BY-ରାଜୀବ କୁମାର ବେହେରା
ଉଦଳା :ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଜଡିଦା ଗ୍ରାମପଞ୍ଚାୟତ ଅନ୍ତର୍ଗତ ପଥରଖଣି ଗ୍ରାମରେ ଏକ ପରିବାରର ଧର୍ମ ପରିବର୍ତ୍ତନ ଓ ପୁନର୍ବାସ ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ପ୍ରାୟ ତିନି ବର୍ଷ ପୂର୍ବେ ଭାଟୁ ମାରାଣ୍ଡି, ବାଲି ମାରାଣ୍ଡି, ପିରୁ ମାରାଣ୍ଡି ଓ ଆରତୀ ମାରାଣ୍ଡିଙ୍କ ପରିବାର ବିଭିନ୍ନ ରୋଗରେ ପୀଡିତ ଥିବାବେଳେ କିଛି ବ୍ୟକ୍ତି ସେମାନଙ୍କ ସହ ସଂପର୍କ ସ୍ଥାପନ କରି ଧର୍ମ ପରିବର୍ତ୍ତନ କଲେ ରୋଗ ଭଲ ହେବ ଓ ଜୀବନର ସମସ୍ୟା ଦୂର ହେବ ବୋଲି ପ୍ରଲୋଭନ ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ପରିବାରଟି ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଥିଲେ। କିନ୍ତୁ ତିନି ବର୍ଷ ବିତିଯାଇଥିଲେ ମଧ୍ୟ ଅବସ୍ଥାରେ କୌଣସି ସୁଧାର ନ ଆସିବାରୁ ସେମାନେ ନିଜ ଭୁଲ ବୁଝିପାରି ପୁଣି ନିଜ ପୂର୍ବ ଧର୍ମକୁ ଫେରିବା ପାଇଁ ଗ୍ରାମ ମୁଖିୟା ଓ ବରିଷ୍ଠମାନଙ୍କ ସହ ଆଲୋଚନା କରିଥିଲେ। ଗ୍ରାମର ପାରମ୍ପରିକ ବିଧି ଅନୁଯାୟୀ ସମାଜରେ ପୁଣି ସ୍ୱୀକୃତି ପାଇବା ପାଇଁ ସେମାନଙ୍କୁ ତିନି ହାଣ୍ଡି ହାଣ୍ଡିଆ, ପାଞ୍ଚଟି କୁକୁଡ଼ା ଓ ଗୋଟିଏ ଛେଳି ଦେଇ ଭୋଜିଭାତ କରାଇବାକୁ ପଡ଼ିଥିଲା। ପରେ ଗ୍ରାମର ବୃଦ୍ଧ ଓ ସମାଜର ମୁଖ୍ୟମାନେ ପାରମ୍ପରିକ ରୀତିନୀତି ପାଳନ କରି ପରିବାରକୁ ପୁଣି ସମାଜରେ ସାମିଲ କରିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସମାଜସେବୀ ବିଜୁ ହେମ୍ବ୍ରମ ହସ୍ଦା ଓ ଜଗଦିଶ ମୁର୍ମୁ କହିଛନ୍ତି ଯେ ଗ୍ରାମାଞ୍ଚଳର ଆଦିବାସୀ ଓ ସରଳ ଲୋକମାନଙ୍କ ମଧ୍ୟରେ ସଚେତନତାର ଅଭାବ ଥିବାରୁ ସେମାନେ ସହଜରେ ପ୍ରଲୋଭନରେ ପଡ଼ୁଛନ୍ତି। ସରକାର ଏନେଇ ଲୋକମାନଙ୍କୁ ଅଧିକ ସଚେତନ କରିବା ଆବଶ୍ୟକ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି।
ତେବେ ଏହି ଘଟଣାକୁ କେହି ଗ୍ରାମୀଣ ପରମ୍ପରା ଓ ଆସ୍ଥାର ପ୍ରତିଫଳନ ବୋଲି କହୁଥିବା ବେଳେ, ଆଉ କେହି ଧର୍ମୀୟ ପ୍ରଭାବ ଓ ସାମାଜିକ ପରିବର୍ତ୍ତନ ସହ ଜଡିତ ଏକ ସଂବେଦନଶୀଳ ପ୍ରସଙ୍ଗ ବୋଲି ମତ ଦେଇଛନ୍ତି ।
ଚର୍ଚ୍ଚା news












