ଉଦଳା : (ରାଜୀବ କୁମାର ବେହେରା ) – ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅଧୀନ ନୁଦଡିହା ଗ୍ରାମ ପଞ୍ଚାୟତର ସର୍ବଣା ନିକଟ ନର୍ସରୀ ସାହିରେ ଘଟିଥିବା ଏକ ହୃଦୟବିଦାରକ ଘଟଣା ଯେଉଁ ଘଟଣା ସମଗ୍ର ଅଞ୍ଚଳକୁ ଗଭୀର ଭାବେ ଆନ୍ଦୋଳିତ କରିଛି। ସେଠାରେ ବସବାସ କରୁଥିବା ୩ ଜଣ ବେସାହାରା ଓ ଅନାଥ ନାବାଳକଙ୍କ ଦୁଃଖଦ କଥା ଖବର ମାଧ୍ୟମରେ ପ୍ରସାରିତ ହେବା ପରେ ସମସ୍ତଙ୍କ ମନକୁ ବିଚଳିତ କରିଦେଇଥିଲା।
ପ୍ରାପ୍ତ ତଥ୍ୟ ଅନୁସାରେ, ବର୍ଷେ ପୂର୍ବରୁ ସେମାନଙ୍କ ବାପାଙ୍କର ଦେହାନ୍ତ ଘଟିଥିଲା। ସମ୍ପ୍ରତି ମାଆଙ୍କ ମୃତ୍ୟୁ ପରେ ଅତି ଅଳ୍ପ ସମୟ ମଧ୍ୟରେ ବାପ–ମାଆ ଦୁହେଁକୁ ହାରାଇ ଏହି ତିନି ନାବାଳକ ଗଭୀର ଦୁଃଖ ଓ ଅନିଶ୍ଚିତ ଭବିଷ୍ୟତର ସମ୍ମୁଖୀନ ହୋଇପଡ଼ିଛନ୍ତି। ଅର୍ଥାଭାବ ହେତୁ ସେମାନେ ମାଆଙ୍କ ଶୁଦ୍ଧିକ୍ରିୟା କରିବାକୁ ମଧ୍ୟ ଅସମର୍ଥ ଥିବା କଥା ଜଣାପଡ଼ିଛି।
ଏହି ଦୁଃଖଦ ଖବର ପ୍ରଚାରିତ ହେବା ପରେ, ସମାଜସେବୀ ରଜନୀ ଦାସ ମାନବିକତାର ପରିଚୟ ଦେଇ ଉଦଳା ଭୀମତାଳିର ଶ୍ରୀରାମ ହେଲ୍ପ ଫର ର୍ୟୁ ଫାଉଣ୍ଡେସନ ପରିବାରକୁ ସହଯୋଗରେ ନେଇ ଆଗକୁ ଆସିଥିଲେ। ଦୁଃଖର ଏହି ସଂକଟମୟ ସମୟରେ ସଂସ୍ଥାର ସଦସ୍ୟମାନେ ଅସହାୟ ପରିବାରର ପାଖକୁ ସ୍ୱୟଂ ପହଁଚି ସହାୟତାର ହାତ ବଢ଼ାଇଥିଲେ।
ଶ୍ରୀରାମ ହେଲ୍ପ ଫର ର୍ୟୁ ଫାଉଣ୍ଡେସନ ପକ୍ଷରୁ ମାଆଙ୍କ ଶୁଦ୍ଧିକ୍ରିୟା ପାଇଁ ଚାଉଳ ଓ ମୁଢ଼ି, ୩ ଅନାଥ ନାବାଳକଙ୍କ ପାଇଁ ବସ୍ତ୍ର ଓ ଶୀତବସ୍ତ୍ର, ବୃଦ୍ଧା ବୁଢ଼ୀମାଆ ଙ୍କ ପାଇଁ ଶାଢ଼ୀ, ସମସ୍ତଙ୍କ ପାଇଁ କମ୍ବଳ ସହ ଆବଶ୍ୟକୀୟ ରାସନ ସାମଗ୍ରୀ ପ୍ରଦାନ କରାଯାଇଥିଲା। ଏହି ସହଯୋଗ ଅସହାୟ ପରିବାରକୁ ସାହସ ଓ ଆଶ୍ୱାସନ ଦେଇଥିବା ବେଳେ, ଦୁଃଖର ମୁହୂର୍ତ୍ତରେ ତାଙ୍କ ମୁହଁରେ କିଛିକ୍ଷଣ ପାଇଁ ହେଲେ ମଧ୍ୟ ହସ ଫୁଟାଇପାରିଥିଲା।
ଏଭଳି ନିସ୍ଵାର୍ଥପର ସେବା, ସମ୍ବେଦନଶୀଳତା ଓ ସାମାଜିକ ଦାୟିତ୍ୱବୋଧ ପାଇଁ ଶ୍ରୀରାମ ହେଲ୍ପ ଫର ର୍ୟୁ ଫାଉଣ୍ଡେସନ ପରିବାର ସମାଜର ସମସ୍ତ ମହଳରୁ ପ୍ରଶଂସା ସାଉଁଟୁଛି। ଏହି ଘଟଣା ପ୍ରମାଣ କରିଦେଇଛି ଯେ—
ଦୁଃଖୀ ଓ ଅସହାୟଙ୍କ ପାଖରେ ପହଞ୍ଚିବା ସତ୍ୟ ମାନବିକତାର ସବୁଠାରୁ ବଡ଼ ପରିଚୟ।












