BY-SUBHASMITA-DT-25.4.2026
ଭୁବନେଶ୍ୱର: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ପାଇଁ ସମୁଦ୍ର ପଥରେ କଚା ତେଲ ଆଣିବାରେ ବାଧା ସୃଷ୍ଟି ହେଉଥିବାବେଳେ, ଓଡ଼ିଶାରେ ତେଲ ବିକ୍ରି ଉପରେ କିଛି କଟକଣା ଲାଗୁ ହୋଇଥିବା ଖବର ସାମ୍ନାକୁ ଆସିଛି।
ଭୁବନେଶ୍ୱର ଆର୍ଏସ୍ଏର ବିକ୍ରି ଅଧିକାରୀ ପକ୍ଷରୁ ପେଟ୍ରୋଲ ପମ୍ପଗୁଡ଼ିକୁ ଜାରି ହୋଇଥିବା ଏକ ନୋଟିସ୍ରେ କୁହାଯାଇଛି ଯେ, ଏକକାଳୀନ ୫୦ ଲିଟରରୁ ଅଧିକ ପେଟ୍ରୋଲ (MS) ଓ ୫୦୦ ଲିଟରରୁ ଅଧିକ ହାଇସ୍ପିଡ୍ ଡିଜେଲ (HSD) ବିକ୍ରି ଉପରେ ନିୟନ୍ତ୍ରଣ ରଖାଯିବ। ଏହି ନିୟମ ଉଲ୍ଲଂଘନ କରିଲେ ସମ୍ବନ୍ଧିତ ପେଟ୍ରୋଲ ପମ୍ପର ତେଲ ଯୋଗାଣ ବନ୍ଦ କରାଯିବାର ଚେତାବନୀ ମଧ୍ୟ ଦିଆଯାଇଛି।ଏକ ପେଟ୍ରୋଲ ପମ୍ପରେ ଲାଗିଥିବା ନୋଟିସ୍ ମାଧ୍ୟମରେ ଏହି କଟକଣା ବିଷୟରେ ତଥ୍ୟ ସ୍ପଷ୍ଟ ହୋଇଛି। ସାମ୍ପ୍ରତିକ ପରିସ୍ଥିତିକୁ ଦେଖି ଏକଥରେ ବିପୁଳ ପରିମାଣରେ ତେଲ ବିକ୍ରିକୁ ଏଡ଼ାଇବା ପାଇଁ ପେଟ୍ରୋଲ ପମ୍ପମାନଙ୍କୁ ସତର୍କ ରହିବାକୁ କୁହାଯାଇଛି।ତଥାପି, ଏହି ନେଇ ସନ୍ଦେହ ଦୂର କରି ଇଣ୍ଡିଆନ ଅଏଲ୍ର ଓଡ଼ିଶା ସିଜିଏମ୍ କମଲ ଶୀଲ କହିଛନ୍ତି ଯେ, ସାଧାରଣ ଗ୍ରାହକଙ୍କ ପାଇଁ କୌଣସି ପ୍ରକାରର କଟକଣା ନାହିଁ। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ର ପର୍ଯ୍ୟାପ୍ତ ମଜୁତ ରହିଛି ଏବଂ ଯୋଗାଣ ସ୍ବାଭାବିକ ଅଛି। ସେ କହିଛନ୍ତି ଯେ, ଏହି ପଦକ୍ଷେପ ମୁଖ୍ୟତଃ ମହଜୁଦକାରୀ ଓ ବିପୁଳ ପରିମାଣରେ ତେଲ କ୍ରୟ କରୁଥିବା ଲୋକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ। ବିଶେଷ କରି ଟ୍ୟାଙ୍କର ମାଧ୍ୟମରେ ହଜାର ଲିଟର ତେଲ ନେବା ଘଟଣାକୁ ରୋକିବା ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା ନିଆଯାଇଥିବା ସେ ସୂଚନା ଦେଇଛନ୍ତି।ରାଜ୍ୟରେ ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ୍ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ୍ ମିଶି ୨୫୦୦ରୁ ଅଧିକ ପେଟ୍ରୋଲ ପମ୍ପ ଚାଲୁ ଅଛି। ତେଣୁ ଏହି କଟକଣା ରାଜ୍ୟର ସମସ୍ତ ପମ୍ପରେ ଲାଗୁ ହେବା ସମ୍ଭାବନା ରହିଛି ବୋଲି ଧାରଣା କରାଯାଉଛି।
ଚର୍ଚ୍ଚା news












