ସାମ୍ବାଦିକ-ରାଜୀବ କୁମାର ବେହେରା
ତାରିଖ- ୨୦-୦୫-୨୦୨୬
ଉଦଳା : “ବିକଶିତ ଗାଁ, ବିକଶିତ ଓଡ଼ିଶା”ର ସ୍ଲୋଗାନ ରାଜ୍ୟ ସରକାରଙ୍କ ପ୍ରଚାର ପଟ୍ଟିକାରେ ଚମକୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ପଦ୍ମପୋଖରୀ ପଞ୍ଚାୟତର ଧନାସାହି ଗ୍ରାମର ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ କାହାଣୀ କହୁଛି। ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ଏହି ଗାଁକୁ ଭଲ ରାସ୍ତା ଖଣ୍ଡେ ମିଳିନଥିବାରୁ ଆଜିବି ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ନେବାକୁ ପଡ଼ୁଛି। ଏହି ଦୃଶ୍ୟ ପୁଣିଥରେ ପ୍ରଶାସନିକ ବ୍ୟବସ୍ଥାର ନିଷ୍କ୍ରିୟତାକୁ ସାମ୍ନାକୁ ଆଣିଛି। ଧନାସାହି ଗ୍ରାମର ରାମ ମହାକୁଡ଼ଙ୍କ ସ୍ତ୍ରୀ ବିରାଙ୍ଗ ମହାକୁଡ଼(୩୦) ଘର ନିକଟରେ କାମ କରୁଥିବା ସମୟରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଡାକିଥିଲେ। ଆମ୍ବୁଲାନ୍ସ ଗ୍ରାମ ନିକଟକୁ ପହଞ୍ଚିଥିଲା ସତ, କିନ୍ତୁ ଶୋଚନୀୟ ରାସ୍ତା ଅବସ୍ଥା ଯୋଗୁଁ ଗାଁ ଭିତରକୁ ପଶିପାରିନଥିଲା। ଫଳରେ ଗ୍ରାମବାସୀ ବିରାଙ୍ଗଙ୍କୁ ଖଟିଆରେ ବୋହି ପ୍ରାୟ ୪ କିଲୋମିଟର ଦୂରରେ ଥିବା ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇଥିଲେ। ଏହା ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏହି ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପାଇଁ ଖଟିଆରେ ବୋହି ନେବା ସମୟରେ ରାସ୍ତାରେ ହିଁ ପ୍ରସବ ହୋଇଥିବା ଘଟଣା ସମଗ୍ର ରାଜ୍ୟରେ ଚର୍ଚ୍ଚା ସୃଷ୍ଟି କରିଥିଲା।
ତଥାପି ପ୍ରଶାସନ ଚେତିନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ କ୍ଷୋଭ ବଢ଼ିଚାଲିଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ରାସ୍ତା, ପାନୀୟ ଜଳ ଓ ମୋବାଇଲ ନେଟୱାର୍କ ଭଳି ମୌଳିକ ସୁବିଧାରୁ ଆଜିବି ବଞ୍ଚିତ ଧନାସାହି ଗ୍ରାମ। ଗତବର୍ଷ ଗ୍ରାମବାସୀ କପ୍ତିପଦା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଗଣଧାରଣା ଦେଇଥିଲେ। ସେତେବେଳେ ବିଡିଓ ଓ ବିଭାଗୀୟ ଯନ୍ତ୍ରୀ ଗ୍ରାମକୁ ଗସ୍ତ କରି ରାସ୍ତା ନିର୍ମାଣର ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ୮ ମାସ ବିତିଯାଇଥିଲେ ସୁଦ୍ଧା ରାସ୍ତା କାମ ଆରମ୍ଭ ହୋଇନାହିଁ।“ମୁଖ୍ୟମନ୍ତ୍ରୀଙ୍କ ଗ୍ରାମ୍ୟ ସଡ଼କ ଯୋଜନା ଓ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ଆମ ପାଇଁ ସାତ ସପନ ପାଲଟିଛି” ବୋଲି ଗ୍ରାମବାସୀ କହିଛନ୍ତି। ବିକାଶର ବଡ଼ ବଡ଼ ଦାବି ମଧ୍ୟରେ ଧନାସାହି ଭଳି ଗାଁ ଆଜିବି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଥିବା ଚିତ୍ର ସରକାରୀ ବ୍ୟବସ୍ଥା ଉପରେ ପ୍ରଶ୍ନଚିହ୍ନ ସୃଷ୍ଟି କରିଛି। ଆଗାମୀ ୪ ସପ୍ତାହ ମଧ୍ୟରେ ରାସ୍ତା ନିର୍ମାଣ କାମ ଆରମ୍ଭ ନହେଲେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲା ଦାୟର କରାଯିବ ବୋଲି ଗ୍ରାମର ନବୀନ ମୁଣ୍ଡୁରୀ, ଟିପୁ ମୁଣ୍ଡୁରୀ, ଢାମାଦାର ବାଲମୁଗ୍ଧ, ମାନି ମୁଣ୍ଡୁରୀ ଓ ଗାମାଏ ରାମିଲ ଗୋଇପାଇ ପ୍ରମୁଖ ଚେତାବନୀ ଦେଇଛନ୍ତି।












