ଉଦଳା: (ରାଜୀବ କୁମାର ବେହେରା )- ଉଦଳା ଆହାର କେନ୍ଦ୍ରର ଟିକେଟ କାଉଣ୍ଟରରୁ ମନିପର୍ସ ଚୋରୀ ହୋଇଥିବା ଏକ ଘଟଣା ସାମ୍ନାକୁ ଆସିଛି। ଘଟଣାଟି ଆଜି ଅପରାହ୍ନ ପ୍ରାୟ ୩ଟା ସମୟରେ ଘଟିଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, କେହି ଜଣେ ଅଚିହ୍ନା ଯୁବକ ଖାଦ୍ୟ ଖାଇବା ନିମିତ୍ତରେ ଆହାର କେନ୍ଦ୍ରକୁ ଆସିଥିଲେ। ସେ କାଉଣ୍ଟରରେ କେହି ନଥିବା ଦେଖି ବାହାର ପଟୁ ହାତ ବଢ଼ାଇ ଆହାର କେନ୍ଦ୍ରର କାର୍ଯ୍ୟରତ ଷ୍ଟାଫ ପୁଷ୍ପପିତା ବେହେରାଙ୍କ ମନିପର୍ସଟି ନେଇ ପଳାଇଯାଇଥିଲେ।
ଘଟଣା ସମୟର ସମ୍ପୂର୍ଣ୍ଣ ଦୃଶ୍ୟ ଆହାର କେନ୍ଦ୍ରରେ ଲାଗିଥିବା ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଛି। ସୂଚନା ରୁ ଉକ୍ତ ମୋନିପୋର୍ସ ରେ ୫୦୦୦ ଟଙ୍କା ଏବଂ ଦୁଇ ଗୋଟି ATM କାର୍ଡ ଥିବା ସୂଚନା ମିଳିଛି l ଘଟଣା ପରେ ଅଭିଯୁକ୍ତଙ୍କୁ ଧରିବା ପାଇଁ ତୁରନ୍ତ ଖୋଜାଖୋଜି କରାଯାଇଥିଲେ ମଧ୍ୟ କୌଣସି ସୂତ୍ର ମିଳିନଥିବାରୁ, ଶେଷରେ ପୀଡିତାଙ୍କ ପକ୍ଷରୁ ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ ଦାଖଲ କରାଯାଇଛି।
ପୋଲିସ ସୂଚନା ଅନୁସାରେ, ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତଙ୍କ ପରିଚୟ ନିର୍ଣ୍ଣୟ ଓ ଗିରଫ ପାଇଁ ତଦନ୍ତ ଜୋରଦାର କରାଯାଇଛି। ଚୋରଙ୍କ ଫଟୋ ସାର୍ବଜନୀନ କରାଯାଇଥିବା ବେଳେ, କେହି ତାଙ୍କୁ ଚିହ୍ନିଥିଲେ କିମ୍ବା ତାଙ୍କ ସମ୍ପର୍କରେ କୌଣସି ସୂଚନା ଜାଣିଥିଲେ, ନିକଟସ୍ଥ ଉଦଳା ପୋଲିସ ଥାନାକୁ ସୂଚନା ଦେବାକୁ ପୋଲିସ ପକ୍ଷରୁ ଅନୁରୋଧ କରାଯାଇଛି।
ସାଧାରଣ ଲୋକଙ୍କ ଭିଡ଼ ଥିବା ସ୍ଥାନରେ ଏପରି ଚୋରୀ ଘଟଣା ଘଟିବା ନିଶ୍ଚୟ ଚିନ୍ତାଜନକ। ଏପରି ଘଟଣା ପୁନରାବୃତ୍ତି ନ ହେବା ପାଇଁ ସମସ୍ତଙ୍କୁ ସଚେତନ ରହିବା ସହିତ ସୁରକ୍ଷା ବ୍ୟବସ୍ଥା କଢ଼ିକରା କରିବା ଆବଶ୍ୟକ ବୋଲି ସାଧାରଣ ମତ ପ୍ରକାଶ ପାଇଛି।
ପୋଲିସ ତଦନ୍ତ ପରେ କେବେ ଅଭିଯୁକ୍ତ ଗିରଫ ହେବେ, ସେନେଇ ସମସ୍ତଙ୍କ ନଜର ରହିଛି।












