ସାମ୍ବାଦିକ: ପ୍ରଶାନ୍ତ ରାଉଳ
କୋଲକାତା : ନୀଳଚକ୍ର ପଶ୍ଚିମବଙ୍ଗ ଶାଖାର ଏକ ପ୍ରତିନିଧି ଦଳ ଆୟକର ବିଭାଗର ଡେପୁଟି କମିଶନର ତଥା ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ଆଶୁତୋଷ କୁମାର ସାହୁଙ୍କ ନେତୃତ୍ୱରେ ସମ୍ପାଦକ ଶେଷଦେବ ସାମଲ ଓ କାର୍ଯ୍ୟକାରୀ ସଭାପତି ମନମୋହନ ନାୟକ ଶନିବାର ଓଡ଼ିଶାର ରାଜ୍ୟପାଳ ଡ଼ଃ. ହରି ବାବୁ କାମ୍ବମପତିଙ୍କୁ ରାଜଭବନରେ ସାକ୍ଷାତ କରିଥିଲେ। ରାଜ୍ୟପାଳଙ୍କୁ ଅନୁଷ୍ଠାନର ବାର୍ଷିକ କାର୍ଯ୍ୟକ୍ରମ ବୋଇତ ବନ୍ଦାଣ ଉତ୍ସବ ସମାରୋହ ପାଳନରେ ମୁଖ୍ୟ ଅତିଥି ଭାବେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଇଛି। ପ୍ରତିବେଶୀ ରାଜ୍ୟ ପଶ୍ଚିମବଙ୍ଗରେ ଓଡ଼ିଆ ପରମ୍ପରା ଓ ସଂସ୍କୃତିକୁ ଉଜ୍ଜୀବିତ କରିବା ପାଇଁ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ତଥା ଓଡ଼ିଆମାନେ ସମ୍ମୁଖୀନ ହେଉଥିବା ଶିକ୍ଷା, କର୍ମସଂସ୍ଥାନ ଆଦି ସମସ୍ୟା ବିଷୟରେ ଅନୁଷ୍ଠାନର ପ୍ରତିନିଧିମାନେ ମାନ୍ୟବର ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ।
ରାଜ୍ୟପାଳ ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ହେତୁ ଏହି ମହୋତ୍ସବରେ ଯୋଗଦେବା ସମ୍ଭବ ହେଉନଥିଲେ ମଧ୍ୟ ଉତ୍ସବର ସଫଳତା କାମନା କରିବା ସହ ଆଗାମୀ ଦିନରେ ଅନୁଷ୍ଠାନର କାର୍ଯ୍ୟକ୍ରମକୁ ନିଶ୍ଚିତ ଆସିବେ ବୋଲି ଇଚ୍ଛା ପ୍ରକାଶ କରିଥିଲେ। ଅନୁଷ୍ଠାନର ଉପଦେଷ୍ଟା ଶ୍ରୀ ସାହୁ ରାଜ୍ୟପାଳଙ୍କୁ ପୁଷ୍ପଗୁଚ୍ଛ ଓ ସ୍ମରଣିକା ପ୍ରଦାନ କରିଥିଲେ। ରାଜ୍ୟପାଳ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ସଂସ୍ଥା ନୀଳଚକ୍ର ପଶ୍ଚିମବଙ୍ଗର କର୍ମୀମାନଙ୍କୁ ଏକ ନୂତନ ଓଡ଼ିଶା ଗଠନ ପାଇଁ ଏକାଠି କାମ କରିବାକୁ ଆହ୍ୱାନ ଦେଇଥିଲେ। ଅନ୍ୟାନ୍ୟ ଭାଷାଭାଷୀ ଲୋକ ସମାଜ ଏବଂ ସଂସ୍କୃତି ସହିତ ସହଯୋଗ ଓ ସହାବସ୍ଥାନ ଆଧାରରେ କାର୍ଯ୍ୟ ଜାରି ରଖିବା ପାଇଁ ପରାମର୍ଶ ଦେଇଥିଲେ। ରାଜ୍ୟପାଳଙ୍କ ସହ ସାକ୍ଷାତ ପରେ କର୍ମକର୍ତ୍ତା ମାନେ ଓଡ଼ିଶା ସରକାରଙ୍କ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କୁ ସାକ୍ଷାତ କରି ପୁଷ୍ପଗୁଚ୍ଛ ଓ ସ୍ମରଣିକା ପ୍ରଦାନ କରି ତାଙ୍କ ସହିତ ଦୀର୍ଘ ଆଲୋଚନା କରିଥିଲେ।











