ରାୟଗଡ; ରବିନ୍ଦ୍ର ନାଥ ମହାପାତ୍ର:-ଡାହାଣୀ ସନ୍ଦେହରେ ଘଟୁଥିବା ନିର୍ଯାତନା ଭଳି ଅମାନବିକ କୁପ୍ରଥାକୁ ରୋକିବା ଓ ସମାଜରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆଜି ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ରାୟଗଡ ଶ୍ରୀମତୀ ମିନତୀ ଦେଓଙ୍କ ଅଧକ୍ଷତାରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଡାହାଣୀ ସନ୍ଦେହ ନାମରେ ନିର୍ଦ୍ଦୋଷ ବ୍ୟକ୍ତି , ବିଶେଷ କରି ନାରୀ ନିର୍ଯାତନା, ସାମାଜିକ ବହିଷ୍କାର ଓ ହିଂସା ,ହତ୍ୟା ଭଳି ଅମାନୁଷିକ କାଣ୍ଡ ରୋକିବା ପାଇଁ ଏହା ଏକ ସୁନ୍ଦର ପଦକ୍ଷେପ ଏବଂ ଜିଲ୍ଲା ପ୍ରଶାସନ ସଂପୂର୍ଣ୍ଣ ଭାବେ ଏହାର ମୂଳୋତ୍ପାଟନ କରିବାକୁ ଚେଷ୍ଟା ଜାରି ରଖିଛି ବୋଲି ସେ ମତବ୍ୟକ୍ତ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ଗୋସନାର ବରଲା ଆରକ୍ଷୀ ଅଧିକ୍ଷକ ରାୟଗଡ, ଏଡିପିଏଚଓ ଡ଼ଃ. ଶ୍ୟାମ ଚରଣ ଗୁରୁ , ଅତିରିକ୍ତ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦେବରାଜ ଟାକ୍ରୀ , ଅତିରିକ୍ତ ଜ଼ିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ବେହେରା, ଶ୍ରୀମତୀ ପ୍ରତିମାରାଣୀ ଦାସ ଜିଲ୍ଲା ସୁରକ୍ଷା ଅଧିକାରୀ ତଥା କାର୍ଯ୍ୟକ୍ରମ ଅଧିକାରୀ, ଶ୍ରୀମତୀ ଅହଲ୍ୟା ସୁନା କାର୍ଯ୍ୟକ୍ରମ ଅଧିକାରୀ, ମୀନତି ପାତ୍ର ୟୁନିସିଏଫ ଜିଲ୍ଲା ସଂଯୋଜକ , ହେନା ରାଣୀ ପ୍ରଧାନ ଆଭା ସଂଯୋଜକ , ହେନବାନୀ ପ୍ରଥାନେ ଏଭିଏ ସଙ୍ଗଠନ, ସିଡିପିଓ, ସୁପରଭାଇଜର, ଅଙ୍ଗନବାଡି କର୍ମୀ, ସଂକଳ୍ପ ହବ୍ କର୍ମୀ ,ୱାନ୍ ଷ୍ଟପ ସେଂଟର୍ କର୍ମୀ, ଶକ୍ତି ସଦନ କର୍ମୀ, କିଶୋର ବାଳକ ବାଳିକା ,ସ୍ବେଚ୍ଛାସେବୀ ମହିଳା ମଣ୍ଡଳୀର ସଦସ୍ୟା ପ୍ରମୁଖ ୭୦ ଜଣରୁ ଅଧିକ ମହିଳା ଯୋଗ ଦେଇଥିଲେ।
