BY-ରାଜୀବ କୁମାର ବେହେରା
ଉଦଳା, :: ଲଘୁଚାପ ଜନିତ ଲଗାଣ ବର୍ଷା ରେ ବେହାଲ ଉଦଳା ର ବିଭିନ୍ନ ଅଞ୍ଚଳ ଜଳ ବନ୍ଦୀ, ରାସ୍ତା ଉପରେ ପାଣି ଲହଡି ମାରୁଛି, ସେହିଭଳି ଭୀମତାଳି ଅଞ୍ଚଳରେ କୁତ୍ରିମ ବନ୍ୟା ପରିସ୍ଥିତି l ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ଶିମିଳିପାଳ ଉପରମୁଣ୍ଡରୁ ହଠାତ୍ ବର୍ଷାଜଳ ମାଡ଼ି ଆସିବାରୁ ଦେଓ ନଦୀର ଜଳସ୍ତର ବୃଦ୍ଧି ପାଇଛି l ସେହିଭଳି ଉଦଳା–କଇଁସାରି ଜାମୁଘାଟ ଅସ୍ଥାୟୀ ପୋଲ ଉପରେ ପ୍ରଖର ସ୍ରୋତ ସୃଷ୍ଟି ହୋଇଥିଲା। ଏହି ସମୟରେ ଗତକାଲି ରାତିରେ ଜଣେ ବ୍ୟକ୍ତି ବାଇକ୍ ଯୋଗେ ପୋଲ ପାର ହେଉଥିବା ବେଳେ ପାଣିର ପ୍ରଖର ସ୍ରୋତରେ ବାଇକ୍ ସହ ଭାସିଯାଇଥିଲେ।
ଜୀବନ ବଞ୍ଚାଇବା ପାଇଁ ସେ ପହଁରି ନଦୀ ମଝିରେ ନିର୍ମାଣାଧୀନ ନୂଆ ପୋଲର ଏକ ପିଲର ନିକଟରେ ଆଶ୍ରୟ ନେଇଥିଲେ। ସେଠାରେ ସହାୟତା ପାଇଁ ଚିତ୍କାର କରିବା ପରେ ସ୍ଥାନୀୟ ଲୋକେ ତୁରନ୍ତ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଫଳରେ ଅଳ୍ପକେ ଏକ ବଡ଼ ଅଘଟଣ ଟଳିଯାଇଥିଲା।
ତେବେ ପ୍ରଖର ଜଳସ୍ରୋତରେ ତାଙ୍କ ବାଇକ୍, ମୋବାଇଲ୍ ଏବଂ ପକେଟ୍ରେ ଥିବା ପ୍ରାୟ ୮ ହଜାର ଟଙ୍କା ମଧ୍ୟ୍ୟ ଭାସିଯାଇଥିବା ଜଣାପଡ଼ିଛି। ଭାସିଯାଇଥିବା ବ୍ୟକ୍ତି ଜଣକ କୁଆମରା ଭୋଳପୋଖରୀ ତେନ୍ତୁଳିମୁଣ୍ଡା ଗ୍ରାମର ବୋଲି ସୂଚନା ମିଳିଛି।
ଅନ୍ୟପକ୍ଷରେ, ଲଗାଣ ବର୍ଷା ସମୟରେ ନଦୀରେ ହଠାତ୍ ଜଳସ୍ତର ବୃଦ୍ଧି ପାଉଥିବା ସତ୍ତ୍ୱେ ଅସ୍ଥାୟୀ ପୋଲର ଉଭୟ ପାର୍ଶ୍ୱରେ ଯାତାୟାତ ନିୟନ୍ତ୍ରଣ, ବ୍ୟାରିକେଡ୍ କିମ୍ବା ସତର୍କତାମୂଳକ କୌଣସି କାହିଁକି ରହିନଥିଲା, ତାହାକୁ ନେଇ ପ୍ରଶ୍ନ ଉଠିଛି। ବଡ଼ ଅଘଟଣ ପୂର୍ବରୁ ପ୍ରଶାସନ ଏହି ଅସ୍ଥାୟୀ ପୋଲ ଉପରେ ଦୃଷ୍ଟି ଦେଇ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରିବାକୁ ସ୍ଥାନୀୟ ମହଲରେ ଦାବି ହେଉଛି ।
ଚର୍ଚ୍ଚା news











