ତାରିଖ ୧୫-୧୨-୧୦୨୫
ସାମ୍ବାଦିକ : ରାଜୀବ କୁମାର ବେହେରା
ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲାର କପ୍ତିପଦା ବନବିଭାଗ ଅଧୀନ ପୋଡାଡିହା ରେଞ୍ଜ ଅନ୍ତର୍ଗତ ଗଣ୍ଡିଧର କୁସୁନପୁର ଗ୍ରାମରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ଗ୍ରାମବାସୀ ଗୁରୁତର ଆହତ ହୋଇଛନ୍ତି। ଏହି ଅଭାବନୀୟ ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଅସନ୍ତୋଷର ପରିବେଶ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ପୋଡାଡିହା ଗଣ୍ଡିଧର ଟିଆଖାଇ କୁସୁନପୁର ଗ୍ରାମର ନୀଳକଣ୍ଠ ପାଣିହାରୀଆ ସକାଳ ଭୋର ସମୟରେ ଘର ନିକଟରେ ହେଉଥିବା ଶବ୍ଦ ଶୁଣି ଅନ୍ଧାର ରେ ବାହାରକୁ ଯାଇଥିଲେ। ସେହି ସମୟରେ ଘର ପାଖରେ ଧାନ ଖାଉଥିବା ଏକ ଜଙ୍ଗଲୀ ହାତୀ ସାମ୍ନାରେ ଅନ୍ଧାର ଥିବାରୁ ଜାଣି ନପାରି ସାମ୍ନାରେ ପଡ଼ିଯାଇଥିଲେ। ହଠାତ୍ ହାତୀ ଆକ୍ରମଣ କରି ନୀଳକଣ୍ଠଙ୍କୁ ଶୁଣ୍ଢ ଦ୍ୱାରା ଟେକି କିଛିବାଟ ଫିଙ୍ଗି ଦେଇଥିଲା। ଆକ୍ରମଣରେ ସେ ଘର ନିକଟରେ ଥିବା ଏକ ନାଳରେ ପଡ଼ିଯାଇଥିଲେ। ଉଠିବାକୁ ଚେଷ୍ଟା କରୁଥିବା ବେଳେ ହାତୀ ତାଙ୍କ ଡାହାଣ ହାତକୁ ଦଳି ମକଚି ଦେଇଥିଲା। ଅନ୍ଧାରର ସୁଯୋଗ ନେଇ ହାତୀଟି ପଳାଇ ଯାଇଥିଲା। ଘଟଣା ପରେ ଘରଲୋକ ଓ ଗ୍ରାମବାସୀମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ନୀଳକଣ୍ଠଙ୍କୁ ତୁରନ୍ତ ଉଦଳା ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ କାର୍ଯ୍ୟରତ ଡାକ୍ତରମାନେ ତାଙ୍କୁ ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଘଟଣା ସମ୍ପର୍କରେ ବନବିଭାଗକୁ ସୂଚନା ଦିଆଯାଇଥିଲେ ମଧ୍ୟ ଘଟଣା ସ୍ଥଳରେ ତୁରନ୍ତ କୌଣସି ଅଧିକାରୀ ପହଞ୍ଚି ନଥିଲେ। ଏହାକୁ ନେଇ ପ୍ରଶାସନୀୟ ଅବହେଳା ଅଭିଯୋଗ ଉଠିଛି। ସ୍ଥାନୀୟ ଲୋକମାନଙ୍କ କହିବା ଅନୁଯାୟୀ, ପୂର୍ବରୁ ଏହି ଅଞ୍ଚଳରେ ମହାବଳ ବାଘ ଉପଦ୍ରବ ଥିବା ବେଳେ ବର୍ତ୍ତମାନ ଜଙ୍ଗଲୀ ହାତୀ ଉପଦ୍ରବ ଦିନକୁ ଦିନ ବଢ଼ୁଛି। ରାତି ଓ ଭୋର ସମୟରେ ହାତୀମାନେ ଗ୍ରାମ ଭିତରକୁ ପଶି ଧାନ ସହିତ ଅନ୍ୟାନ୍ୟ ଫସଲ ନଷ୍ଟ କରୁଥିବା ସହ ଜୀବନ ପାଇଁ ଭୟଙ୍କର ଆଶଙ୍କା ସୃଷ୍ଟି କରୁଛନ୍ତି। ଏହି ଘଟଣା ପରେ ଗ୍ରାମବାସୀମାନେ ଆହତଙ୍କୁ ତୁରନ୍ତ ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ, ଅଞ୍ଚଳରେ ସ୍ଥାୟୀ ସୁରକ୍ଷା ବ୍ୟବସ୍ଥା, ସୋଲାର ଫେନ୍ସିଂ, ଓଚ୍ଚ ଟାୱାର, ଗ୍ରାମ ସୀମାରେ ଆଲୋକ ବ୍ୟବସ୍ଥା ସହ ତ୍ୱରିତ ହାତୀ ସ୍କ୍ୱାଡ୍ ନିଯୁକ୍ତି ପାଇଁ ଦାବି କରିଛନ୍ତି। ମାନବ ଜୀବନ ଓ ସମ୍ପତ୍ତି ସୁରକ୍ଷା ପ୍ରଶାସନର ପ୍ରଥମ ଦାୟିତ୍ୱ। ଏଭଳି ଘଟଣାକୁ କେବଳ ଆଉ ଗୋଟିଏ ଆଙ୍କଡା ଭାବେ ନଦେଖି, ଗ୍ରାମୀଣ ଅଞ୍ଚଳରେ ମାନବ–ବନ୍ୟଜନ୍ତୁ ସଂଘର୍ଷ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପ୍ରଶାସନ ତୁରନ୍ତ ଓ ପ୍ରଭାବୀ ପଦକ୍ଷେପ ନେବା ଏବେ ସମୟର ଦାବି ହୋଇଛି।












