥ ମାରି ଲହୁଲୁହାଣ କରୁଛନ୍ତି । ଏହି ଦୃଶ୍ୟ ସାଧାରଣ ଲୋକଙ୍କ ମନରେ ଭୟ ଓ କ୍ଷୋଭ ସୃଷ୍ଟି କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏତେ ଜଘନ୍ୟ ଘଟଣା ପରେ ମଧ୍ୟ ଅଭିଯୁକ୍ତମାନଙ୍କୁ ଥାନାରୁ ଜାମିନରେ ଛାଡ଼ିଦିଆଯାଇଥିବା ଅଭିଯୋଗ ଉଠିଛି । ଏହା ପୁଲିସର କାର୍ଯ୍ୟଦକ୍ଷତା ଉପରେ ସାଧାରଣରେ ଗଭୀର ପ୍ରଶ୍ନ ଉଠାଇଛି । ଆଇନକୁ ହାତକୁ ନେଇ ରାସ୍ତାରେ ଆତଙ୍କ ସୃଷ୍ଟି କରୁଥିବା ଲୋକଙ୍କ ପ୍ରତି ଏତେ ଉଦାର ମନୋଭାବ କାହିଁକି ବୋଲି ଚର୍ଚ୍ଚା ଜୋର ଧରିଛି । ସୂଚନା ଅନୁଯାୟୀ, ଏକ ରାସ୍ତା କାମରେ ଫଳକ ନଥିବାକୁ ନେଇ ପ୍ରତିବାଦ କରିବାରୁ ଦୁଇ ଯୁବକଙ୍କ ଉପରେ ଏହି ଆକ୍ରମଣ ହୋଇଥିବା କୁହାଯାଉଛି । ଯଦି ସାଧାରଣ ଲୋକେ ଅନିୟମିତତା ବିରୋଧରେ ମୁହଁ ଖୋଲିଲେ ଏଭଳି ଭାବେ ମାଡ଼ ଖାଇବେ, ତେବେ ସାଧାରଣ ଲୋକ ନ୍ୟାୟ ପାଇଁ କାହା ପାଖକୁ ଯିବେ ବୋଲି ପ୍ରଶ୍ନ ଉଠିଛି । ଏବେ ସାଧାରଣରେ ଦାବି ହେଉଛି ଯେ ଘଟଣାର ନିଷ୍ପକ୍ଷ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ । ନଚେତ ଉଦଳାରେ ଆଇନ ଶୃଙ୍ଖଳା କେବଳ କାଗଜ କଲମରେ ସୀମିତ ରହିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ଚର୍ଚ୍ଚା NEWS












