ସୋସିଆଲ ମିଡିଆରେ ଦ୍ରୁତ ଜନପ୍ରିୟତା ହାସଲ କରୁଥିବା ବ୍ୟଙ୍ଗାତ୍ମକ ରାଜନୈତିକ ସଂଗଠନ ”କକରୋଚ୍ ଜନତା ପାର୍ଟି” (ସିଜେପି)କୁ ଆଇନଗତ ମୋର୍ଚ୍ଚାରେ ଏକ ବଡ଼ ଧକ୍କା ଲାଗିଛି
ସୋସିଆଲ ମିଡିଆରେ ଦ୍ରୁତ ଜନପ୍ରିୟତା ହାସଲ କରୁଥିବା ବ୍ୟଙ୍ଗାତ୍ମକ ରାଜନୈତିକ ସଂଗଠନ ”କକରୋଚ୍ ଜନତା ପାର୍ଟି” (ସିଜେପି)କୁ ଆଇନଗତ ମୋର୍ଚ୍ଚାରେ ଏକ ବଡ଼ ଧକ୍କା ଲାଗିଛି । ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ”ଏକ୍ସ”ରେ ଦଳର ସ୍ଥଗିତ ହୋଇଥିବା ଆକାଉଣ୍ଟକୁ ତୁରନ୍ତ ପୁନଃ କାର୍ଯ୍ୟକ୍ଷମ କରିବା ପାଇଁ ହୋଇଥିବା ଆବେଦନକୁ ଦିଲ୍ଲୀ ହାଇକୋର୍ଟ ଶୁକ୍ରବାର ଦିନ ପ୍ରତ୍ୟାଖ୍ୟାନ କରିଛନ୍ତି। ଜଷ୍ଟିସ୍ ପୁରୁଷେନ୍ଦ୍ର କୁମାର କୌରବଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ସ୍ପଷ୍ଟ କରିଛନ୍ତି ଯେ, ସମ୍ପୃକ୍ତ ଆକାଉଣ୍ଟରୁ ପୋଷ୍ଟ କରାଯାଇଥିବା କେତେକ ବିଷୟବସ୍ତୁ ପ୍ରାଥମିକ ଦୃଷ୍ଟିରୁ ”ଆପତ୍ତିଜନକ” ମନେହେଉଛି। ଏଭଳି ପରିସ୍ଥିତିରେ କୌଣସି ତୁରନ୍ତ କିମ୍ବା ଅନ୍ତରୀଣ ନିର୍ଦ୍ଦେଶ ଜାରି କରାଯାଇପାରିବ ନାହିଁ ।
ଅଦାଲତ କହିଛନ୍ତି ଯେ ଏହି ସମ୍ପୂର୍ଣ୍ଣ ବିବାଦର ଏକ ”ସାମଗ୍ରିକ ସମୀକ୍ଷା” ଆବଶ୍ୟକ ଏବଂ ଏହି ସମ୍ୱେଦନଶୀଳ ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ”ଏକ୍ସ” କମ୍ପାନିର ଆନୁଷ୍ଠାନିକ ପକ୍ଷ ଶୁଣିବା ପରେ ହିଁ କୋର୍ଟ କୌଣସି ଚୂଡ଼ାନ୍ତ ଆଦେଶ ପ୍ରଦାନ କରିବେ। ଖଣ୍ଡପୀଠ କେନ୍ଦ୍ର ସରକାରଙ୍କ ଓକିଲଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସରକାରଙ୍କ ଆପତ୍ତି ଓ ଦଲିଲ୍ ଉପରେ ବିଚାର କରିବା ପୂର୍ବରୁ କୋର୍ଟ କୌଣସି ଏକତରଫା ନିଷ୍ପତ୍ତି ନେବେ ନାହିଁ।
ଦେଶର ଯୁବପିଢ଼ିଙ୍କୁ ନେଇ ସୃଷ୍ଟି ହୋଇଥିବା ଏକ ବିବାଦୀୟ ବ୍ୟାଖ୍ୟାନ ପରେ ଏହି ସଂଗଠନ ଏକ ମଜାକ୍ ଭାବେ ଆରମ୍ଭ ହୋଇଥିଲା। ମାତ୍ର ଖୁବଶୀଘ୍ର ବିରୋଧୀ ଦଳ ଓ ଯୁବବର୍ଗଙ୍କ ସମର୍ଥନ ଯୋଗୁଁ ଇନଷ୍ଟାଗ୍ରାମରେ ଏହା ବିଜେପିକୁ ମଧ୍ୟ ପଛରେ ପକାଇ ଦେଇଥିଲା। ଏହି ବୃଦ୍ଧି ମଧ୍ୟରେ ସରକାରୀ ନିର୍ଦ୍ଦେଶରେ ଏହାର ”ଏକ୍ସ” ଆକାଉଣ୍ଟ ବ୍ଲକ୍ କରାଯାଇଥିଲା, ଯାହା ବିରୁଦ୍ଧରେ ଏବେ ଆଇନଗତ ଲଢ଼େଇ ଜାରି ରହିଛି ।
ଚର୍ଚ୍ଚା news












