ଉଦଳା: (ରାଜୀବ କୁମାର ବେହେରା) :-ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅଧୀନ ଉଦଳା–ଖୁଣ୍ଟା–ବାରିପଦା ରାଜ୍ୟ ରାଜପଥର ଧନାପନା ଗ୍ରାମ ନିକଟରେ ବନ୍ଧୁକ ମୁନରେ ଜଣେ ଅଳଙ୍କାର ବ୍ୟବସାୟୀଙ୍କ ନିକଟରୁ ଅଳଙ୍କାର ବ୍ୟାଗ ଲୁଟ ହୋଇଥିବା ଘଟଣା ଅଞ୍ଚଳରେ ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି।
ଧନାପନା ଗ୍ରାମର କମଳଲୋଚନ ରଣା ଶନିବାର ଦିନ ଗ୍ରାମ ନିକଟ କହ୍ନେଇବନ୍ଧ ଠାରେ ଆୟୋଜିତ ସାପ୍ତାହିକ ହାଟକୁ ଅଳଙ୍କାର ବ୍ୟବସାୟ ପାଇଁ ଯାଇଥିଲେ। ବ୍ୟବସାୟ ସରିବା ପରେ ସଂଧ୍ୟା ପ୍ରାୟ ୬ଟା ସମୟରେ ବାଇକ ଯୋଗେ ନିଜ ଘରକୁ ଫେରୁଥିବା ବେଳେ ଘର ସମୀପରେ ୩ଟି ବାଇକରେ ଆସିଥିବା ୫ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ।
ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ଭୟଭୀତ କରି କମଳଲୋଚନଙ୍କ ନିକଟରେ ଥିବା ଅଳଙ୍କାର ବ୍ୟାଗକୁ ଝାମ୍ପି ନେଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଲୁଟ ହୋଇଥିବା ବ୍ୟାଗରେ ପ୍ରାୟ ୫୦୦ ଗ୍ରାମ ଓଜନର ରୁପା ଅଳଙ୍କାର ଥିବା ସୂଚନା ମିଳିଛି।
ଘଟଣା ପରେ ଦୁର୍ବୁତ୍ତ ଙ୍କ ଶିକାର ବ୍ୟବସାୟୀ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସଂଧ୍ୟା ସମୟରେ ଘର ସମ୍ମୁଖରେ ଏଭଳି ବନ୍ଧୁକ ଦେଖାଇ ଲୁଟ ଘଟଣା ଘଟିଥିବାରୁ ସମ୍ପୃକ୍ତ ଅଞ୍ଚଳରେ ଭୟାବହ ଆତଙ୍କ ପରିସ୍ଥିତି ସୃଷ୍ଟି ହୋଇଛି।
ବନ୍ଧୁକ ମୁନରେ ଅଳଙ୍କାର ବ୍ୟବସାୟୀଙ୍କ ବ୍ୟାଗ ଲୁଟ
By Charcha News











