ତାରିଖ- ୧୦ -୦୩-୨୦୨୬
ସାମ୍ବାଦିକ ସୁକାନ୍ତ ମହାପାତ୍ର
କଟକ : ଜଗତପୁର ଶିଳ୍ପାଞ୍ଚଳସ୍ଥିତ କସ୍ବୋର୍ଡ଼ ଶିଳ୍ପ କାରଖାନାରେ କାର୍ଯ୍ୟରତ ଶ୍ରମିକମାନେ ସେମାନଙ୍କର ବକେୟା ପ୍ରାପ୍ୟ ଦାବିକରି ଆଜି ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଧାରଣା ଦେଇଛନ୍ତି । ଏହି ଶ୍ରମିକମାନେ ସେମାନଙ୍କର ବକେୟା ଦରମା, ଗ୍ରାଚ୍ୟୁଟି ଦାବି କରି ଦୀର୍ଘ ୯୦୦ ଦିନ ଆନ୍ଦୋଳନ ଅବ୍ୟାହତ ରଖୁଛନ୍ତି । ଏପରିକି ସରକାରଙ୍କର ଶ୍ରମବିଭାଗ ଏବଂ ଜିଲ୍ଲା- ପ୍ରଶାସନର ନିର୍ଦ୍ଦେଶକୁ କସ୍ବୋର୍ଡ଼ ଇଣ୍ଡଷ୍ଟ୍ରିର ମାଲିକ (ବିମଲ୍ ଗ୍ରୁପ୍) ବେଖାତିର କରୁଛନ୍ତି । ଇତି ମଧ୍ୟରେ ଏହି କାରଖାନାର କେତେକ ଶ୍ରମିକଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ କସ୍ବୋର୍ଡ଼ ଇଣ୍ଡଷ୍ଟ୍ରିର ମାଲିକ ମୃତ୍ୟୁ ଶ୍ରମିକଙ୍କର ପରିବାରକୁ ତାଙ୍କର ନାର୍ଯ୍ୟ ପ୍ରାପ୍ୟ ଦେଇନାହାନ୍ତି । ୨୦୧୯ ମସିହାରେ ଶ୍ରମ ଅଦାଲତ ନିର୍ଦ୍ଦେଶକ୍ରମେ ୨ ଲକ୍ଷ ୨୨ ହଜାରରୁ ଊର୍ଦ୍ଧ୍ବ ଟଙ୍କା ପଦ୍ମନାଭ ସାହୁଙ୍କୁ ପ୍ରଦାନ କରାଯାଇନାହିଁ । କସ୍ବୋର୍ଡ଼ ଇଣ୍ଡଷ୍ଟ୍ରିର ମାଲିକ ଇଚ୍ଛାକୃତ ଭାବରେ କାରଖାନାକୁ ରୁଗ୍ଣ ଦର୍ଶାଇ ଶ୍ରମିକମାନଙ୍କୁ ଠକିବାରେ ଲାଗିଛି, ଏପରିକି କାରଖାନାର ମାଲିକ ଶ୍ରମିକଙ୍କ ବିରୂଦ୍ଧରେ ମିଥ୍ୟା ଅଭିଯୋଗ ଆଣି ମୋକଦ୍ଦମା ଦାୟର କରିଛନ୍ତି । ଶ୍ରମ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସହିତ ଶ୍ରମିକମାନଙ୍କର ବିଭିନ୍ନ ସମୟରେ ଆଲୋଚନା ହୋଇଥିଲେ ମଧ୍ୟ ସେ ଆଲୋଚନା କୌଣସି ଫଳପ୍ରଦ ହୋଇନାହିଁ । କସ୍ବୋର୍ଡ଼ ଇଣ୍ଡଷ୍ଟ୍ରି ମାଲିକକୁ କୌଣସି ଏକ ରାଜନୈତିକ ବ୍ୟକ୍ତି ସୁରକ୍ଷା ଦେଇଛନ୍ତି ବୋଲି ଶ୍ରମିକ ସଂଗଠନ ପକ୍ଷରୁ ଅଭିଯୋଗ କରାଯାଇଛି ।
