ଉଦଳା – (ରାଜୀବ କୁମାର ବେହେରା ) – ଘରେ କେହି ନଥିବାର ସୁଯୋଗ ନେଇ ଘର ର ତାଲା ଭାଙ୍ଗି ଘରେ ପଶିଲେ ଦୁର୍ବୁତ୍ତ ଆଉ ଟଙ୍କା ପଇସା ସହିତ ଲକ୍ଷାଧିକ ଟଙ୍କାର ଗହଣା ଲୁଟି ନେଲେ l ଉଦଳା ଅଞ୍ଚଳ ଧୀରେଧୀରେ ଅପରାଧର ଗଡ଼ରେ ପରିଣତ ହେଉଥିବା ପରି ଲାଗୁଛି। ଲଗାତାର ଚୋରି ଓ ଲୁଟ ଘଟଣା ଅଞ୍ଚଳବାସୀଙ୍କ ମନରେ ଭୟ ସୃଷ୍ଟି କରିଛି। ଥମିବାର ନାଁ ନେଉନି ଚୋରୀ ଘଟଣା l ମନ୍ଦିରରେ ଚୋରି ଘଟଣା ପରେ ଏବେ ଦୁର୍ବୁତ୍ତମାନେ ବନ୍ଦ ଘରକୁ ଟାର୍ଗେଟ କରି ସର୍ବସ୍ବ ଲୁଟିନେଉଥିବା ଘଟଣା ସାଧାରଣ ଲୋକଙ୍କ ଆତଙ୍କକୁ ଆହୁରି ବଢ଼ାଇ ଦେଇଛି।
ଏଭଳି ଏକ ଅଭାବନୀୟ ଘଟଣା ଉଦଳା ଥାନା ଅଧୀନସ୍ଥ ପାଟପୁର ଗ୍ରାମରେ ଘଟିଛି। ସୂଚନା ଅନୁସାରେ, ଗ୍ରାମରେ ବାଥୁଡ଼ି ସମାଜର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ମନୋଜ କୁମାର ମଢେଇ ତାଙ୍କ ପରିବାର ସହିତ ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ସମୟରେ ଘର ଖାଲି ଥିବା ସୁଯୋଗକୁ ନେଇ ଦୁର୍ବୁତ୍ତମାନେ ଚୋରି କରିଥିବା ସୂଚନା ମିଳିଛି।
ସନ୍ଧ୍ୟା ସମୟରେ ଦୋକାନ ବନ୍ଦ କରି ମନୋଜଙ୍କ ସ୍ତ୍ରୀ ଘରକୁ ଫେରି ଦେଖିଥିଲେ ଯେ ଘର ସମ୍ପୂର୍ଣ୍ଣ ଅନ୍ଧାର ଓ ମୁଖ୍ୟ ଦୁଆରର ତାଲା ଭାଙ୍ଗା ଅବସ୍ଥାରେ ଅଛି। ଏହା ଦେଖି ସେ ତୁରନ୍ତ ଘରଲୋକଙ୍କୁ ଡାକିଥିଲେ।
ଘରଲୋକେ ପହଞ୍ଚି ଦେଖିଥିଲେ ଯେ ମୁଖ୍ୟ ଦୁଆର ଓ ଆଲମାରୀ ଭାଙ୍ଗା, ସମସ୍ତ ବିଦ୍ୟୁତ ବଲ୍ବ ଖୋଲାଯାଇଛି ଏବଂ ଘର ଭିତରେ ସାମଗ୍ରୀ ଏଣେତେଣେ ପଡ଼ିଛି। ଦୁର୍ବୁତ୍ତମାନେ ଘରର ପଛପାଖ ଝରକା କାଟି ପ୍ରଥମେ ଘର ଭିତରକୁ ଲକ୍ଷ କରି ଦେଖି ଏହି କାଣ୍ଡ ଘଟାଏ ଛନ୍ତି । ଦୁଃଖର ବିଷୟ
ଦୁର୍ବୁତ୍ତମାନେ ମନୋଜ ମଢେଇ ଦୋକାନ କରି ଗୋଟିଗୋଟି କରି ସଞ୍ଚୟ କରିଥିବା ନଗଦ ଅର୍ଥ ସହ ଲକ୍ଷାଧିକ ଟଙ୍କାର ସୁନା–ରୂପା ଗହଣା କୁ ଲୁଟ କରି ଫେରାର ମାରିଛନ୍ତି।
ଘଟଣା ସମ୍ପର୍କରେ ସୂଚନା ପାଇ ଉଦଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଚିନ୍ତାର ବିଷୟ ହେଉଛି—ପୂର୍ବରୁ ମଧ୍ୟ ପାଟପୁର ଗ୍ରାମରେ ଦୁଇରୁ ତିନିଟି ଘରୁ ଚୋରି ଘଟଣା ଘଟିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଚୋରମାନଙ୍କ ସନ୍ଧାନ ମିଳିନାହିଁ।
ପୁଣି ଏଭଳି ଘଟଣା ଘଟିବା ଦ୍ୱାରା ସ୍ପଷ୍ଟ ହେଉଛି ଯେ ଦୁର୍ବୁତ୍ତମାନେ ପୋଲିସ ପ୍ରଶାସନକୁ ଖୋଲା ଚ୍ୟାଲେଞ୍ଜ ଦେଇ ସନ୍ଧ୍ୟା ସମୟରେ ଘରେ ପଶି ଲୁଟ କରୁଛନ୍ତି। ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ଭୟ ଓ ଅସନ୍ତୋଷ ଚରମ ସୀମାକୁ ପହଞ୍ଚିଛି।
ପ୍ରଶ୍ନ ଉଠୁଛି—
ଲଗାତାର ଚୋରି ଘଟଣା ସତ୍ତ୍ୱେ ପୋଲିସ କାହିଁକି ନିରବ?
କେବେ ଉଦଳା ପୋଲିସ ଏହି ଲୁଟେରା ଗ୍ୟାଙ୍ଗର ପର୍ଦାଫାଶ କରି ସାଧାରଣ ଲୋକଙ୍କୁ ସୁରକ୍ଷାର ଭରସା ଦେବ?
ଏହି ଘଟଣାକୁ ନେଇ ସମଗ୍ର ଉଦଳା ଅଞ୍ଚଳରେ ତୀବ୍ର ଆଲୋଚନା ଚାଲିଛି।
ଉଦଳାରେ ଚୋରି ଆତଙ୍କ: ମନ୍ଦିର ପରେ ବନ୍ଦ ଘର ଟାର୍ଗେଟ, ଲକ୍ଷାଧିକ ଟଙ୍କାର ଗହଣା–ନଗଦ ଲୁଟ
By Charcha News