ଡାହାଣୀ ଏକ ଭ୍ରାନ୍ତଧାରଣା, ବହୁଚରିତ୍ର ସ୍ଵଭାବ ଭଳି ଏହା ଏକ ମାନସିକ ରୋଗ, ଗୁଣିଆ ପାଖକୁ ନଯାଇ ମାନସିକ ରୋଗ ବିଶେଷଜ୍ଞଙ୍କ ପାଖକୁ ଯିବାକୁ କର୍ମଶାଳାରେ ଯୋଗଦେଇ ବିଶେଷଜ୍ଞ ଶ୍ରୀଯୁକ୍ତ ରବି ନାରାୟଣ ଶତପଥୀ, ଆଡ଼ଭୋକେଟ ଏବଂ ଶ୍ରୀ ନରେଶ ଶର୍ମା, ପୀରାମଲ ସଂସ୍ଥା ପରାମର୍ଶ ଦେବା ସହ ବିଭିନ୍ନ ଅଞ୍ଚଳରେ ଘଟିଥିବା ଡାହାଣୀ ସନ୍ଦେହ ଘଟଣା ସମ୍ପର୍କରେ ନିଜର ଅଭିଜ୍ଞତା ବ୍ୟାଖା କରିଥିଲେ । ଯଦିଓ ବିଜ୍ଞାନ ଯୁଗରେ ଆମେ ବଞ୍ଚୁଛନ୍ତି ତଥାପି ଡାହାଣୀ ସନ୍ଦେହ ଭଳି କୁପ୍ରଥା ଏବେ ଯାଏ ସଂପୂର୍ଣ୍ଣ ଭାବେ ସମାଜରୁ ଦୂର ହୋଇନାହିଁ । ଏହା ଏକ ପ୍ରକାର ଘରୋଇ ହିଂସା, ଏହା ଘରଠାରୁ ଆରମ୍ଭ ହୋଇ ସମାଜ କୁ ବ୍ୟାପିଛି ତେଣୁ ଏ ନେଇ ନିଜ ପରିବାରରୁ ହିଁ ସଚେତନତା ଆରମ୍ଭ ହେବା ଆବଶ୍ୟକ। ଓଡିଶା ଡାହାଣୀ ଶିକାର ନିରାକରଣ ଆଇନ ୨୦୧୩ ସମ୍ପର୍କରେ ଆଲୋଚନା କରିବା ସହ ବିଭିନ୍ନ ଆଇନଗତ ଦଣ୍ଡବିଧାନ ସମ୍ପର୍କରେ ଅଂଶଗ୍ରହଣକାରୀ ଙ୍କୁ ଅବଗତ କରାଇଥିଲେ ।ଅଧିନିୟମ ରେ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୫ ,୦୦୦ ବା ତଦୁର୍ଦ୍ଧ ଟଙ୍କା ଜୋରିମାନା ହେବ ବୋଲି ତାଲିମ ଦାତା ବରିଷ୍ଠ ଓକିଲ , ଶ୍ରୀ ରବିନାରାୟଣ ଶତପଥୀ ମାମଲା ପରିଚାଳନା କ୍ଷେତ୍ରରେ ଥିବା ସମସ୍ୟା, ସମାଧାନର ବାଟ, ଆଇନର ଧାରା, ଦଫା, ଏଫଆଇଆର ରୁ ଚାର୍ଜସିଟ ପର୍ଯ୍ୟନ୍ତ କିପରି ତଦନ୍ତ କରିବେ, ସାକ୍ଷୀ ମାନଙ୍କୁ କିପରି ଜେରା କରିବେ, ଅଭିଯୁକ୍ତକୁ କିପରି ଦଣ୍ଡ ଦିଆଯିବ, ଏହି ସବୁ ବିଷୟରେ ତାଲିମ ପ୍ରଦାନ କରିଥିଲେ