ଭାରତୀୟ ମଜଦୁର ସଂଘ ସହ ବନ୍ଧିତ ଥିବା ଜଗତ୍ପୁର ଶିଳ୍ପାଞ୍ଚଳର ଶ୍ରମିକ ସଂଘ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀ, ଶ୍ରମମନ୍ତ୍ରୀ, ଶ୍ରମ କମିଶନର ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଉକ୍ତ ସ୍ମାରକପତ୍ରରେ ଦର୍ଶାଯାଇଛି ଯେ, ଜଗତ୍ପୁର କସ୍ବୋର୍ଡ଼ ଇଣ୍ଡଷ୍ଟ୍ରିରେ କାର୍ଯ୍ୟରତ ଶ୍ରମିକମାନେ ସେମାନଙ୍କର ନାର୍ଯ୍ୟଦାବି ଯଥା ବକେୟା ବେତନ ଓ ଗ୍ରାଚ୍ୟୁଟି ଦାବିକରି ଆଜିପର୍ଯ୍ୟନ୍ତ ୯୦୦ ଦିନ ଧାରଣାରେ ବସିଛନ୍ତି । ତେଣୁ ସରକାର ଅବିଳମ୍ବେ ଏହି ଘଟଣାର ଅନୁସନ୍ଧାନ କରି ଶ୍ରମିକମାନଙ୍କର ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରିବାପାଇଁ ସ୍ମାରକପତ୍ରରେ ଦର୍ଶାଇଛନ୍ତି । ଜଗତ୍ପୁର ଶିଳ୍ପାଞ୍ଚଳ ଶ୍ରମିକ ସଂଘ ସଭାପତି ଶ୍ରୀ ବସନ୍ତ କୁମାର ସାହୁ, ସାଧାରଣ ସମ୍ପାଦକ ଅଶୋକ କୁମାର ସାମଲ, ଭାରତୀୟ ମଜଦୁର ସଂଘ ରାଜ୍ୟ ପୂର୍ବତନ ସଭାପତି ଇଂ. ଶ୍ରୀକାନ୍ତ କୁମାର ବ୍ରହ୍ମା, ଅବସରପ୍ରାପ୍ତ ସହକାରୀ ଶ୍ରମ ଆୟୁକ୍ତ ଶ୍ରୀ ଦୁର୍ଗା ଚରଣ ଓଝା, ଭାରତୀୟ ମଜଦୁର ସଂଘ ରାଜ୍ୟ ଉପସଭାପତି ଡାକ୍ଟର ମହାନ୍ତ, କଟକ ଜିଲ୍ଲା ସମ୍ପାଦକ ପ୍ରଭୁଦତ୍ତ ମିଶ୍ର, ଗୌରାଙ୍ଗ ଚରଣ ରଥ, ଅଶୋକ ସ୍ଵାଇଁ, ସବିତା ସାହୁ, ବିନୋଦ ପତି, ଚନ୍ଦ୍ରଶେଖର ସାହୁ, ଅଭୟ କୁ ମାର ଦାସ, ଗୟାଧର ରାଉତ, ଅକ୍ଷୟ ଚୌଧୁରୀ, ରବିନ୍ଦ୍ର ସାହୁ, ପ୍ରକାଶ ଚନ୍ଦ୍ର ରାଉତ, ଙ୍କ ସମେତ କଟକ ଜିଲ୍ଲାର ବିଭିନ୍ନ ୟୁନିୟନର କର୍ମକର୍ତ୍ତାମାନେ ଏହି ଆନ୍ଦୋଳନକୁ ସମର୍ଥନ ଜଣାଇ ଉଦ୍ବୋଧନ ଦେଇଥିଲେ ।












