ଉଦଳା – (ରାଜୀବ କୁମାର ବେହେରା ) -ନୂଆ ବର୍ଷର ଆରମ୍ଭରେ ଏକ ହୃଦୟବିଦାରକ ଦୁର୍ଘଟଣା ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା ଅଞ୍ଚଳରେ ସମସ୍ତଙ୍କୁ ମର୍ମାହତ କରିଛି।
ଘଟଣାଟି ଘଟିଛି କପ୍ତିପଦା ନୁଆସାହି ଶରତ ରାସ୍ତାର ପୁରୁଣା ପାଣି ପେଟ୍ରୋଲ ପମ୍ପ ନିକଟରେ।
ସୂଚନା ଅନୁସାରେ, ଶରତ ଥାନା କଟୁରୀଆ ଗ୍ରାମର ସୁରେନ୍ଦ୍ର ପାତ୍ର (ଲକ୍ଷ୍ମୀ ବସର ଡ୍ରାଇଭର) ଗତକାଲି ରାତିରେ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ରାସ୍ତା ପାର୍ଶ୍ୱରେ ଛିଡା ହୋଇ ଥିଲେ। ଏହି ସମୟରେ ସାମ୍ନାପାଖରୁ ଦ୍ରୁତ ଗତିରେ ଆସୁଥିବା ଧଳା ରଙ୍ଗର ମାରୁତି ସୁଇଫ୍ଟ କାର (ନମ୍ବର: OD 11 AH 8605) ତାଙ୍କୁ ଧକ୍କା ଦେଇ ଉପରେ ଚଢ଼ିଯାଇଥିଲା।
ଗୁରୁତର ଅବସ୍ଥାରେ ସୁରେନ୍ଦ୍ରଙ୍କୁ ସଙ୍ଗେ ସଙ୍ଗେ କପ୍ତିପଦା ଡାକ୍ତରଖାନାକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣାର ଖବର ପାଇ କପ୍ତିପଦା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କାର ଡ୍ରାଇଭରକୁ ଗିରଫ କରିଛି। ଏହି ଘଟଣାକୁ ନେଇ କପ୍ତିପଦା ଥାନାରେ ୧/୨୬ ନମ୍ବର ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ଶବ ବ୍ୟବଛେଦ ପାଇଁ ମୃତଦେହକୁ ଉଦଳା ଡାକ୍ତରଖାନା ଶବଗୃହକୁ ପଠାଯାଇଛି।
ଡାକ୍ତରଖାନା ପରିସରରେ ପରିବାରବର୍ଗ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ମୃତକଙ୍କ ପରିବାରକୁ ସରକାରୀ ସହାୟତା ଦେବା ପାଇଁ ଗ୍ରାମବାସୀ ଓ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
ଅଶୁଭ ନୂଆ ବର୍ଷ: ଧଳା କାରର ଧକ୍କାରେ ଚାଲିଗଲା ଲକ୍ଷ୍ମୀ ବସ ଡ୍ରାଇଭରଙ୍କ ଜୀବନ
By Charcha News












