ସାଧାରଣତଃ ଚେସ୍ ଖେଳିବା ସମୟରେ ପିଲାମାନେ ଭାବି ଚିନ୍ତି ଖେଳିଥାନ୍ତି। ସେମାନଙ୍କ ପ୍ରତିପକ୍ଷ ଖେଳାଳି ଆଗକୁ କେଉଁ ଚାଲ୍ରେ ଖେଳିବ, ଏହାକୁ ଧ୍ୟାନରେ ରଖି ପିଲାମାନେ ଭାବି ଚିନ୍ତି ନିଜର ବାଜି ଖେଳିଥାନ୍ତି। ଏହା ଦ୍ବାରା ପିଲାମାନଙ୍କର ସଠିକ୍ ସମୟରେ ଉଚିତ୍ ନିଷ୍ପତ୍ତି ନେବାର ଅଭ୍ୟାସ ବିକଶିତ ହୋଇଥାଏ।
BY- SUBHASMITA DT-20-7-2026
ପ୍ରତିବର୍ଷ ଜୁଲାଇ ୨୦ ତାରିଖକୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଚେସ୍ ଦିବସ ଭାବେ ପାଳନ କରାଯାଏ। ଚେସ୍କୁ ବୁଦ୍ଧି, ଧୈର୍ଯ୍ୟ ଓ ରଣନୀତିର ଖେଳ ବୋଲି କୁହାଯାଏ। ଡାକ୍ତରମାନଙ୍କ ମତାନୁସାରେ, ଏହି ଖେଳ ପିଲାମାନଙ୍କ ଚିନ୍ତନଶକ୍ତି, ସ୍ମୃତିଶକ୍ତି ଏବଂ ନିଷ୍ପତ୍ତି ନେବାର କ୍ଷମତାକୁ ଉନ୍ନତ କରିବାରେ ସହାୟକ ହୋଇପାରେ।
ଚେସ୍ ଖେଳିବା ସମୟରେ ପିଲାମାନେ ପ୍ରତିପକ୍ଷର ପରବର୍ତ୍ତୀ ଚାଲ୍କୁ ଅନୁମାନ କରି ନିଜର ରଣନୀତି ପ୍ରସ୍ତୁତ କରନ୍ତି। ଏହି ପ୍ରକ୍ରିୟା ସେମାନଙ୍କର ତର୍କଶକ୍ତି ଓ ବିଶ୍ଳେଷଣ କ୍ଷମତାକୁ ବଢ଼ାଇଥାଏ। ଏଥିସହିତ ଖେଳ ସମୟରେ ସମ୍ପୂର୍ଣ୍ଣ ଧ୍ୟାନ ଦେବା ଆବଶ୍ୟକ ଥିବାରୁ ପିଲାମାନଙ୍କ ଏକାଗ୍ରତା ମଧ୍ୟ ବୃଦ୍ଧି ପାଏ।
ଡାକ୍ତରମାନଙ୍କ କହିବା ଅନୁଯାୟୀ, ଚେସ୍ର ସକାରାତ୍ମକ ପ୍ରଭାବ ପିଲାଙ୍କ ପାଠପଢ଼ାରେ ମଧ୍ୟ ଦେଖାଯାଏ। କଠିନ ବିଷୟଗୁଡ଼ିକୁ ମନେ ରଖିବା, ନୂତନ ଜିନିଷ ଶିଖିବା ଓ ସମସ୍ୟାର ସମାଧାନ ଖୋଜିବାରେ ସେମାନେ ଅଧିକ ଆଗ୍ରହୀ ହୋଇଥାନ୍ତି। ଚେସ୍ ଧୈର୍ଯ୍ୟ ଓ ହାର-ଜିତକୁ ସମାନ ଭାବରେ ଗ୍ରହଣ କରିବାର ଶିକ୍ଷା ମଧ୍ୟ ଦେଇଥାଏ।
ତେବେ ବିଶେଷଜ୍ଞମାନଙ୍କ ମତରେ, କେବଳ ଚେସ୍ ଖେଳିବା ଦ୍ୱାରା ପିଲାଙ୍କ ମସ୍ତିଷ୍କର ସମ୍ପୂର୍ଣ୍ଣ ବିକାଶ ହୁଏ ନାହିଁ। ଏଥିପାଇଁ ପୂଷ୍ଟିକର ଖାଦ୍ୟ, ପର୍ଯ୍ୟାପ୍ତ ନିଦ୍ରା, ନିୟମିତ ଖେଳକୁଦ ଓ ସଠିକ୍ ପାଠପଢ଼ାର ଅଭ୍ୟାସ ମଧ୍ୟ ସମାନ ଭାବେ ଆବଶ୍ୟକ। ସମତୁଳିତ ଜୀବନଶୈଳୀ ସହ ଚେସ୍ ଖେଳିଲେ ପିଲାଙ୍କ ମାନସିକ ବିକାଶ ଅଧିକ ଭଲ ଭାବରେ ହୋଇପାରେ।
ଅନ୍ତର୍ଜାତୀୟ ଚେସ୍ ଦିବସରେ ଏହି ବୁଦ୍ଧିମତାପୂର୍ଣ୍ଣ ଖେଳର ଗୁରୁତ୍ୱକୁ ବୁଝି ପିଲାମାନଙ୍କୁ ଚେସ୍ ଖେଳ ପ୍ରତି ଆକର୍ଷିତ କରିବା ଏକ ଭଲ ପଦକ୍ଷେପ ହୋଇପାରେ। |
ଚର୍ଚ୍ଚା NEWS












