ସାମ୍ବାଦିକ: ରାଜୀବ କୁମାର ବେହେରା
ତାରିଖ- ୦୧-୦୩-୨୦୨୬
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟା ବନବିଭାଗ ଅଧୀନ ଅଞ୍ଚଳରେ ପୁଣିଥରେ ଗୋଠ ଛଡା ଦନ୍ତା ହାତୀର ଆତଙ୍କ ଦେଖାଦେଇଛି। କିଛି ଦିନର ନିରବତା ପରେ ଦନ୍ତାଟି ବିଭିନ୍ନ ଗ୍ରାମରେ ଘୁରିବା ସହିତ ଲୋକମାନଙ୍କ ମଧ୍ୟରେ ଭୟର ପରିସ୍ଥିତି ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ଗତ ତିନି ଦିନ ଧରି ଦନ୍ତାଟି ବଡ଼ସାହି ଓ ଗୋପବନ୍ଧୁ ନଗର ବ୍ଲକ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ରହୁଥିଲା। ଶୁକ୍ରବାର ରାତିରେ ସେ ବଡ଼ସାହି ଇଲାକାରୁ ବାଟ ହୁଡ଼ି ରାଣୀବନ୍ଧ ପଞ୍ଚାୟତ ଅଧୀନ ଚମ୍ପାଗଡ଼ି ଗ୍ରାମରେ ପ୍ରବେଶ କରିଥିଲା। ଗ୍ରାମର ଜଣେ ବ୍ୟକ୍ତିଙ୍କ ବାଡ଼ିରେ ପଶି ମକା ଓ କଦଳୀ ବଗିଚାରେ ବ୍ୟାପକ କ୍ଷୟକ୍ଷତି ସୃଷ୍ଟି କରିଥିବା ଜଣାପଡ଼ିଛି। ଏହାପରେ ଶନିବାର ଦନ୍ତାଟି ରାଣୀବନ୍ଧ ମହୁଲିଆ ଛକ, ନାଉପଦା ଓ ଟୁଙ୍ଗାଧୁଆ ଗ୍ରାମରେ ଆତଙ୍କ ଖେଳାଇଥିଲା। ଟୁଙ୍ଗାଧୁଆ ଗ୍ରାମର କିଛି ଘର ଏବଂ ଚାଷଜମିରେ କ୍ଷତି ସୃଷ୍ଟି ହୋଇଥିବା ସୂଚନା ମିଳିଛି। ଗାଁ ପରେ ଗାଁ ଘୁରୁଥିବାରୁ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଖୁଣ୍ଟା ବନବିଭାଗ ପକ୍ଷରୁ ଏକ ଟିମ ଗଠନ କରାଯାଇ ହାତୀଟିକୁ ସୁରକ୍ଷିତ ଭାବେ ଜଙ୍ଗଲ ମୁଖୀ ଘଉଡ଼ାଇବା ପାଇଁ ପ୍ରୟାସ ଜାରି ରହିଛି।
କିନ୍ତୁ ଦନ୍ତାଟି ଝାଡ଼ି ଜଙ୍ଗଲ ସ୍ଥାନରେ ଆତ୍ମଗୋପନ କରୁଥିବାରୁ ଅଭିଯାନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ବନବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ କଡ଼ା ନଜର ରଖାଯାଇଛି ଏବଂ ଜନବସତି ମୁହାଁ ନହେବାକୁ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି। ବିଳମ୍ବିତ ରାତି ସୁଦ୍ଧା ହାତୀଟିକୁ ଜଙ୍ଗଲ ମୁଖୀ ଘଉଡ଼ାଇବା ଲକ୍ଷ୍ୟ ରଖାଯାଇଥିବା ବନବିଭାଗ ସୂଚନା ଦେଇଛି। ଗ୍ରାମବାସୀମାନଙ୍କୁ ଅନାବଶ୍ୟକ ଭାବେ ବାହାରୁ ନଯିବାକୁ ଓ ସତର୍କ ରହିବାକୁ ବନବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି। ଗୋଠ ଛାଡ଼ି ଏକ ଦନ୍ତା ହାତୀ ଘୁରିବା ନେଇ ଆତଙ୍କ ସୃଷ୍ଟି ହୋଇଛି। ସୂଚନା ଅନୁସାରେ ଶିଆଳିଆ ଗ୍ରାମ ନିକଟରେ ଏହି ଟିକିଆ ଗଜରାଜକୁ ଦେଖିବାକୁ ମିଳିଛି। ଗ୍ରାମ ଓ ପାଶ୍ୱର୍ତ୍ତୀ ଅଞ୍ଚଳରେ ଏହାକୁ ନେଇ ଭୟଭୀତ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ପ୍ରଶାସନ ପକ୍ଷରୁ ହାତୀର ଗତିବିଧି ଉପରେ କଡା ନଜର ରଖାଯାଇଛି। ବନ ବିଭାଗର ଟିମ୍ ସତର୍କ ଅବସ୍ଥାରେ ରହିଛନ୍ତି।











