ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ହତ୍ୟା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଉତ୍ତର ପ୍ରଦେଶରୁ ତିନି ଜଣଙ୍କୁ ଗିରଫ କରାଯାଇଛି ବୋଲି ସୋମବାର ଦିନ ପୁଲିସ ସୂଚନା ପ୍ରଦାନ କରିଛି ।
ପଶ୍ଚିମବଙ୍ଗରେ ଚର୍ଚ୍ଚାର ବିଷୟ ପାଲଟିଛି ଶୁଭେନ୍ଦୁ ଅଧିକାରୀଙ୍କ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ହତ୍ୟାକାଣ୍ଡ। ଏହି ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଥିବା ବେଳେ ଉତ୍ତର ପ୍ରଦେଶରୁ ୩ ଜଣଙ୍କୁ ଗିରଫ କରାଯାଇଛି। ତଦନ୍ତ କରୁଥିବା SIT ଡିଜିଟାଲ୍ ପ୍ରମାଣ ଓ ଆନ୍ତଃରାଜ୍ୟ ସଂଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। ଗିରଫ ହୋଇଥିବାମାନଙ୍କ ମଧ୍ୟରୁ ବିହାରର ବକ୍ସର ଜିଲ୍ଲାର ବିଶାଲ ଶ୍ରୀବାସ୍ତବଙ୍କ ନାମ ସାମ୍ନାକୁ ଆସିଛି। ତଦନ୍ତକାରୀମାନଙ୍କ ସନ୍ଦେହ ଅନୁସାରେ, ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ପ୍ରଶିକ୍ଷିତ ସାର୍ପସୁଟର ହୋଇପାରନ୍ତି। ହତ୍ୟା ପୂର୍ବରୁ ଚନ୍ଦ୍ରନାଥଙ୍କ ଉପରେ ଗୁପ୍ତଚରୀ କରାଯାଇଥିବା ମଧ୍ୟ ତଦନ୍ତରୁ ଜଣାପଡ଼ିଛି। ୬ ମେ’ ରାତିରେ ଉତ୍ତର ୨୪ ପରଗଣାର ମଧ୍ୟମଗ୍ରାମରେ ଚନ୍ଦ୍ରନାଥ ରଥଙ୍କୁ ନିକଟରୁ ଗୁଳି କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ମୋଟ ୮ ଜଣ ଲୋକ ସାମିଲ ଥିବା ସନ୍ଦେହ କରାଯାଉଛି। ପୁଲିସ ଆକ୍ରମଣକାରୀମାନଙ୍କ ବ୍ୟବହୃତ ଦୁଇଟି ବାଇକ୍ ମଧ୍ୟରୁ ଗୋଟିଏକୁ ଜବତ କରିଛି। ଘଟଣାକୁ ନେଇ ରାଜନୈତିକ ମହଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ଏହା ପଛରେ ବଡ଼ ଷଡଯନ୍ତ୍ର ଥିବା ଆଶଙ୍କା କରାଯାଉଛି ।
ଚର୍ଚ୍ଚା news
