ସାମ୍ବାଦିକ ରାଜୀବ କୁମାର ବେହେରା
ତାରିଖ-୦୯-୦୨-୨୦୨୬
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଧୀନ ତେନ୍ତୁଳି ସାହି ନିକଟରେ ଘଟିଥିବା ଏକ ଦୁଃଖଦ ସଡ଼କ ଦୁର୍ଘଟଣାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଶରତଚନ୍ଦ୍ର ପାତ୍ର। ସୂଚନା ଅନୁଯାୟୀ, ବୃଦ୍ଧ ଶରତଚନ୍ଦ୍ର ଗାଈମାନଙ୍କୁ ପାଣି ଦେଇ ଘରକୁ ଫେରୁଥିବା ବେଳେ ରାସ୍ତା ପାର୍ କରୁଥିଲେ। ଏହି ସମୟରେ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ ତାଙ୍କୁ ଜୋରଦାର ଧକ୍କା ଦେଇଥିଲା।
ଧକ୍କାରେ ବୃଦ୍ଧ ଗୁରୁତର ଆହତ ହୋଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ କପ୍ତିପଦା ଡାକ୍ତରଖାନାକୁ ନିଆଯାଇଥିଲା। ପରେ ଅବସ୍ଥା ଅଧିକ ଗୁରୁତର ହେବାରୁ ଉଦଳା ଡାକ୍ତରଖାନାକୁ ନେଉଥିବା ବେଳେ ଡାକ୍ତରଖାନା ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା।
ଏହି ଦୁର୍ଘଟଣାରେ ବାଇକ ଚାଳକ ଜଣେ ନାବାଳକ ଥିବା ଜଣାପଡିଛି। ସେ ମଧ୍ୟ ଗୁରୁତର ଆହତ ହୋଇ କପ୍ତିପଦା ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଘଟଣାର ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଛେଦ ପାଇଁ ଉଦଳା ଶବଗୃହକୁ ପଠାଇଛି। ଏହି ଘଟଣା ସମ୍ପର୍କରେ ପୋଲିସ ୨୫/୨୬ ନମ୍ବର ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ସମ୍ପୃକ୍ତ ଗ୍ରାମରେ ଶୋକାକୁଳ ପରିବେଶ ବ୍ୟାପିଛି। ଏହି ଘଟଣାକୁ ନେଇ କପ୍ତିପଦା ପୋଲିସର ଅଧିକ ତଦନ୍ତ ଜାରି ରହିଛି।












