ଜଳ-ଜଙ୍ଗଲ-ଜମି ଉପରେ ସୁରକ୍ଷା ସହ ଗ୍ରାମସଭାକୁ ମିଳିବ ଅଧିକ ଶକ୍ତି :
ଆସନ୍ତା କ୍ୟାବିନେଟରେ ଆସିବ ପେସା ଆଇନ ପ୍ରସ୍ତାବ । ସରକାର ସେଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ୪୧ଟି ବିଭାଗ ସହ ବିଚାର ବିମର୍ଷ କରାଯାଇଛି । ଆଜି ପେସା ଆଇନ ନିମନ୍ତେ ଶେଷ ବୈଠକ ଅନୁଷ୍ଠିତ ହେଉଛି । ୧୯୯୬ରୁ କେନ୍ଦ୍ରୀୟ ପେସା ଆଇନ ଆସିଥିଲେ ବି ଓଡ଼ିଶାରେ କାର୍ଯ୍ୟକାରୀ ହୋଇପାରି ନାହିଁ । ଏହାକୁ ଲାଗୁ ପାଇଁ ବାରମ୍ବାର ଦାବି ହୋଇ ଆସୁଛି ।
BY-SUBHASMITA-7.5.2026
ଆସନ୍ତା କ୍ୟାବିନେଟ ବୈଠକରେ ପେସା ଆଇନ ପ୍ରସ୍ତାବ ଆସିପାରେ । ଏହାକୁ ନେଇ ସରକାର ପ୍ରସ୍ତୁତି ଜୋରଦାର କରିଥିବା ବେଳେ ୪୧ଟି ବିଭାଗ ସହ ଆଲୋଚନା ଓ ବିଚାରବିମର୍ଶ କରାଯାଇଛି । ଆଜି ଏହି ଆଇନ ସମ୍ପର୍କିତ ଶେଷ ବୈଠକ ଅନୁଷ୍ଠିତ ହେଉଛି । ୧୯୯୬ ମସିହାରୁ କେନ୍ଦ୍ର ସରକାର ପେସା ଆଇନ ଆଣିଥିଲେ ମଧ୍ୟ ଓଡ଼ିଶାରେ ଏହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରିନାହିଁ । ଦୀର୍ଘଦିନ ଧରି ଏହି ଆଇନ ଲାଗୁ କରିବା ପାଇଁ ବିଭିନ୍ନ ଆଦିବାସୀ ସଂଗଠନ ଓ ସାମାଜିକ ମଞ୍ଚ ଦାବି ଜଣାଇଆସୁଥିଲେ । ବିଭିନ୍ନ ସମୟରେ ଏହାକୁ ନେଇ ଆନ୍ଦୋଳନ ମଧ୍ୟ ହୋଇଛି ।
ପେସା ଆଇନ ଅନୁସୂଚିତ ଅଂଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟକୁ ସ୍ୱୟଂଶାସନର ଅଧିକାର ଦେଇଥାଏ । ଆଦିବାସୀଙ୍କୁ ଶକ୍ତିଶାଳୀ କରିବା ଏହି ଆଇନର ମୂଳ ଉଦ୍ଦେଶ୍ୟ ଅଟେ । ଜଳ, ଜଙ୍ଗଲ ଓ ଜମି ଉପରେ ସେମାନଙ୍କର ପାରମ୍ପରିକ ଅଧିକାରକୁ ସୁରକ୍ଷା ଦେବା ଏହାର ପ୍ରମୁଖ ଲକ୍ଷ୍ୟ । ଏହି ଆଇନ ଅନୁସାରେ ପ୍ରତ୍ୟେକ ଗ୍ରାମରେ ସ୍ୱତନ୍ତ୍ର ଗ୍ରାମସଭା ଗଠନ ହେବ । ଗ୍ରାମସଭା ସ୍ଥାନୀୟ ପରମ୍ପରା, ସଂସ୍କୃତି ଓ ସାମୁଦାୟିକ ସମ୍ପତ୍ତିର ସୁରକ୍ଷା କରିବ । ସେହିପରି କୌଣସି ଜମି ଅଧିଗ୍ରହଣ କିମ୍ବା ବିସ୍ଥାପନ ପୂର୍ବରୁ ଗ୍ରାମସଭାର ଅନୁମତି ନେବା ବାଧ୍ୟତାମୂଳକ ହେବ । ଏହି ଆଇନ ଲାଗୁ ହେଲେ ରାଜ୍ୟର ୧୦ଟି ଜିଲ୍ଲାର ଅନୁସୂଚିତ ଅଂଚଳରେ ବସବାସ କରୁଥିବା ଆଦିବାସୀ ସମ୍ପ୍ରଦାୟ ବିଶେଷ ଭାବେ ଉପକୃତ ହେବେ ।
ଚର୍ଚ୍ଚା news












