BY-ରବିନ୍ଦ୍ର ନାଥ ମହାପାତ୍ର
ରାୟଗଡ଼ା :ମଦ ନିଶାରେ ମଣିଷ ନିଜ ହିତାହିତ ଜ୍ଞାନ ସହ ଆଇନ ଶୃଙ୍ଖଳା କୁ ବି ଭୁଲି କଣ କେତେ ବେଳେ କାଣ୍ଡ ଘଟାଉଛି ତାହା କାହାକୁ ଜଣା ପଡୁନି।ମଦ ନିଶା ଖାଇ ଗାଁ ଦାଣ୍ଡରେ ଜଣେ ଯୁବକ ଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ବଲ୍ଲବପୁର ଗ୍ରାମରେ।ମୃତକ ଜଣକ ହେଲେ ରବି ଶବର ବୟସ ପାଖାପାଖି ୩୫।ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛ।ଏପଟେ ପରିବାର ଲୋକେ କହିଛନ୍ତି ଆମକୁ ନ୍ୟାୟ ପ୍ରଦାନ କରାଯାଉ।
ସୂଚନା ଅନୁସାରେ, ଗତ ଶୁକ୍ରବାର ଦିନ ବଲ୍ଲଭପୁର ଗ୍ରାମର ଶ୍ୟାମ ପରଜା ଏବଂ ଦୟାନିଧି ଶବର ନିଶାସକ୍ତ ଅବସ୍ଥାରେ ସାହି ମଧ୍ୟରେ ପାଟିତୁଣ୍ଡ କରୁଥିଲେ। ଏହି ସମୟରେ ସେହି ଗ୍ରାମର ରବି ଶବର ସେମାନଙ୍କୁ ସାହି ଭିତରେ ଗଣ୍ଡଗୋଳ ନକରିବା ପାଇଁ କରିଥିଲେ। ଏହାକୁ ନେଇ ଦୟାନିଧି ଶବର ପଦ୍ମପୁର ଥାନାରେ ଶ୍ୟାମ ପରଜାଙ୍କ ନାମରେ ଏକ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଶ୍ୟାମକୁ ଥାନାକୁ ଆଣି ବୁଝାସୁଝା କରି ପରବର୍ତ୍ତୀ ସମୟରେ ଛାଡ଼ି ଦେଇଥିଲା। ତେବେ ଏହି ଘଟଣାକୁ ନେଇ ଶ୍ୟାମ ମନରେ ପ୍ରତିଶୋଧର ନିଆଁ ଜଳୁଥିଲା।
ଶନିବାର ଅପରାହ୍ନ ପାଖାପାଖି ୩ଟା ସମୟରେ ଗ୍ରାମରେ ଏକ ଭୋଜି ଚାଲିଥିବା ବେଳେ ସେଠାରେ ରବି ଶବର ଉପସ୍ଥିତ ଥିଲେ। ଏହାର ସୁଯୋଗ ନେଇ ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ଥିବା ଶ୍ୟାମ ପରଜା ପଛ ପଟୁ ଆସି ଏକ ଟାଙ୍ଗିଆ ଦ୍ୱାରା ରବିଙ୍କୁ ଆକ୍ରମଣ କରିଥିଲା। ରବି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେଠାରେ ଟଳି ପଡ଼ିଥିଲେ। ଗ୍ରାମବାସୀ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ରବିଙ୍କୁ ଉଦ୍ଧାର କରି ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣି ଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଖବର ପାଇ ପଦ୍ମପୁର ଥାନା ପୋଲିସ ମେଡିକାଲରେ ପହଞ୍ଚି ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏହା ସହିତ ଫୋରେନ୍ସିକ ଓ ଅନୁସନ୍ଧାନକାରୀ ଦଳ ସହ ଘଟଣାସ୍ଥଳରେ ରାତି 9ରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତ ଶ୍ୟାମ ପରଜାକୁ ଅଟକ ରଖିଛି । ପୂର୍ବରୁ କୌଣସି ଶତ୍ରୁତା ନଥାଇ କେବଳ ନିଶା ଜନିତ ଉତ୍ତେଜନାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସର ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି।ଏପଟେ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି ।
ଚର୍ଚ୍ଚା news












