ଉଦଳା: (ରାଜୀବ କୁମାର ବେହେରା) -କୋଟି ବ୍ରହ୍ମାଣ୍ଡର ମଉଡ଼ମଣି, ଭାବର ଠାକୁର କାଳିଆ—ଶ୍ରୀଜଗନ୍ନାଥ ଭକ୍ତଙ୍କ ହୃଦୟରେ ବସିଥିବା ଏକ ଅଦ୍ଭୁତ ଆସ୍ଥାର ନାମ। ଆଖିରେ ଦେଖାଯାଉ କି ନ ଦେଖାଯାଉ, ଭାବରେ ଦେଖାଦେଉଥିବା ଏହି ଠାକୁରଙ୍କୁ ନିଜ ଶିଳ୍ପରେ ସୂକ୍ଷ୍ମତମ ରୂପ ଦେଇ ବିଶ୍ୱମଞ୍ଚରେ ଓଡ଼ିଶାର ଗୌରବ ବଢ଼ାଇଛନ୍ତି ଉଦଳାର ଯୁବ ଶିଳ୍ପୀ ତୁଷାର ମହାନ୍ତି।
ମୟୂରଭଞ୍ଜ ଜିଲ୍ଲା, ସିମିଳିପାଳ ପାଦଦେଶରେ ଅବସ୍ଥିତ ଉଦଳା ବିଜ୍ଞାପିତ ଅଞ୍ଚଳ ପରିଷଦର ମେଣ୍ଢାଖାଇ ୮ ନମ୍ବର ୱାର୍ଡ—ଏହି ସାଧାରଣ ଅଞ୍ଚଳରୁ ଜନ୍ମ ନେଇଥିବା ତୁଷାର ଆଜି ଅସାଧାରଣ ସାଧନାର ପରିଚୟ। ସ୍ୱର୍ଗତ ବିରଞ୍ଚି ନାରାୟଣ ମହାନ୍ତିଙ୍କ ପୁତ୍ର ତୁଷାର ଛୋଟବୟସରୁ କଳାପ୍ରତି ଆକୃଷ୍ଟ। ତାଙ୍କର ବଡ଼ବାପା, ସ୍ୱର୍ଗତ ରବି ନାରାୟଣ ମହାନ୍ତି—ଜଣେ ପ୍ରତିଷ୍ଠିତ ମୂର୍ତ୍ତିକାର—ଙ୍କ ଆଦର୍ଶ ଓ ହସ୍ତଶିଳ୍ପର ଶିକ୍ଷା ତୁଷାରଙ୍କ ଜୀବନପଥକୁ ନିର୍ଦ୍ଦେଶ କରିଥିଲା।
୨୦୧୫ ମସିହାରୁ ନିମ୍ବ କାଠକୁ ମାଧ୍ୟମ କରି ତୁଷାର ଗୋଟିଏ ପରେ ଗୋଟିଏ ସୁନ୍ଦର ଶ୍ରୀଜଗନ୍ନାଥ, ବଳଭଦ୍ର, ମା ସୁଭଦ୍ରା ଓ ସୁଦର୍ଶନଙ୍କ ଚତୁର୍ଦ୍ଧା ମୂର୍ତ୍ତି ଗଢ଼ିଆସୁଛନ୍ତି। କିନ୍ତୁ ଯେଉଁ କୃତି ତାଙ୍କୁ ବିଶ୍ୱସ୍ତରରେ ପରିଚିତ କରାଇଛି, ସେହି କୃତି ହେଉଛି ୦.୮ ମାଇକ୍ରୋମିଟର ପରିମାଣର ବିଶ୍ୱର ସବୁଠାରୁ ଛୋଟ ଶ୍ରୀଜଗନ୍ନାଥ ବିଗ୍ରହ—ଯାହା ଖାଲି ଆଖିରେ ଦେଖାଯାଏ ନାହିଁ, କିନ୍ତୁ ଭକ୍ତିର ଦୃଷ୍ଟିରେ ଅପାର।
କେବଳ ୧୫ ମିନିଟ ୫୧ ସେକେଣ୍ଡ ସମୟରେ ଏହି ସୂକ୍ଷ୍ମ ବିଗ୍ରହ ଗଢ଼ି ତୁଷାର ପୂର୍ବରୁ ଇଣ୍ଟରନ୍ୟାସନାଲ ବୁକ୍ ଅଫ୍ ରେକର୍ଡ, ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ଓ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଥିଲେ। ସାମ୍ପ୍ରତିକ ଭାବେ ସେ ଏକ୍ସକ୍ଲୁସିଭ୍ ୱାର୍ଲ୍ଡ ରେକର୍ଡ ହାସଲ କରି ଆଉ ଗୋଟିଏ ମାଇଲ୍ସ୍ଟୋନ୍ ସ୍ଥାପନ କରିଛନ୍ତି।
ନିଜ ସଫଳତା ବିଷୟରେ ତୁଷାରଙ୍କ ନମ୍ର ଉକ୍ତି—“ଏସବୁ ବଡ଼ ଠାକୁରଙ୍କ ଇଚ୍ଛା। ମୁଁ କେବଳ ଏକ ମାଧ୍ୟମ।” ତାଙ୍କର ଏହି ସଫଳତାରେ ପରିବାର ସହ ସମଗ୍ର ଉଦଳା ଅଞ୍ଚଳ ଆଜି ଗର୍ବିତ। ନିମ୍ବ କାଠର ସୂକ୍ଷ୍ମ ସ୍ପର୍ଶରେ କାଳିଆଙ୍କୁ ଗଢ଼ି, ତୁଷାର ଆଜି ଓଡ଼ିଶାର ଶିଳ୍ପସାଧନାକୁ ବିଶ୍ୱଦରବାରରେ ପହଞ୍ଚାଇଦେଇଛନ୍ତି—ଏବଂ ଯୁବପିଢ଼ୀ ପାଇଁ ହୋଇଉଠିଛନ୍ତି ଏକ ପ୍ରେରଣାମୟ ଦୃଷ୍ଟାନ୍ତ।