ଡାହାଣୀ ସନ୍ଦେହ ଦ୍ଵାରା ଜଣେ ନାଗରିକର ୩ଟି ମୌଳିକ ଅଧିକାର କ୍ଷୁର୍ଣ୍ଣ ହୋଇଥାଏ, ତାହା ହେଉଛି ଧାରା-୧୫ ଲିଙ୍ଗଗତ ଭେଦଭାବ ,ଧାରା- ୧୪ ଆଇନଗତ ଅଧିକାର କ୍ଷୁର୍ଣ୍ଣ , ଏବଂ ଧାରା-୨୧ ସମାଜରେ ସମ୍ମାନର ସହିତ ବଞ୍ଚିବାର ଅଧିକାର । ଡାହାଣୀ ଭଳି କୁପ୍ରଥା କୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବାକୁ କର୍ମଶାଳାରେ ଆହ୍ଵାନ ଦିଆଯାଇଥିଲା । ଏହି କୁପ୍ରଥା ଯୋଗୁଁ ନିଃସହାୟ ମହିଳା ଶିକାର ହୁଅନ୍ତି, ନିର୍ଯାତିତା ହୁଅନ୍ତି। ମହିଳା ମାନଙ୍କୁ ଡାହାଣୀ ଆଖ୍ୟା ଦେଇ ସେମାନଙ୍କ ସମ୍ପତ୍ତି ହଡ଼ପ କରାଯାଏ। ଶିକ୍ଷା ଓ ସଚେତନତାର ଅଭାବ ଯୋଗୁଁ ଏହା ହୁଏ ବୋଲି ଆଲୋଚନା ହୋଇଥିଲା । ଡାହାଣୀ, ତନ୍ତ୍ର ମନ୍ତ୍ର, ଚେଙ୍କ ଦେବା ଏସବୁ କୁପ୍ରଥା ଏବଂ ଅନ୍ଧ ବିଶ୍ୱାସରୁ ଦୁରେଇ ରହିବା ପାଇଁ ଏବଂ ଶରୀରରେ ରୋଗ ହେଲେ ଡ଼ାକ୍ତରଖାନା ଯିବାପାଇଁ ପରାମର୍ଶ ଦିଆଯାଇଥିଲା।
ଏହି ଅବସରରେ ବିଭିନ୍ନ ବ୍ଲକରୁ ଆସିଥିବା ଅଙ୍ଗନବାଡି କର୍ମୀ, ଆଶା,କିଶୋରୀ ବାଳିକା , ସ୍ଵେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ଓ ବିଶେଷଜ୍ଞ ମାନଙ୍କ ମଧ୍ୟରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଡାହାଣୀ ନିର୍ଯାତନା ଏବଂ ବାଲ୍ୟ ବିବାହ ସମ୍ପର୍କିତ ମାମଲା ପାଇଁ ପୋଲିସ ହେଲ୍ପ ଲାଇନ୍, ମହିଳା ହେଲ୍ପ ଲାଇନ୍ – ୧୮୧, ଶିଶୁ ସହାୟତା ହେଲ୍ପ ଲାଇନ୍ – ୧୦୯୮
ସୁଭଦ୍ରା ହେଲ୍ପ ଲାଇନ୍ – ୧୪୬୭୮କୁ କଲ କରିବା ପାଇଁ ପରାମର୍ଶ ଦିଆଯାଇଥିଲା। ଏବଂ ବାଲ୍ୟ ବିବାହ ମୁକ୍ତ ଭାରତ ପାଇଁ ୧୦୦ ଦିନିଆ କାର୍ଯକ୍ରମ ରେ ହୋଇଥିବା ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତର ରେ ହୋଇଥିବା ରଚନା ଓ ବିତର୍କ ପ୍ରତିଯୋଗିତା ରେ ବିଜୟୀ ଛାତ୍ର ଛାତ୍ରୀଙ୍କୁ ମାନପତ୍ର ସହ ଟ୍ରୋଫ଼ି ପ୍ରଦାନ କରାଜିଥିଲା । ଶେଷରେ ଜିଲ୍ଲା ସଂକଳ୍ପ ହବ ର ସଂଯୋଜକ ଶ୍ରୀ ଦିବାକର ପରିଚ୍ଛା ଧନ୍ୟବାଦ ଅର୍ପଣ କରିଥିଲେ ।












